ବେଜିଂ: ଭାରତକୁ ଚାରିପଟୁ ଘେରିବା ପାଇଁ ଚୀନ ତା’ର ଉଦ୍ୟମ ଜାରି ରଖିଛି । ଏସିଆ ମହାଦେଶର ଶକ୍ତିଶାଳୀ ଦେଶ ଭାବେ ପରିଚୟ ସୃଷ୍ଟି କରିବା ପାଇଁ ଚୀନ ସର୍ବବୃହତ୍ ସେନାବାହିନୀ ତିଆରି କରୁଛି । ଉପଗ୍ରହରୁ ଉଠା ଯାଇଥିବା ଫଟୋ ଅନୁସାରେ ଚୀନ କାମ୍ବୋଡ଼ିଆର ରିମ ନୌସେନା ଘାଟିକୁ ସଂପ୍ରସାରଣ କରିଛି ।
ଉକ୍ତ ଘାଟିରେ ନୌଭେଳା ରହଣି ପାଇଁ ବିରାଟ ପୋତାଶ୍ରୟ ଓ ବୁଡ଼ାଜାହାଜ ରହଣି ପାଇଁ ଭୂତଳ ସୁଡଙ୍ଗ, ଅସ୍ତ୍ରଶସ୍ତ୍ର ଗୋଦାମ, ସେନାବାହିନୀ ରହଣି ଓ କାମ ପାଇଁ ନୂଆ ନୂଆ କୋଠା ତିଆରି କରିଛି । ରିମ ନୌସେନା ଘାଟିରେ ଚୀନ ଅତ୍ୟାଧୁନିକ ଡକ୍ ତିଆରି କରିଛି । ସେଠାରେ ଯୁଦ୍ଧଜାହାଜ ଓ ବୁଡ଼ାଜାହାଜକୁ ପାଣିରୁ ବାହାର କରାଯାଇ ମରାମତି କରାଯିବ ।
ରିମ ନୌସେନା ବଳରେ ଚୀନ୍ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ଉପରେ ରାଜୁତି କରିପାରିବ । କାମ୍ବୋଡ଼ିଆକୁ ବାଦ୍ ଦେଲେ, ଶ୍ରୀଲଙ୍କା ଓ ପାକିସ୍ତାନରେ ନୌସେନା ପ୍ରତିଷ୍ଠା କରିବା ପାଇଁ ଚୀନ୍ ଉଦ୍ୟମ ଜାରି ରଖିଛି ।
ଆଫ୍ରିକାର ଅଧା ଡଜନ ଦେଶରେ ସେନାଘାଟି ପ୍ରତିଷ୍ଠା କରିବା ଚୀନର ମୁଖ୍ୟ ଉଦ୍ଦେଶ୍ୟ । ସୂଚନା ମୁତାବକ, ରିମ ନୌଘାଟିକୁ ବିକଶିତ କରି ଚୀନ୍ ଆଣ୍ଡାମାନ ନିକୋବର ପ୍ରତି ମହାବିପଦ ସୃଷ୍ଟି କରିଛି ।