ଲସଏଞ୍ଜେଲ୍ସ: ମାତ୍ର ତିନି ମାସ ତଳେ ଟିକଟକ୍ ସିଇଓ ଭାବେ ଯୋଗ ଦେଇଥିବା କେଭିନ୍ ମେୟର ଇସ୍ତଫା ଦେଇଛନ୍ତି। ଚୀନ କମ୍ପାନୀ ବାଇଟଡାନ୍ସ ମାଲାକାନାରେ ଥିବା ଏହି ଭିଡିଓ ଆପ୍ ପ୍ଲାଟଫର୍ମ ଆମେରିକାରେ ବଡ଼ ଚ୍ୟାଲେଞ୍ଜର ସାମ୍ନା କରୁଛି।
ଇସ୍ତଫା ବାବଦରେ ମେୟର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ରାଜନୈତିକ ପରିବେଶ ବହୁତ ବଦଳିଛି। କର୍ପୋରେଟ ସ୍ତରରେ ଯେଉଁସବୁ ଗଠନମୂଳକ ପରିବର୍ତ୍ତନ କରାଯିବା କଥା ତାହା ମୁଁ କରିଛି। ଯାହାର ବଡ଼ ଦାୟିତ୍ୱ ମୋତେ ମିଳିଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ ୧ ତାରିଖରେ ହିଁ କେଭିନ୍ ଟିକଟକ୍ ସିଇଓ ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେ ୱାଲ୍ଟ ଡିସନୀରେ ଆଗଧାଡ଼ିର କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟିକଟିକକୁ ଆମେରିକାର ସୁରକ୍ଷା ପ୍ରତି ବିପଦ ବୋଲି କହୁଛନ୍ତି। ଏଥିସହ ୯୦ ଦିନ ମଧ୍ୟରେ ଆମେରିକୀୟ ଅଂଶଧନ ବିକ୍ରି କରିବାକୁ ସେ ବାଇଟଡାନ୍ସକୁ ନୋଟିସ୍ ଦେଇଛନ୍ତି। ଏପରି ନହେଲେ ସେପ୍ଟେମ୍ବରରେ ଏହି ଆପ୍ ଆମେରିକାରେ ବ୍ୟାନ କରାଯିବ ବୋଲି ଟ୍ରମ୍ପଙ୍କ ଚେତାବନୀ ରହିଛି। ପୂର୍ବରୁ ଭାରତ ମଧ୍ୟ ଟିକଟକ୍ ସମେତ ୫୯ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଛି।
ଏପଟେ ଆମେରିକା ଏବଂ ଭାରତରେ ଦେଖାଦେଇଥିବା ସମସ୍ୟା ସୁଧାରିବା ନେଇ ଚେଷ୍ଟା ଜାରି ରହିଥିବା କହିଛନ୍ତି ବାଇଟଡାନ୍ସ ପ୍ରତିଷ୍ଠାତା ଏବଂ ସିଇଓ ଝାଙ୍ଗ୍ ୟିମିଙ୍ଗ୍। କେଭିନ୍ଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ଆମେରିକା ପାଇଁ ସଂସ୍ଥାର ଜେନେରାଲ ମ୍ୟାନେଜର ଥିବା ଭାନେସା ପାପସଙ୍କୁ ଟିକଟକର ନୂଆ ସିଇଓ ଭାବେ ଅବସ୍ଥାପିତ କରାଯାଇଛି।