ମନ୍ଦିର ସମ୍ମୁଖରେ ଘଂଟ ପିଟି ସେବାୟତଙ୍କ ପ୍ରତିବାଦ

ଯାଜପୁର (ଏସ୍ ନ୍ୟୁଜ) : ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ସମ୍ମୁଖରେ ଘଂଟ ପିଟି ପ୍ରତିବାଦ କରିଛନ୍ତି ସେବାୟତ । ସରକାର ମନ୍ଦିର ଖୋଲନ୍ତୁ ନଚେତ ମାସିକ ୫ ହଜାର ଟଙ୍କାର ସହାୟତା ଦାବି କରିଛନ୍ତି । ମାର୍ଚ୍ଚ ୨୨ ତାରିଖରୁ ଦୀର୍ଘ ୮ ମାସ ହେବ କରୋନା ମହାମାରୀ ପାଇଁ ମନ୍ଦିରକୁ ସାଧାରଣ ଭକ୍ତ ପ୍ରବେଶକୁ ବାରଣ ହୋଇଥିବାରୁ ରୋଜଗାର ହରାଇଛନ୍ତି ସେବାୟତ। ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶହଶହ ଭକ୍ତ ଓ ପର୍ଯ୍ୟଟକ ଆଉ ଆସିପାରୁନାହାନ୍ତି ।

ରାଜ୍ୟ ସରକାର ବଡବଡ ସପିଂ ମଲ, ମଦ ଦୋକାନ, ବାର୍‌, ହୋଟେଲ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟରେ ମଠ ମନ୍ଦିର ଗୁଡିକ ଏବେ ବି ବନ୍ଦ ହୋଇ ରହିଛି । ସେବାୟତମାନେ ପାଳି ଅନୁସାରେ ମାଙ୍କ ନୀତିକ୍ରାନ୍ତି ସମାପନ କରୁଥିଲେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ସେବାୟତଙ୍କ ରୋଜଗାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସରକାର ତୁରନ୍ତ ସେବାୟତଙ୍କ ସମସ୍ୟା ବୁଝି ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ଦାବି ହୋଇଛି । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲୁ ବୋଲି ଦାବି ରଖିଛନ୍ତି । ମନ୍ଦିର ନଖୋଲି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ରାଜ୍ୟ ମନ୍ଦିର ସେବାୟତ ସଂଘ ସାଧାରଣ ସଂପାଦକ ଦେବୀ ପ୍ରସାଦ ପାଣି ପ୍ରକାଶ କରିଛନ୍ତି