ଖୋଲିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର!

ଭୁବନେଶ୍ୱର(ଏସ୍ ନ୍ୟୁଜ): ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଲେଖା ଯାଇଥିବା ଏକ ତାଜା ଚିଠିରେ ଏ ବାବଦରେ ଉଲ୍ଲେଖ ରହିଛି।

ଦିଲ୍ଲୀପ କୁମାର ବରାଳ ଓ ଦୁର୍ଗାପ୍ରସାଦ ମହାପାତ୍ର ନାମକ ଦୁଇ ବ୍ୟକ୍ତିଙ୍କ ନାଁ ଚିଠିରେ ଉଲ୍ଲେଖ କରାଯାଇଛି। ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଅଳଙ୍କାରର ଅନୁଧ୍ୟାନ ଓ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ଏମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ସେମାନଙ୍କର ଆବେଦନ ଆଧାରରେ ରାଜ୍ୟ ଆଇନ ବିଭାଗର ଅନୁସଚିବ ଗତ ୧୮ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଶାଖାକୁ ଚିଠିଟି ଲେଖିଥିଲେ। ଯେଉଁଥିର ଉପଯୁକ୍ତ ପଦକ୍ଷେପ ନେବାକୁ କହିବା ସହ ଉଭୟ ବିଭାଗ ଓ ଆବେଦନକାରୀଙ୍କୁ ଅବଗତ କରାଇବାକୁ କହିଛନ୍ତି।

୨୦୧୮ ମସିହା ମାର୍ଚ୍ଚରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲା। ହେଲେ ଚାବି ହଜିବା ଘଟଣାକୁ ନେଇ ଯାହା ସବୁ ନାଟକବାଜି ହୋଇଥିଲା ତାହା ସର୍ବସମ୍ମୁଖରେ। ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କରି ତା’ର ତଦନ୍ତ କରାଇଥିଲେ ମଧ୍ୟ ନିଷ୍କର୍ଷ ବାହାରିପାରିନାହିଁ।