ଫେବ୍ରୁଆରି ୭ ତାରିଖରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ ପଟ୍ଟନାୟକ ମହାନଦୀ ସଂପର୍କରେ ଉଲ୍ଲେଖ କରିଛନ୍ତି । ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ବିବାଦର ସମାଧାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଟ୍ରିବୁ୍ୟନାଲ୍ ସମ୍ମୁଖରେ ରାଜ୍ୟ ସରକାର ଯଥାଯଥ ଭାବରେ ପ୍ରତିନିଧିତ୍ୱ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଓ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ମହାନଦୀ ଆମ ମା’, ଓଡିଶାର ଜୀବନରେଖା । ଲକ୍ଷ ଲକ୍ଷ ଚାଷୀ, ମସô୍ୟଜୀବୀ ତଥା ଅଗଣିତ ଓଡିଆଙ୍କ ଜୀବନର ସ୍ରୋତ । ଏହାର ସୁରକ୍ଷାରେ ସାଲିସକୁ ଓଡିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ସେ ପୁଣି ଲେଖିଛନ୍ତି, ମହାନଦୀ ବଂଚାଇବା ପାଇଁ ପ୍ରତିଟି ଓଡିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଜୋରଦାର ହେବ ।
ଓଡିଶା ସରକାର ଟ୍ରିବୁ୍ୟନାଲ୍ ପାଖରେ ତତ୍ପର ହୁଅନ୍ତୁ, ଏଥିପାଇଁ ନବୀନ ବାବୁଙ୍କ ଉଦ୍ବେଗ ଯଥାର୍ଥ ଓ ପ୍ରଶଂସନୀୟ । କିନ୍ତୁ ମହାନଦୀ ବିପର୍ଯ୍ୟୟର ମୂଳଟି କେଉଁଠି; ଓଡିଶା ପାଇଁ ଏହି ମହାବିପତି କାରଣ କ’ଣ ଓ କର୍ତା କିଏ? ଏହି ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ସତ୍ୟ ବିଷୟରେ ଚର୍ଚ୍ଚା କରାଯିବା ଓ ତାହାକୁ ଅବିକଳ ଭାବରେ ଲିପିବଦ୍ଧ କରିବା ଆବଶ୍ୟକ । ଏହାଦ୍ୱାରା ଶାସନରେ ଅଧିଷ୍ଠିତ ହେଉଥିବା ରାଜନେତାମାନଙ୍କର ଅସାଧୁତା ଓ ଅପାରଗତା ସମ୍ବନ୍ଧରେ ରାଜ୍ୟବାସୀ ଓ ଉତରପିଢ଼ି ଜାଣିପାରିବେ । ୨୦୦୦ ମସିହା ପର୍ଯ୍ୟନ୍ତ ମହାନଦୀ ଥିଲା ଚିରସ୍ରୋତା । ଏବେ ବର୍ଷା ଋତୁର ଦିନ କେଇଟାକୁ ବାଦ୍ ଦେଲେ ତାହା ପାଲଟିଚି ଧୂସର ବାଲୁକା ଶଯ୍ୟା; ମରୁଭୂମି । ମହାନଦୀ ଓଡିଶାର ଜୀବନ-ସଂଜୀବନୀ; ସିଧାସଳଖ ୧୬ଟି ଜିଲ୍ଲାର ପାଖାପାଖି ୩ କୋଟି ଲୋକ ମହାନଦୀ ଉପରେ ନିର୍ଭର କରିଥାନ୍ତି । ଅପ୍ରିୟ ସତ୍ୟଟି ହେଉଛି ନବୀନ ବାବୁଙ୍କ ଅମଳରେ ହିଁ ମହାନଦୀକୁ ହତ୍ୟା କରାଯାଇଛି ।
୨୦୦୦ ମସିହାରୁ ୨୦୨୪, ପୂରା ଦୁଇଟା ଯୁଗ; ନବୀନ ବାବୁଙ୍କୁ ଓଡିଶାବାସୀ ମୁଣ୍ଡରେ ବସେଇଥିଲେ । ପ୍ରତି ନିର୍ବାଚନରେ ଅଧିକ ଭୋଟ ବ୍ୟବଧାନରେ ତାଙ୍କ ଦଳକୁ ବିଜୟୀ କରୁଥିଲେ । ରାଜ୍ୟ ପ୍ରତି ଦାୟିତ୍ୱବୋଧ ଥିବା ଯେ କେହି ବିଚାରବନ୍ତ ଶାସନମୁଖ୍ୟ ୨୪ ବର୍ଷର ଲମ୍ବା ଓ ନିରଙ୍କୁଶ ଅବଧିର ବିରଳ ଓ ବିଶାଳ ସୁଯୋଗକୁ ଯୋଜନାବଦ୍ଧ ଭାବରେ ଉପଯୋଗ କରି ରାଜ୍ୟକୁ ସକଳ ଦିଗରୁ ସମୃଦ୍ଧିର ଆଖି ଖୋସି ହୋଇଗଲା ପରି ଉଚ୍ଚତାରେ ପହଂଚାଇ ପାରିଥାଆନ୍ତେ । କିନ୍ତୁ ତାହା ଘଟିଲା ନାହିଁ । ବରଂ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଆଦି ବିକାଶର ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘସୂତ୍ରୀ ମୌଳିକ କ୍ଷେତ୍ରଗୁଡିକ ଅବହେଳିତ ହେଲା, ଅବକ୍ଷୟ ଘଟିଲା । ଚବିଶ ବର୍ଷ ମଧ୍ୟରେ ଛତିଶଗଡ ସରକାର ‘ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରି ହୀରାକୁଦର ଉପର ମୁଣ୍ଡରେ ମହାନଦୀରେ ମନଇଚ୍ଛା ଅନେକ ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ କରି ଏକତରଫା ଭାବରେ ମହାନଦୀର ବିପୁଳ ଜଳରାଶିକୁ ନିଜ ରାଜ୍ୟର ବିକାଶରେ ବ୍ୟବହାର କଲା । କିନ୍ତୁ ନବୀନ ବାବୁ ତାଙ୍କ ୨୪ ବର୍ଷର ଶାସନରେ ହୀରାକୁଦର ତଳ ମୁଣ୍ଡରେ ଗୋଟିଏ ଆନିକଟ ନିର୍ମାଣ ସମ୍ବନ୍ଧରେ ଚିନ୍ତା ସୁଦ୍ଧା କଲେ ନାହିଁ । ଏଣେ, ଛତିଶଗଡର ବେଆଇନ ଦୌରାତ୍ମ୍ୟକୁ ନିରବରେ ସମର୍ଥନ କରାଗଲା ଓ ସେ ରାଜ୍ୟ ପ୍ରଶ୍ରୟ ପାଇଥିଲା ।
ଶୁଣାଯାଏ ଯେ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ନବୀନବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲା ପରେ ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ମହାନଦୀ ପ୍ରତି ଥିବା ସମ୍ଭାବ୍ୟ ବିପଦ ସଂପର୍କରେ ତାଙ୍କୁ ଅବଗତ କରାଯାଇଥିଲା । ଦାୟିତ୍ୱ ନେବାର ୪ ମାସ ପରେ, ଅର୍ଥାତ ଜୁଲାଇ ମାସ ୭ ତାରିଖରେ ନବୀନ ବାବୁ ଭାରତ ସରକାରଙ୍କ ଜଳସଂପଦ ମନ୍ତ୍ରୀଙ୍କୁ ଏକ ଚିଠି (ଚିଠି ନମ୍ବର – ଊଙ ଘଙ ଟଗ ୩୫/୨୦୦୦/୪୪୪ଉଗ । ବିଷୟ: ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ସମସ୍ୟା) ଲେଖିଥିଲେ । ୨୦୧୨ ମସିହାରେ ଭାରତ ସରକାରଙ୍କ ଜଳସଂପଦ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ‘ହୀରାକୁଦ: ଇଟ୍ସ ବ୍ୟାକ୍ଗ୍ରାଉଣ୍ଡ ଆଣ୍ଡ୍ ପର୍ଫମାନ୍ସ’ ପୁସ୍ତକରେ ଚିଠିଟି ସ୍ଥାନିତ ହୋଇଚି । ସେତେବେଳେ ଛତିଶଗଡ ରାଜ୍ୟ ସୃଷ୍ଟି ହୋଇ ନ ଥିଲା । ତାହା ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଥିଲା ଓ ସେହି ବର୍ଷ ନଭେମ୍ବର ୧ ତାରିଖରେ ଛତିଶଗଡର ଜନ୍ମ । ସେହି ଚିଠିରେ ଉଲ୍ଲେଖ ଥିଲା; ମଧ୍ୟପ୍ରଦେଶ ସରକାର ହୀରାକୁଦର ଉପର ମୁଣ୍ଡରେ ୮ଟି ବୃହତ୍ ଡ୍ୟାମ୍, ୨୨ଟି ମଧ୍ୟମ ଡ୍ୟାମ୍ ଓ ୧୦ଟି ବ୍ୟାରେଜ ନିର୍ମାଣ କରିସାରିଲାଣି ଏବଂ ଚାରିଟି ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣାଧୀନ ଅଛି । ଓଡିଶା ପାଇଁ ସେଗୁଡିକ ସମସ୍ୟା ବୋଲି ସୂଚିତ କରି କେନ୍ଦ୍ର ସରକାର ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଥିଲା । ସେତେବେଳେ ଆମ ରାଜ୍ୟ ସପକ୍ଷରେ ସୁବର୍ଣ୍ଣ ସୁଯୋଗ ଥିଲା; ଆମ ସ୍ୱାର୍ଥ ଆମ ହାତମୁଠାରେ ଥିଲା । କେନ୍ଦ୍ର ସରକାରରେ ଜଳସଂପଦ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ ଶ୍ରୀ ଅର୍ଜୁନ ଚରଣ ସେଠୀ । ଅର୍ଜୁନ ବାବୁ ବିଜୁ ଜନତା ଦଳରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ନବୀନ ବାବୁଙ୍କ ସୁପାରିସରେ ସେ ବାଜପେୟୀଜୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରିତ୍ୱ ପାଇଥିଲେ । ରାଜ୍ୟରେ ବିଜୁ ଜନତା ଦଳ ସହିତ ମେଂଟ କରି ବିଜେପି ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିଲା ଏବଂ ରାଜ୍ୟ ଓ କେନ୍ଦ୍ରରେ ମେଂଟ ସରକାର ଚାଲିଥିଲା । କେନ୍ଦ୍ରରେ ବାଜପେୟୀଜୀଙ୍କ ସରକାର ୨୦୦୩ ମସିହା ଶେଷ ପର୍ଯ୍ୟନ୍ତ ଶାସନରେ ଥିଲା । ନବୀନ ବାବୁ ଚାହିଁଥିଲେ ସେଇଠି ସବୁ ସମସ୍ୟାର ପୂର୍ଣ୍ଣଚ୍ଛେଦ ପଡିଥାଆନ୍ତା । କିନ୍ତୁ ସେପରି ହେଲା ନାହିଁ । ସେଦିନ ଯାହା ନଖରେ ଛିଡି ଥାଆନ୍ତା, ଆଜି ତାହା କୁରାଢ଼ିରେ ସୁଦ୍ଧା ଛିଡୁନାହିଁ ।
୨୦୧୦ ମସିହା, ଅଗଷ୍ଟ ୫ ତାରିଖରେ ସୁକିନ୍ଦାର ଯୁବ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଛତିଶଗଡ ସରକାରଙ୍କ ଦ୍ୱାରା ହୀରାକୁଦର ଉପର ମୁଣ୍ଡରେ ନିର୍ମାଣ କରାଯାଉଥିବା ଡ୍ୟାମ୍ ଓ ବ୍ୟାରେଜ ଇତ୍ୟାଦି ସଂପର୍କରେ ଉଲ୍ଲେଖ କରି ଓଡିଶା ଉପରେ ତାହାର ପ୍ରଭାବ କ’ଣ ବୋଲି ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ସେହି ପ୍ରଶ୍ନଟି ଜଳସଂପଦ ବିଭାଗ ସଂପର୍କିତ ଓ ଜଳସଂପଦ ବିଭାଗଟି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିଲା । ତେବେ ସେ ଦିନ ସେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଜବାବ ଦେଇଥିଲେ ମନ୍ତ୍ରୀ ରଘୁନାଥ ମହାନ୍ତି । ସେ କହିଥିଲେ, ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡରେ ଯେଉଁ ପ୍ରକଳ୍ପଗୁଡିକ ନିର୍ମାଣ କରୁଛି, ତଦ୍ଦ୍ୱାରା ଓଡିଶା ପ୍ରତି କୌଣସି ବିପଦ ନାହିଁ । ରଘୁ ବାବୁଙ୍କ ବିଧାନସଭା ବକ୍ତବ୍ୟର ଗୋଟିଏ ବର୍ଷ ପରେ ୨୦୧୧ ମସିହାରେ ରାଜ୍ୟ ଜଳସଂପଦ ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଖୁବ୍ ଦୃଢ଼ ସ୍ୱରରେ ବିବୃତି ଦେଲେ; ଛତିଶଗଡ ମହାନଦୀରେ ଆଉ ୧୦୦ଟି ଆନିକଟ ନିର୍ମାଣ କଲେ ସୁଦ୍ଧା ଓଡିଶା ପ୍ରତି କୌଣସି ବିପଦ ନାହିଁ । କିନ୍ତୁ, ମହାନଦୀ ସଂକ୍ରାନ୍ତ ରାଜ୍ୟ ସ୍ୱାର୍ଥ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସତ୍ୟର ସଂପୂର୍ଣ୍ଣ ବିପରୀତ ତଥ୍ୟ ପ୍ରଦାନ କରି ରାଜ୍ୟକୁ ବିଭ୍ରାନ୍ତ କରାଯାଇଥିଲା । ୨୦୦୦ ମସିହାରେ ନବୀନ ବାବୁଙ୍କ ଚିଠିରେ ମହାନଦୀକୁ ନେଇ ଓଡିଶା ପ୍ରତି ସମସ୍ୟା ସୃଷ୍ଟି ହେଉଥିବା କଥା ତଥ୍ୟଯୁକ୍ତ ଭାବରେ ଉଲ୍ଲେଖ ଥିବା ବେଳେ ଏବଂ ଆମ ପଡୋଶୀ ରାଜ୍ୟଟିରେ କ୍ରମାଗତ ଭାବରେ ବହୁ ସଂଖ୍ୟାରେ ବେଆଇନ ନିର୍ମାଣ କରାଯାଉଥିବା ସତ୍ୱେ ୨୦୧୦ ଓ ୨୦୧୧ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ବିପରୀତ କଥା କୁହାଗଲା ।
ଏହା ବିସ୍ମୟକର ନୁହେଁ କି? ଏହା ରାଜ୍ୟବାସୀଙ୍କ ସହିତ ଏକ ମାରାତ୍ମକ ବିଶ୍ୱାସ ଭଙ୍ଗ ଭଳି ହୋଇ ନ ଥାଏ କି?
୨୦୧୬ ମସିହା ମଧ୍ୟଭାଗରେ ମହାନଦୀ ସମସ୍ୟାକୁ ନେଇ ଜନସାଧାରଣଙ୍କ ପକ୍ଷରୁ ସ୍ୱର ଉଠିଲା । ବିରୋଧୀ ରାଜନୈତିକ ଦଳଗୁଡିକ ପକ୍ଷରୁ ଚାପ ସୃଷ୍ଟି କରାଗଲା । ଜୁଲାଇ ୨୬ ତାରିଖରେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳର ଏକ ପ୍ରତିନିଧି ଗାଷ୍ଠୀ ଛତିଶଗଡ ଯାଇ ସରଜମିନ ଅନୁଧ୍ୟାନ କଲା ପରେ ପରିସ୍ଥିତିର ଗମ୍ଭୀରତା ସ୍ପଷ୍ଟ ହୋଇଗଲା । କଂଗ୍ରେସର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ନଦୀ ବିବାଦର ସମାଧାନ ନିମନ୍ତେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏତେସବୁ ସତ୍ୱେ ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଅଂଟା ଭିଡିଲେ ନାହିଁ । ବରଂ ମହାନଦୀ ସଂକଟକୁ ରାଜନୈତିକ ଗୋଟିରେ ପରିଣତ କରି ୨୦୧୭ ମସିହା ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ୨୦୧୯ ମସିହାର ସାଧାରଣ ନିର୍ବାଚନରେ ଦଳୀୟ ଫାଇଦା ପାଇଁ ଖସଡା ତିଆରି କରାଗଲା । ଲୋକଙ୍କ ଭିତରେ ରାଜନୀତିକ ଭାବପ୍ରବଣତା ତିଆରି କରାଗଲା । ବାଜା ବଜେଇ ବଜେଇ ବିଜୁ ଜନତା ଦଳର ନେତାମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଛତିଶଗଡ ଗଲେ । ଦଳର ମହିଳା କର୍ମୀମାନେ ମହାନଦୀ କୂଳେକୂଳେ କଳସ ଶୋଭଯାତ୍ରା କଲେ । ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସି ହାସ୍ୟାସ୍ପଦ ପରିବେଶ ସୃଷ୍ଟି କଲେ । କେନ୍ଦ୍ର ସରକାରଙ୍କ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଜରିଆରେ ନଦୀ ବିବାଦର ସମାଧାନ ପ୍ରସ୍ତାବକୁ ଓଡିଶା ଅସ୍ୱୀକାର କଲା । ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ବସିଥିବା ବୈଠକକୁ ଯିବା ପୂର୍ବ ଦିନ ସାରା ଓଡିଶାରୁ ହଜାର ହଜାର ଦଳୀୟ କର୍ମୀ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ଆଣି ଭୁବନେଶ୍ୱର ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀଙ୍କୁ ଯୁଦ୍ଧ ଯାତ୍ରା ଗଲା ଭଳି ଆଡମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନାର ନାଟକ ରଚନା କରାଗଲା । ସତ କଥା ହେଲା, ନବୀନ ବାବୁ ଚାହିଁଥିଲେ ଦୀର୍ଘ କାଳ ଧରି ଚାଲିଥିବା ଛତିଶଗଡ ସ୍ୱେଚ୍ଛାଚାରିତାର ସ୍ଥାୟୀ ଯବନିକା ସେହି ୨୦୧୬ ମସିହାରେ ହିଁ ପଡି ପାରି ଥାଆନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେତେବେଳେ ବିଜୁ ଜନତା ଦଳର ଖୁବ୍ ସୁନ୍ଦର ବୁଝାମଣା ଥିଲା । ବିଜୁ ଜନତା ଦଳ ପ୍ରତ୍ୟେକ ପ୍ରସଙ୍ଗରେ ପାର୍ଲାମେଂଟରେ ଭାରତ ସରକାରଙ୍କୁ ନିଃସର୍ତ ସମର୍ଥନ ଦେଉଥିଲା ଏବଂ କେନ୍ଦ୍ର ସରକାରଙ୍କ ପାଇଁ ବିଜୁ ଜନତା ଦଳର ସମର୍ଥନ ନିହାତି ଆବଶ୍ୟକ ଥିଲା । ନେଡ଼ିଗୁଡ଼ କହୁଣିକୁ ବୋହି ସାରିବା ପରେ ଏବେ ନବୀନ ବାବୁ ମିଛ କାନ୍ଦଣା କାନ୍ଦୁଛନ୍ତି!
ଶେଷରେ କେନ୍ଦ୍ର ସରକାର ୨୦୧୮ ମସିହା ମାର୍ଚ୍ଚ ମାସରେ ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁ୍ୟନାଲ୍ ଗଠନ କରିଛନ୍ତି ।ଦେଶରେ ବିଭିନ୍ନ ସମୟରେ ନଦୀ ବିବାଦ ଟ୍ରିବୁ୍ୟନାଲ୍ଗୁଡିକର ଜଟିଳ ଦିଗ ସଂପର୍କିତ ଇତିହାସ ଆମେ ସମସ୍ତେ ଜାଣିଚେ । ତେବେ ନିଷ୍ପତି ନିକଟରେ ବା ବିଳମ୍ବରେ, ଯେବେ ବି ହେଉ, ମହାନଦୀ ତାହାର ପୂର୍ବ ରୂପ-ବିଭବ ଫେରି ପାଇବ ନାହିଁ; ଓଡିଶାର କ୍ଷତି କେବେ ବି ସଂପୂର୍ଣ୍ଣ ଭରଣା ହୋଇପାରିବ ନାହିଁ ।ସତ କହିଲେ ମହାନଦୀ ହେଉଛି ନବୀନ ବାବୁଙ୍କ ରାଜନୀତିକ ଜୀବନର ଏକ ଗହୀରିଆ କଳାଚିହ୍ନ ।
ମହାନଦୀ ପାଇଁ କ୍ଷତିଗ୍ରସ୍ତ ଓଡିଶା ଏହି କଥାକୁ କସ୍ମିନ କାଳେ ପାସୋରି ଯିବ ନାହିଁ ।