ଓଡ଼ିଶା ପାଇଁ ଜେଏସଡବ୍ଲ୍ୟୁର ୧ ଲକ୍ଷ କୋଟି

ଭୁବନେଶ୍ବର(ଏସ୍ ନ୍ୟୁଜ): ଆସନ୍ତା ଦଶ ବର୍ଷ ମଧ୍ୟରେ ଜେଏସଡବ୍ଲ୍ୟୁ ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡ଼ିଓ କନ୍ଫରେସିଂ ଜରିଆରେ ଆଲୋଚନା ବେଳେ ଏ କଥା ଘୋଷଣା କରିଛନ୍ତି ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ।

ଜଗତସିଂହପୁରର ଜଟାଧାର ଠାରେ କମ୍ପାନୀ ପକ୍ଷରୁ ବାର୍ଷିକ ୧୩.୨ ନିୟୁତ ଟନ ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଏହି ଅବସରରେ ଜେଏସଡବ୍ଲ୍ୟୁ କହିଛି। ଏଥିପାଇଁ ରାଜ୍ୟ ସରକାର ଜମି, ଜଳ ଓ ବିଦ୍ୟୁତ ଯୋଗାଇଦେବେ ବୋଲି ପୂର୍ବରୁ କହିଛନ୍ତି।

ସମ୍ବଲପୁର ଆଇଆଇଏମ ସହ ମିଶି ଜେଏସଡବ୍ଲ୍ୟୁ ସେଣ୍ଟର ଫର୍ ଡେଭଲପମେଣ୍ଟ ଷ୍ଟଡିଜ ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ସୁନ୍ଦରଗଡ଼ କୋଇଡା ଠାରେ ଖଣି ଅଞ୍ଚଳର ଲୋକଙ୍କ ସୁବିଧା ଲାଗି ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ସ୍କୁଲ ତିଆରି କରିବ। ରାଜ୍ୟ ସରକାରଙ୍କ ସହଯୋଗରେ ସନ୍ତୁଷ୍ଟ ଥିବା ସଜ୍ଜନ ଜିନ୍ଦଲ ଓଡ଼ିଶାର ବିକାଶ ଲାଗି ଜେଏସଡବ୍ଲ୍ୟୁ ସମସ୍ତ ପ୍ରଚେଷ୍ଟା କରିବ ବୋଲି ଜଣାଇଛନ୍ତି।

ସୂଚନାଯୋଗ୍ୟ, ପୋସ୍କୋକୁ ବିରୋଧ ପରେ ସ୍ଥାନୀୟ ଅଞ୍ଚଳର ୨୯୮୦ ଏକର ଜମି ଏବେ ରାଜ୍ୟ ସରକାର ଜେଏସଡବ୍ଲ୍ୟୁକୁ ଦେବାକୁ ମନସ୍ଥ କରିଛନ୍ତି। ୫୨ ହଜାର କୋଟି ଟଙ୍କା ବିନିଯୋଗରେ ୧୨ ନିୟୁତ ଟନ ବିଶିଷ୍ଟ ଇସ୍ପାତ ପ୍ରକଳ୍ପ କରିବାକୁ ପୋସ୍କୋ ଯୋଜନା କରିଥିଲା। ଏବେ ସେ ସ୍ଥାନରେ ଜେଏସଡବ୍ଲ୍ୟୁ ୫୩ ହଜାର ୭୦୦ କୋଟି ଟଙ୍କା ଖଟାଇ ୧୩.୨ ନିୟୁତ ଟନ ବିଶିଷ୍ଟ ପ୍ରକଳ୍ପ କରିବ। ଏଥିସହ ୧୦ ନିୟୁତ ଟନ ବିଶିଷ୍ଟ ସିମେଣ୍ଟ କାରଖାନା ଓ ୯୦୦ ମେଗାୱାଟର ନିଜସ୍ୱ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ମଧ୍ୟ କରିବ ଜେଏସଡବ୍ଲ୍ୟୁ।