Operation Sindoor: ‘ଅପରେସନ୍‌ ସିନ୍ଦୁର’: ଜିତିଲା କିଏ ହାରିଲା କିଏ

Operation Sindoor: ପହଲଗାମ ଆତଙ୍କୀ ହମ୍‌ଲାର କଡ଼ା ଜବାବ ଦେଇଛି ଭାରତ । ‘ଅପରେସନ୍‌ ସିନ୍ଦୁର’ ଜରିଆରେ ପାକିସ୍ତାନରେ ଲୁଚି ରହିଥିବା ଆତଙ୍କୀ ସଂଗଠନଗୁଡ଼ିକୁ ଠିକଣା ଜବାବ ଦିଆଯାଇଛି । ମେ’ ୭ ତାରିଖ ରାତିରେ ଆତଙ୍କୀମାନେ ସେମାନଙ୍କ ଶିବିରରେ ନିଶ୍ଚିନ୍ତରେ ଶୋଇଥିବା ବେଳେ ଆକାଶ ମାର୍ଗରୁ ସେମାନଙ୍କ ଉପରକୁ ମିଶାଇଲ ମାଡ଼ କରିଥିଲା ଭାରତୀୟ ବାୟୁସେନା।

Operation Sindoor_ଜିତିଲା କିଏ ହାରିଲା କିଏ_Shaksi News
Operation Sindoor_ଜିତିଲା କିଏ ହାରିଲା କିଏ_Shaksi News

ଭାରତୀୟ ବାୟୁସେନାର ମିଶାଇଲ ମାଡ଼ରେ ମାଟିରେ ମିଶିଯାଇଛି ଜୈଶ–ଇ–ମହମ୍ମଦ, ଲସ୍କର–ଏ–ତୈୟବା ଭଳି କିଛି ଆତଙ୍କୀ ସଂଗଠନ। ବିଜେପି ଭାରତ ସରକାରଙ୍କୁ ପରିଚାଳନା କରୁଥିବା ପର୍ଯ୍ୟନ୍ତ ପାକ୍‌ ସ୍ଥିତ ଗୋଟିଏ ବି ଆତଙ୍କୀ ସଂଗଠନ ଭାରତରେ ପଶି କୌଣସି ପ୍ରକାର ଆତଙ୍କୀ ହମ୍‌ଲା କରିବାକୁ ସାହସ ଜୁଟାଇ ପାରିବନି।

ଅପରେସନ୍‌ ସିନ୍ଦୁର’ ଜୈସ–ଇ–ମହମ୍ମଦ ପ୍ରତିଷ୍ଠାତା କୁଖ୍ୟାତ ଆତଙ୍କୀ ମାସୁଦ ଆଝାରକୁ ଠିକଣା ଜବାବ ଦେଇଛି । ୧୦ ଜଣ ଆତ୍ମୀୟଙ୍କୁ ହରାଇ ସାରିବା ପରେ ମାସୁଦ କି ତା’ର ଆଗାମୀ ଚଉଦ ପୁରୁଷ ଆଉ ଭାରତ ବିରୋଧରେ ଆତଙ୍କୀ ଚକ୍ରାନ୍ତ କରିବାକୁ ସାହସ ଜୁଟାଇ ପାରିବେନି

ଭାରତ ସରକାରଙ୍କୁ ପରିଚାଳନା କରୁଥିବା କିଛି ବିଜେପି ନେତା ଭାରତର ତିନି ସେନାବାହିନୀକୁ ୨୫ ମିନିଟ୍‌ ପାଇଁ ବ୍ୟବହାର କରି ମାଟିରେ ମିଶାଇ ଦେଇଛନ୍ତି ପାକିସ୍ତାନରେ କାୟା ବିସ୍ତାର କରିଥିବା ଆତଙ୍କୀ ସଂଗଠନକୁ।

ଭାରତୀୟ ବାୟୁସେନା ପାକିସ୍ତାନର ନଅଟି ସ୍ଥାନରେ ଆକାଶରୁ ମିଶାଇଲ ମାଡ଼ କଲା ଯେ ସେଠାରେ ରହିଥିବା ଆତଙ୍କୀମାନେ ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ସମୟ ପାଇଲେନି । କଲବଲ ହୋଇ ମରିଗଲେ । ମାସୁଦ ଆଝାର ତା’ ପରିବାରର ୧୦ ଜଣ ଆତ୍ମୀୟଙ୍କୁ ହରାଇ ଛାତିରେ ହାତ ପିଟି ପିଟି କାନ୍ଦୁଥିବାର ଦୃଶ୍ୟ ଆଉ କେହି ଦେଖନ୍ତୁ କି ନଦେଖନ୍ତୁ, ଭାରତର କିଛି ଗଣମାଧ୍ୟମ ଦେଖିବାର ସୁଯୋଗ ପାଇଛନ୍ତି।

ମାସୁଦ ଆଝାର ଆଖିର ଲୁହ ଆଉ କେହି ଦେଖନ୍ତୁ କି ଦେଖନ୍ତୁ, ନରେନ୍ଦ୍ର ମୋଦି ଦେଖି ପାରିଛନ୍ତି, ଅମିତ ଶାହ ଦେଖି ପାରିଛନ୍ତି, ରାଜନାଥ ସିଂହ ଦେଖି ପାରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦେଖି ପାରିଛନ୍ତି । ୟା’ଠାରୁ ବଳି ଖୁସିର ଖବର ଆଉ କ’ଣ ହୋଇପାରେ?

ଏପ୍ରିଲ ୨୨ ତାରିଖରୁ ଭାରତର ବିଜେପି ନେତାମାନେ ଗଣମାଧ୍ୟମ ଆଗରେ ପାକ୍‌ସ୍ଥିତ ଆତଙ୍କୀ ସଂଗଠନକୁ ସବୁଦିନ ପାଇଁ ମାଟିରେ ମିଶାଇ ଦେବାକୁ କହି ଆସୁଥିଲେ । ପାତାଳରୁ ଖୋଜି ମାରିବା କଥା କହୁଥିଲେ।

ମାତ୍ର ସେମାନଙ୍କର ଖୋଲା ଆହ୍ୱାନ ପ୍ରତି କର୍ଣ୍ଣପାତ କରି ନଥିଲେ କୌଣସି ଆତଙ୍କୀ ସଂଗଠନ । ଆତଙ୍କୀମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ଧରି ସାହସର ସହିତ ଭାରତୀୟ ବାୟୁସେନା ଟାର୍ଗେଟ୍‌ କରିଥିବା ୯ଟି ଠିକଣାରେ ଅପେକ୍ଷା କରିଥିଲେ ଭାରତର ମିଶାଇଲକୁ।

ଭାରତୀୟ ବାୟୁସେନାର ଲଢୁଆ ବିମାନରୁ ଯାଇ ମିଶାଇଲ ସେମାନଙ୍କ ଉପରେ ପଡ଼ିଲା । ସେମାନେ ମିଶାଇଲ ମାଡ଼ ଖାଇ ସବୁଦିନ ପାଇଁ ଶୋଇପଡ଼ିଲେ । ଆତଙ୍କୀ ଶିବିରରେ ଚଳପ୍ରଚଳ ହେଉଥିବା ଜଣେ ବି ଆତଙ୍କୀ ବନ୍ଧୁକରୁ ଗୋଟିଏ ବି ଗୁଳି ଭାରତୀୟ ବାୟୁସେନାର ଗୋଟିଏ ବି ବିମାନକୁ ଛୁଇଁ ପାରିଲାନି।

ଭାରତୀୟ ବାୟୁସେନାର ହମ୍‌ଲାକୁ ଦେଖିବା ଛଡ଼ା ପାକ୍‌ ସେନାବାହିନୀ ନିକଟରେ ଆଉ କିଛି ଚାରା ନଥିଲା।

ସବୁଠାରୁ ବଡ଼ କଥା ହେଉଛି, ଆତଙ୍କୀ ସଂଗଠନ ଭାବେ ପରିଚିତ ଯୋଉ ନଅଟି ଠିକଣା ଉପରେ ଭାରତୀୟ ବାୟୁସେନା ମିଶାଇଲ ପକାଇଲା । ସେଠାରେ ଜଣେ ବି ଆତଙ୍କୀ ବିକଳ ଚିକ୍ରାର କରୁଥିବାର ଦୃଶ୍ୟକୁ କୈଦ କରିପାରିଲାନି ଭାରତର ଗୋଟିଏ ବି ସାଟେଲାଇଟ୍‌।

ସେଭଳି ଯନ୍ତ୍ରଣାଦାୟକ ଦୃଶ୍ୟକୁ କୋଉ ସାଟେଲାଇଟ୍‌ କ୍ୟାମେରା ଉଠାଇ ପାରିବ? ସେଭଳି ଛାତିଥରା ଦୃଶ୍ୟକୁ କେବଳ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଜରିଆରେ ଜୀବନ୍ତ କରା ଯାଇପାରିବ।

‘ଅପରେସନ୍‌ ସିନ୍ଦୁର’ ପାକ୍‌ ସ୍ଥିତ ଆତଙ୍କୀ ସଂଗଠନକୁ ସଂପୂର୍ଣ୍ଣ ଭାବେ ନିପାତ କରିଛି ନା ପହଲଗାମରେ ସ୍ୱାମୀଙ୍କୁ ହରାଇଥିବା ୨୬ ମହିଳାଙ୍କୁ ଠିକଣା ନ୍ୟାୟ ଦେଇପାରିଛି?

ଭାରତ ସରକାରଙ୍କ ମିଶାଇଲ ମାଡ଼ ପାକ୍‌ ସ୍ଥିତ ଆତଙ୍କୀ ସଂଗଠନଗୁଡ଼ିକ ମନରେ କେତେ ଭୟ ସୃଷ୍ଟି କରିଛି, ତା’ର ପ୍ରମାଣ ଆଗାମୀ ଦିନରେ ଜଣାପଡ଼ିବ।

‘ଅପରେସନ୍‌ ସିନ୍ଦୁର’ ପରେ ଯଦି ଭାରତର କୌଣସି ରାଜ୍ୟର କୌଣସି ସ୍ଥାନରେ ଗୋଟିଏ ବି ଆତଙ୍କୀ ହମ୍‌ଲାର ସୂତ୍ରପାତ ଦେଖିବାକୁ ମିଳେ, ତା’ର ଜବାବ ବିଜେପି ନେତାଙ୍କ ପାଖରେ ଅଛି ତ?

ଶେଷରେ ଏତିକି ଜଣାଇ ଦେଉଛୁ ଯେ ଏପ୍ରିଲ ୨୨ ତାରିଖରେ ଆମର ୨୬ ଜଣ ମା’ ସେମାନଙ୍କ ମଥାର ସିନ୍ଦୁର ହରାଇଥିଲେ । ତେବେ ମେ’ ୭ ତାରିଖ ରାତିରେ ଭାରତର ବାୟୁସେନା ଆକ୍ରମଣର ପାଲଟା ଜବାବରେ ଭାରତ ଚାରିଜଣ ଶିଶୁଙ୍କ ସମେତ ୧୫ ଜଣ ନିରୀହ ଜନତାଙ୍କୁ ହରାଇଲା । ଜଣେ ସେନା ଯବାନଙ୍କୁ ହରାଇଲା । ସେଥିପାଇଁ ନରେନ୍ଦ୍ର ମୋଦି, ଅମିତ ଶାହ କି ରାଜନାଥ ସିଂ ନିଜକୁ କେବେ ଦାୟୀ କରିବେନି । କାରଣଟା ଆପଣମାନେ ସମସ୍ତେ ଜାଣିଛନ୍ତି।