ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍‌

ସ୍କୁଲ ଛାତ୍ରୀଙ୍କୁ ମାଗଣାରେ ବିତରଣ କରାଯିବ ସାନିଟାରୀ ନାପକିନ୍‌ । ସୋମବାର ଏହି ବିଷୟ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର । ତା’ ସହିତ ସାଧାରଣ ଲୋକଙ୍କ ପରାମର୍ଶ ଲୋଡ଼ିବା ପାଇଁ ସରକାର ଚାରି ସପ୍ତାହ ମହଲତ ଲୋଡ଼ିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି କାହା ପ୍ରତି ପାତର ଅନ୍ତର ନକରି ସ୍କୁଲରେ ଅଧ୍ୟୟନରତ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍‌ ବିତରଣ କରିବା ବିଷୟ ସ୍ପଷ୍ଟ କରିଛନ୍ତି । ତା’ ସହିତ ସବୁ ସରକାରୀ ଓ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ଅନୁପାତରେ ଶୌଚାଳୟ ନିର୍ମାଣ ପାଇଁ ଜାତୀୟ ମଡେଲ ପ୍ରଣୟନ କରନ୍ତୁ ।

ସମାଜସେବୀ ଜୟା ଠାକୁର ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ସ୍କୁଲଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଥିଲେ । ମାସିକ ଋତୁ କାରଣରୁ ଅଧିକାଂଶ ଛାତ୍ରୀ ପାଠ ପଢ଼ିବା ବନ୍ଦ କରି ଦେଉଛନ୍ତି । ବଜାରରୁ ସାନିଟାରୀ ନାପକିନ୍‌ କିଣିବା ପାଇଁ ଗରିବ ପରିବାର ନିକଟରେ ଟଙ୍କା ନାହିଁ । କପଡ଼ା ବ୍ୟବହାର କରି ସ୍କୁଲକୁ ଯିବା ଛାତ୍ରୀଙ୍କ ପକ୍ଷେ ଚିନ୍ତାର କାରଣ ହୋଇଛି । ସୁପ୍ରିମକୋର୍ଟଙ୍କ ପରାମର୍ଶକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରିଛନ୍ତି ।