ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ମାମଲାରୁ ଓହରିଲେ ଜଷ୍ଟିସ ଲଳିତ

ନୂଆଦିଲ୍ଲୀ : ତିନିଟି ମାମଲାର ଶୁଣାଣିରୁ ନିଜକୁ ପ୍ରତ୍ୟାହାର କରିନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ୟୁ.ୟୁ ଲଳିତ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ବିରୋଧରେ ଆଗତ ତିନିଟି ମାମଲାର ଶୁଣାଣିରୁ ନିଜକୁ ପ୍ରତ୍ୟାହାର କରିନେଇଛନ୍ତି । ସୋମବାର ଜଷ୍ଟିସ ଲଳିତ ଦର୍ଶାଇଛନ୍ତି ଯେ ଏହି ମାମଲାର ଶୁଣାଣି ନେଇ ତାଙ୍କର କିଛି ସମସ୍ୟା ରହିଛି। ମାମଲା ସହିତ ସମ୍ପୃକ୍ତ ଜଣଙ୍କ ପାଇଁ ଅତୀତରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଥିଲେ; ତେଣୁ ଏବେ ଗଠିତ ପୀଠରେ ଉପସ୍ଥିତ ରହିବା ତାଙ୍କ ପକ୍ଷେ ଅସମୀଚୀନ।

ସୂଚନା ଅନୁସାରେ, ଜଗନମୋହନ ନ୍ୟାୟପାଳିକା ବିରୋଧରେ ଆଣିଥିବା ଅଭିଯୋଗ ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଶୁଣାଣି ପାଇଁ ଗଠିତ ପୀଠରେ ଜଷ୍ଟିସ ଲଳିତ ସଦସ୍ୟ ଥିଲେ। ଏହି ପୀଠରେ ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ଏସ୍‌. ରବୀନ୍ଦ୍ର ଭଟ୍ଟ ସଦସ୍ୟ ଅଛନ୍ତି। ପୀଠ ଜଗନମୋହନଙ୍କ ବିରୋଧରେ ତିନିଟି ଅଭିଯୋଗର ଶୁଣାଣି କରିବେ। ଅକ୍ଟୋବର ୬ରେ ରେଡ୍ଡି ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ ବୋବ‌େ​‌ଡଙ୍କୁ ଏକ ପତ୍ର ଲେଖିଥିଲେ; ଯେଉଁଥିରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି ତଥା ନ୍ୟାୟପାଳିକା ବିରୋଧରେ ବିଷୋଦ୍‌ଗାର କରିଥିଲେ। ସେ ଏହି ଚିଠି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିସ୍ତୃତ ସୂଚନା ଦେଇଥିଲେ। ଏହାର ପ୍ରତିବାଦରେ ଆଇନଜୀବୀ ଜି.ଏସ୍‌ ମଣି, ସୁନିଲ କୁମାର ସିଂହ ଓ ଆଣ୍ଟି-କରପସନ୍‌ କାଉନ୍‌ସିଲ ଅଫ ଇଣ୍ଡିଆ ଟ୍ରଷ୍ଟ ନାମକ ସଂସ୍ଥା ପକ୍ଷରୁ ତିନିଟି ମାମଲା ରୁଜୁ କରାଯାଇଛି। ସୋମବାର ଏହାର ଶୁଣାଣି ହେବାର ଥିଲା।