ପୃଥିବୀ ପୃଷ୍ଠରେ ସମସ୍ତଙ୍କୁ ଜନ୍ମ ମରଣ ଚକ୍ର ଭିତରେ ଗତି କରିବାକୁ ପଡେ଼ । ଆପଣ ଜାଣନ୍ତି! ରାମାୟଣ, ମହାଭାରତ ଓ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ସାତଜଣ ମହାନ ଚରିତ୍ରଙ୍କୁ କଳିଯୁଗ ଶେଷ ପର୍ଯ୍ୟନ୍ତ ଆମ ଗହଣରେ ଦେଖିବାକୁ ମିଳିବ । ସେହି ଦିବ୍ୟ ଚରିତ୍ର ଆମର ଅତି ନିକଟରେ ଅଛନ୍ତି । ଆମର ପ୍ରତି ଆଚରଣ ଓ ଉଚ୍ଚାରଣ ଶୁଣୁଛନ୍ତି । ଆମର ସବୁ କାମକୁ ଦେଖୁଛନ୍ତି । ସେମାନେ ଆମକୁ ଉପଦେଶ ଦେଉଛନ୍ତି, ନୀତିବାଣୀ ଶୁଣାଉଛନ୍ତି । ଆମର ଦିଗଦର୍ଶନ କରୁଛନ୍ତି । ଆସନ୍ତୁ ସେହି ମହାନ ଚରିତ୍ରଙ୍କ ସଂପର୍କରେ ସମ୍ୟକ୍ ଆଲୋଚନା କରିବା ।
୧. ଅଶ୍ୱତ୍ଥାମା: ଅଭିଶପ୍ତ ବୀର କୌରବ ଓ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ୱତ୍ଥାମା ଏ ଯାଏ କୃତକର୍ମର ଫଳ ଭୋଗୁଛନ୍ତି । କ୍ଷଣିକ କ୍ରୋଧରେ ଅନ୍ଧ ହୋଇ ସେ ପାଣ୍ଡବଙ୍କର ୫ ଜଣ ପୁଅଙ୍କ ମୁଣ୍ଡ କାଟି ଦେଇଥିଲେ । ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରୁ ଦିବ୍ୟ ମଣି ହରଣ କରିନେଲେ । ତାଙ୍କୁ କଳିଯୁଗ ଶେଷ ପର୍ଯ୍ୟନ୍ତ ଜରାବ୍ୟାଧିଗ୍ରସ୍ତ ଜୀବନ କାଟିବାକୁ ଅଭିଶାପ ଦେଲେ ।
୨. ରାଜା ମହାବଳି: ପ୍ରଭୁ ନାରାୟଣଙ୍କ ପ୍ରିୟ ଭକ୍ତ ପ୍ରହଲ୍ଲାଦଙ୍କ ନାତି ମହାବଳି ଜଣେ ପ୍ରଜାବତ୍ସଳ ରାଜା ଥିଲେ । ପ୍ରଜାଙ୍କୁ ପୁତ୍ର ଭଳି ସ୍ନେହ ଓ ଦାନ କରିବାକୁ ସେ ଭାରି ଭଲ ପାଉଥିଲେ । ମହାଦାନୀ ଭାବେ ବଳିଙ୍କ ପ୍ରସିଦ୍ଧିକୁ ସହି ପାରିଲେନି ସ୍ୱର୍ଗାଧିପତି ଇନ୍ଦ୍ର । ଦେବତାଙ୍କ ଅନୁରୋଧ ରକ୍ଷା କରି ପ୍ରଭୁ ନାରାୟଣ ବାମନ ଅବତାର ଧାରଣ କରି ମହାବଳିଙ୍କ ନିକଟରୁ ଦାନ ସ୍ୱରୂପ ତିନିପାଦ ଭୂମି ମାଗିଲେ ଓ ବଳିଙ୍କୁ ପାତାଳକୁ ଚାପିଦେଲେ । ବଳିରାଜାଙ୍କୁ ମନେ ରଖିବା ପାଇଁ କେରଳରେ ଓନାମ ପର୍ବ ପାଳିତ ହୋଇଆସୁଛି । ନାରାୟଣଙ୍କ ଆଶୀର୍ବାଦ ବଳରେ ବଳିରାଜା ବର୍ଷକ ଭିତରେ ଥରୁଟିଏ (ଓନାମ ଦିନ) ଧରାପୃଷ୍ଠକୁ ଆସନ୍ତି, କିଛି ସମୟ ବିତାଇ ପାତାଳକୁ ଫେରିଯାନ୍ତି ।
୩. ବେଦବ୍ୟାସ: ମହାଭାରତ ରଚୟିତା ମହାଜ୍ଞାନୀ ବେଦବ୍ୟାସ ଆମ ଗହଣରେ ଅଛନ୍ତି । ବେଦ ବର୍ଣ୍ଣିତ ନୀତିଗୁଡିକୁ ମାନି ଚଳିବା ଓ ଜୀବନକୁ ସରସ ଶୃଙ୍ଖଳିତ କରିବା ପାଇଁ ମହର୍ଷି ବେଦବ୍ୟାସ ପରାମର୍ଶ ଦେଇଛନ୍ତି । ଧର୍ମାଚରଣ ଓ ବେଦର ସୁରକ୍ଷା ଭାର ବେଦବ୍ୟାସଙ୍କୁ ଦିଆଯାଇଛି ।
୪. ହନୁମାନ: ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରିୟ ଦୂତ ହନୁମାନ ଚିର ଅମର । ରାମ ନାମ ହିଁ ହନୁମାନଙ୍କ ପାଇଁ ସବୁକିଛି ଥିଲା । ରାମଙ୍କ ସେବାରେ ନିୟୋଜିତ କରି ହନୁମାନ ଆଜି ସର୍ବତ୍ର ପୂଜିତ । ପ୍ରଭୁଙ୍କ ପ୍ରତି ଅଗାଧ ବିଶ୍ୱାସ ଓ ସତ୍ୟର ପରାକାଷ୍ଠା ଦେଖାଇ ହନୁମାନ ଚିରଂଜିବୀ ।
୫. କୃପାଚାର୍ଯ୍ୟ: କୌରବ ଓ ପାଣ୍ଡବଙ୍କ ରାଜଗୁରୁ ଭାବେ ଚର୍ଚ୍ଚିତ କୃପାଚାର୍ଯ୍ୟ, ସଂପର୍କରେ ଦ୍ରୋଣାଚାର୍ଯ୍ୟଙ୍କର ଶାଳକ । ପିଢ଼ିରୁ ପିଢ଼ିକୁ ଜ୍ଞାନ ବିତରଣ ଦାୟିତ୍ୱ ତାଙ୍କୁ ଦିଆଯାଇଛି । ବିଶାଳ ଧର୍ମଯୁଦ୍ଧର ଏକମାତ୍ର ସାକ୍ଷୀ ଗୁରୁ କୃପାଚାର୍ଯ୍ୟଙ୍କୁ ଯୁଗ ଯୁଗ ଧରି ସତ୍ୟ, ଧର୍ମ ଓ ନିଷ୍ଠା ପାଳନ କରି ଆସୁଛନ୍ତି ।