ମହାନଦୀରେ ଆସୁଛି ବଡ଼ ବନ୍ୟା!

ଭୁବନେଶ୍ୱର(ଏସ୍ ନ୍ୟୁଜ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହିରାକୁଦ ଜଳଭଣ୍ଡାରର ଜଳସ୍ତର ବହୁତ ବଢ଼ିଛି। ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଆଗକୁ ୩୬ଟି ଗେଟ୍ ଖୋଲାଯିବ। ଏହାର ପ୍ରଭାବରେ ମହାନଦୀରେ ମଧ୍ୟମରୁ ବଡ଼ ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଜଣାଇଛନ୍ତି।

ଉପର ମୁଣ୍ଡରେ ପାଖାପାଖି ୨୦୦ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ଆଜି ହିରାକୁଦରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିବ ଏବଂ ଏଠାରୁ ତଳ ମୁଣ୍ଡକୁ ୬ ଲକ୍ଷ କ୍ୟୁସେକ୍ ଜଳ ଛଡାଯିବ। ଏବେ ଜଳସ୍ତର ୬୨୫ ଫୁଟ୍ ରହିଥିବା ବେଳେ ୨୮ଟି ଗେଟ୍ ଜରିଆରେ ୪ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳୀ ଠାରେ ପାଖାପାଖି ୧୦ ଲକ୍ଷ କ୍ୟୁସେକ୍ ପାଣି ପ୍ରଭାହିତ ହେବ। ଏହା ତଳିଆ ଅଞ୍ଚଳକୁ ପ୍ରବେଶ କରିବ ବୋଲି ଶ୍ରୀ ରଥ କହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ମହାନଦୀ, ଜଳକା ଆଦି ନଦୀରେ ବନ୍ୟା ଆସିଛି। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହ, କେନ୍ଦ୍ରାପଡା, ନୟାଗଡ଼, କଟକ ଆଦି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ବନ୍ୟାରେ ଭଦ୍ରକ ଜିଲ୍ଲା ଭଣ୍ଢାରିପୋଖରୀର ୭ଟି ପଞ୍ଚାୟତ ଓ ଧାମନଗର ବ୍ଳକକ ଅଧିକ ପ୍ରଭାବିତ ହୋଇଛି।