ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଓ ଆମେରିକା ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଭୟଙ୍କର ରୂପ ନେଇଛି। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତେଳ ଧମନୀ କୁହାଯାଉଥିବା ହରମୁଜ୍ ପ୍ରଣାଳୀକୁ ବନ୍ଦ କରିବା ଲାଗି ଇରାନ ନିର୍ଦ୍ଦେଶ ଦେଇଛି। ଏହି ପ୍ରଣାଳୀର ଚଉଡା ମାତ୍ର ୨୧ ମାଇଲ। କିନ୍ତୁ ଏହି ଅଣଓସାରିଆ ଓ ଅଗଭୀର ଜଳମାର୍ଗ ଦେଇ ଦୈନିକ ପ୍ରାୟ ୨୦ ନିୟୁତ ବ୍ୟାରେଲ୍ ତେଲ ପରିବହନ ହୋଇଥାଏ।
ବିଶ୍ୱର ୨୦ ପ୍ରତିଶତ ତୈଳ ଓ ଏଲ୍ଏନ୍ଜି ଏହି ବାଟେ ବିଶ୍ୱ ବଜାରକୁ ଯାଇଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଇରାନ ସଂପୂର୍ଣ୍ଣ ଭାବେ ଏହି ପ୍ରଣାଳୀକୁ ବନ୍ଦ କରିବା ସମ୍ଭାବନା କମ୍। ମାତ୍ରା ଯାହା ହେଉ ନା କାହିଁକି ବିଶ୍ୱର ଶକ୍ତି ଯୋଗାଣ ଉପରେ ଏହାର ବଡ ପ୍ରଭାବ ପଡିବ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଘଟିବ। ହରମୁଜ୍ ପ୍ରଣାଳୀରେ ତେଲ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଲେ ଆଇଓସିଏଲ୍, ବିପିସିଏଲ୍ ଏବଂ ଏଚ୍ପିସିଏଲ୍ ଭଳି ଭାରତର ତୈଳ କମ୍ପାନିଗୁଡିକ କ୍ଷତି ସହିବେ କାରଣ ଏହି କମ୍ପାନିଗୁଡିକର ଲାଭ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉପରେ ନିର୍ଭରଶୀଳ।
ଅଶୋଧିତ ତେଲ ଦର ଯଦି ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି ଘଟେ ତା’ ହେଲେ ତୈଳ କମ୍ପାନିଗୁଡିକର ଲାଭ ଲିଟର ପିଛା ୫୦ ପଇସା କମିବ। ଯଦି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ଉପରେ ଦୀର୍ଘଦିନ ଧରି ରହେ ତାହେଲେ ଭାରତୀୟ ତୈଳ କମ୍ପାନିଗୁଡିକ କରୁଥିବା ସ୍ୱାଭାବିକ ଲାଭ (ଲିଟର ପିଛା ୩ ଟଙ୍କା ୫୦ ପଇସା) ସଂପୂର୍ଣ୍ଣ ଧୋଇଯିବ।
ତେଲଦର ବୃଦ୍ଧି ଏବଂ ଆକାଶ ମାର୍ଗ ବନ୍ଦ କାରଣରୁ ଭାରତର ବିମାନ ସେବା ଶିଳ୍ପ ପ୍ରଭାବିତ ହେବ। ଏୟାରଲାଇନ୍ସଗୁଡିକର ମୋଟ ପରିଚାଳନା ଖର୍ଚ୍ଚର ୪୦ ପ୍ରତିଶତ ହେଉଛି ବିମାନ ଇନ୍ଧନ ବା ଏଟିଏଫ୍। କ୍ରମାଗତ ଭାବେ ୩ ମାସ ହେଲା ଏଟିଏଫ୍ ଦର ବୃଦ୍ଧି ଘଟୁଛି। ସଂପ୍ରତି ଦିଲ୍ଲୀରେ ଏହାର ଦର କିଲୋଲିଟର ପିଛା ୧ ଲକ୍ଷ ଟଙ୍କା ରହିଛି। ଯଦି ଏଟିଏଫ୍ ଅଧିକ ବଢେ଼ ତା’ହେଲେ ଏୟାରଲାଇନ୍ସଗୁଡିକ ସେ ବାବଦ ଆର୍ଥିକ ବୋଝକୁ ଗ୍ରାହକଙ୍କ ଉପରେ ଲଦିବେ। ଏହାହେଲେ ବିମାନ ଯାତ୍ରା ମହଙ୍ଗା ହେବା ଆଶଙ୍କା ରହିଛି।
ଅଶୋଧିତ ତେଲ ଦରବୃଦ୍ଧି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଅଶୋଧିତ ତେଲ ଦର ବୃଦ୍ଧି ଘଟିଲେ ସରକାର ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ଉତ୍ପାଦ ଶୁଳ୍କ ହ୍ରାସ କରିପାରନ୍ତି। କିନ୍ତୁ ଏହା ହେଲେ ସରକାରଙ୍କ ରାଜସ୍ୱ ହ୍ରାସ ପାଇ ଆର୍ଥିକ ସଂକଟ ବଢ଼ିବ। ଅନ୍ୟପକ୍ଷରେ ସରକାର ଯଦି ଉତ୍ପାଦ ଶୁଳ୍କ ନ କମାଇବେ ତା ହେଲେ ଖାଉଟି ଅଧିକ ଦାମରେ ପେଟ୍ରୋଲ, ଡିଜେଲ କିଣିବେ। ଏହାଦ୍ୱାରା ଦେଶରେ ଦରଦାମ ବା ମୁଦ୍ରାସ୍ଫୀତି ବଢ଼ିବ। ତେଣୁ ଉତ୍ପାଦ ଶୁଳ୍କ ହ୍ରାସ କିମ୍ବା ଖାଉଟିଙ୍କ ଉପରେ ବୋଝ ଲଦାଯିବ ସେ ନେଇ ନିଷ୍ପତି ନେବା ଲାଗି ସରକାର ଦ୍ୱନ୍ଦ୍ୱରେ ପଡିପାରନ୍ତି।