୬୪୦୦ କୋଟି ଟଙ୍କାର ଉପହାର ଧରି କାଶ୍ମୀର ଯାଉଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଧାରା ୩୭୦ ହଟାଇବା ପରେ ପ୍ରଥମ ଥର ପାଇଁ ଶ୍ରୀନଗର ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନିର୍ବାଚନ ପରିବେଶ; ଗ୍ୟାରେଂଟି ମଉକା । ବିଜେପି କହୁଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କଶ୍ମୀର ଗସ୍ତ ଐତିହାସିକ ଶୋଭାଯାତ୍ରା ରୂପ ନେବ । ପ୍ରାୟ ଦୁଇଲକ୍ଷ ଲୋକଙ୍କୁ ଶୋଭାଯାତ୍ରାରେ ସାମିଲ କରିବା ପାଇଁ କଶ୍ମୀର ବିଜେପି ପକ୍ଷରୁ ଉଦ୍ୟମ ଚାଲିଛି ।

କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ୭ କିଲୋମିଟର ବ୍ୟାପୀ ରୋଡ୍‌ ଶୋ’ କରିବା ମତଲବରେ ଅଛନ୍ତି । ଶ୍ରୀନଗରସ୍ଥିତ ଷ୍ଟାଡ଼ିୟମରେ ଜନ ସମାବେଶରେ ଯୋଗଦାନ କରି ବିଜେପି ପାଇଁ ଭୋଟ ମାଗିବେ ମୋଦୀ ।

ନିର୍ବାଚନ ପର୍ବରେ କେହି ଖାଲି ହାତରେ ଯାତ୍ରା କରିବା କ’ଣ ସମ୍ଭବ? ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୬୪୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବେ । ଶ୍ରୀନଗର ରାଜପଥ, ଗଳିକନ୍ଦିରେ ପ୍ରାୟ ୧୦ ହଜାର ତିରଙ୍ଗା ଓ ବିଜେପି ପତାକା ଲଗାଇ ଦିଆଯାଇଛି । ବିଜେପି ଶୋଭାଯାତ୍ରାକୁ ଦମଦାର କରିବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ମଧ୍ୟ ଲାଗି ପଡ଼ିଛନ୍ତି ।

ବିଦେଶ: ଚନ୍ଦ୍ରକୁ ଯିବେ ଭାରତୀୟ ବଂଶଜ ଅନିଲ ମେନନ

ୱାଶିଂଟନ: ଆମେରିକା ମହାକାଶ ଗବେଷଣା କେନ୍ଦ୍ର (ନାସା)ରେ ପ୍ରାୟ ଦୁଇବର୍ଷ କାଳ ତାଲିମ ପାଇବା ପରେ ଭାରତୀୟ ବଂଶଜ ଡକ୍ଟର ଅନିଲ ମେନନ ଚନ୍ଦ୍ରକୁ ଯିବା ପାଇଁ ଅପେକ୍ଷା କରିଛନ୍ତି ।

ନାସା ପକ୍ଷରୁ ଚନ୍ଦ୍ର ମିଶନ ପାଇଁ ମନୋନୀତ ୧୦ ଜଣ ତାଲିମପ୍ରାପ୍ତ ମହାକାଶଚାରୀଙ୍କ ଭିତରୁ ଡକ୍ଟର ଅନିଲ ମେନନ ଜଣେ । ତାଙ୍କୁ ୨୦୨୦ ଡିସେମ୍ବରରେ ମନୋନୟନ କରାଯାଇଥିଲା । ନାସାର ଆଗାମୀ ଚନ୍ଦ୍ର ଅଭିଯାନ ପର୍ବରେ ତାଙ୍କୁ ସାମିଲ କରାଯିବ । ମେଡିସିନ ଓ ମହାକାଶ ଗବେଷଣା କ୍ଷେତ୍ରରେ ଡକ୍ଟର ଅନିଲଙ୍କ କ୍ୟାରିୟର ବେଶ ଭଲ ଅଛି । ମିନେସୋଟା ଅନ୍ତର୍ଗତ ମିନେପଲିସରେ ଜନ୍ମିତ ଅନିଲଙ୍କ ବାପା ଭାରତୀୟ ଓ ମା’ ୟୁକ୍ରେନୀୟ ।