ଦେଶ ଛାଡ଼ି ପଳାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ସେନା ନିୟନ୍ତ୍ରଣରେ ବାଂଲାଦେଶ। ଶେଖ୍ ହସିନା ଇସ୍ତଫା ଦେବା ପରେ ପାର୍ଲ୍ୟାମେଣ୍ଟ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନ୍। ବାଂଲାଦେଶ ବାୟୁସେନାର ଲକ୍‌ହିଡ୍‌ ଯୁଦ୍ଧବିମାନରେ ପ୍ରଧାନମନ୍ତ୍ରୀ ହସିନା ଢାକା ଛାଡ଼ିଛନ୍ତି। ଶେଖ୍‌ ହସିନା ଓ ତାଙ୍କ ଭଉଣୀଙ୍କୁ ଆଣି ଆସିଥିବା ବିମାନ ଦିଲ୍ଲୀ ନିକଟରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ଦେଶ ଛାଡ଼ିବା ପରେ ଦେଶର ଶାସନ ଭାର ସେନାବାହିନୀ ନିଜ ହାତକୁ ନେଇଛି। ଖୁବ୍‌ଶୀଘ୍ର ଅନ୍ତରୀଣ ସରକାର ଗଠନ ହେବ ବୋଲି ସେନାବାହିନୀ ଘୋଷଣା କରିଛି। ବାଂଲାଦେଶ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବାରୁ ଭାରତ-ବାଂଲାଦେଶ ସୀମାନ୍ତରେ ଭାରତୀୟ ସୀମା ସୁରକ୍ଷାବଳ ପକ୍ଷରୁ ‘ହାଇ ଆଲର୍ଟ’ ଜାରି କରାଯାଇଛି। ବାଂଲାଦେଶକୁ ସମସ୍ତ ଟ୍ରେନ୍‌ ଓ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି।

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଅତ୍ୟନ୍ତ ଉଗ୍ର ରୂପ ନେଇଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୁଲିସ କାର୍ଯ୍ୟାନୁଷ୍ଠାନ‌ ନେବାରୁ ଦୁଇଦିନରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ବାଂଲାଦେଶ ସରକାର ପ୍ରଥମ ଥର ନିମନ୍ତେ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଥିଲେ। ଦେଶର ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଆହୂତ କରି ଦଙ୍ଗାକାରୀଙ୍କୁ ଦମନ କରିବାକୁ ସେନା, ଅର୍ଦ୍ଧସାମରିକ ବଳ ଓ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳେ ବିକ୍ଷୋଭ ଉଗ୍ର ରୂପ ନେଇଥିଲା। ସମଗ୍ର ଢାକା ସହର ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଥିଲା। ସଶସ୍ତ୍ର ସୁରକ୍ଷାକର୍ମୀ, ତାରବାଡ଼ ଆଦିକୁ ଖାତିର ନକରି ଆନ୍ଦୋଳନକାରୀମାନେ ମଧ୍ୟ ହାତରେ ଠେଙ୍ଗା, ବୋମା, ଖଣ୍ଡା ଆଦି ମାରଣାସ୍ତ୍ର ଧରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ବାଂଲାଦେଶର ପ୍ରତିଷ୍ଠାତା ତଥା ପ୍ରଧାନମନ୍ତ୍ରୀ ହସିନାଙ୍କ ବାପା ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର୍‌ ରହେମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି।

ସୂଚନା ଅନୁସାରେ ବାଂଲାଦେଶରେ ୧୯୭୧ରେ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ଲଢିଥିବା ସୈନ୍ୟଙ୍କ ସନ୍ତାନଙ୍କ ନିମନ୍ତେ ସରକାରୀ ଚାକିରିରେ ୩୦ ପ୍ରତିଶତ, ପଛୁଆ ଜିଲ୍ଲା ନିମନ୍ତେ ୪୦ ପ୍ରତିଶତ, ମହିଳାଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ଘୋଷଣା ହୋଇଛି । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨୦ପ୍ରତିଶତ ରଖାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଏହି ସଂରକ୍ଷଣ ବିରୋଧରେ ରାୟ ଦେଇଥିଲେ । କିନ୍ତୁ ହସିନା ସରକାର ଗ୍ରହଣ କରିନଥିଲେ । ଏବେ ଅଦାଲତ ସଂରକ୍ଷଣକୁ ପୁନଃ ଲାଗୁ ପାଇଁ କହିଛନ୍ତି ଯେଉଁଥିପାଇଁ ଏ ହିଂସା କାଣ୍ଡ ଦେଖାଦେଇଛି ।