‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ବଜେଟ୍‌; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

ଭାରତ ଏକ ନବସୃଜନ-ଭିତ୍ତିକ ଅର୍ଥନୀତି ଆଡକୁ ଗତି କରୁଛି: ପ୍ରଧାନମନ୍ତ୍ରୀ

ପ୍ରତିରୋଧକ ଓ ସାମଗ୍ରିକ ସ୍ବାସ୍ଥ୍ୟ ଚିନ୍ତାଧାରା ଉପରେ ଭାରତ କାର୍ୟ୍ୟକରୁଛି: ପ୍ରଧାନମନ୍ତ୍ରୀ

ଗତ କିଛି ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି; ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ମାଧ୍ୟମରେ, ଶହ ଶହ ଜିଲ୍ଲାରେ ମେଡିକାଲ କଲେଜ ସହ ପ୍ରତ୍ୟେକ ଗାଁକୁ ସ୍ୱାସ୍ଥ୍ୟ ସେବାର ପହଞ୍ଚ ବୃଦ୍ଧି ପାଇଛି: ପ୍ରଧାନମନ୍ତ୍ରୀ

ଆମର ଯୋଗ ଓ ଆୟୁର୍ବେଦ ସମଗ୍ର ବିଶ୍ବରେ ଲୋକପ୍ରିୟ ହେଉଛି: ପ୍ରଧାନମନ୍ତ୍ରୀ

ଆମକୁ ଆମର ଶିକ୍ଷା ବ୍ୟବସ୍ଥାକୁ ପ୍ରକୃତ ଅର୍ଥନୀତି ସହିତ ଯୋଡ଼ିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ; ଆମକୁ ଏଆଇ ଏବଂ ଅଟୋମେସନ, ଡିଜିଟାଲ୍ ଅର୍ଥନୀତି ଏବଂ ଡିଜାଇନ୍-ଚାଳିତ ଉତ୍ପାଦନ ଭଳି ବିଷୟଗୁଡ଼ିକ ଉପରେ ଆମର ଗୁରୁତ୍ବ ବୃଦ୍ଧି କରିବାକୁ ପଡିବ: ପ୍ରଧାନମନ୍ତ୍ରୀ

ଆମେ ଭବିଷ୍ୟତର ଜ୍ଞାନକୌଶଳ ଆଡକୁ ଗତି କରୁଥିବାବଳେ, କୌଣସି ଝିଅ ଯେପରି ସୁଯୋଗ ଅଭାବରୁ ପଛରେ ନରୁହେ ତାହା ନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ଗତ କିଛି ବର୍ଷ ମଧ୍ୟରେ, କ୍ରୀଡାକୁ ଜାତୀୟ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଧାରା ଭାବରେ ଦେଖାଯାଉଛି, ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଦେଶର କ୍ରୀଡା ଇକୋସିଷ୍ଟମକୁ ନୂତନ ଶକ୍ତି ଦେଇଛି ଏବଂ ସାରା ଦେଶରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ପରବର୍ତ୍ତୀ ୱେବିନାର ସିରିଜର ଚତୁର୍ଥ ୱେବିନାରରେ “ସବକା ସାଥ ସବକା ବିକାଶ – ଲୋକଙ୍କ ଆକାଂକ୍ଷା ପୂରଣ” ବିଷୟ ଉପରେ ଆଲୋଚନା କରିଥିଲେ। ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପର୍ୟ୍ୟଟନ, କ୍ରୀଡା ଏବଂ ସଂସ୍କୃତି କ୍ଷେତ୍ରକୁ ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରମୁଖ ମାଧ୍ୟମ ଭାବରେ ବର୍ଣ୍ଣନା କରି, ଶ୍ରୀ ମୋଦୀ ବଜେଟ୍ ଘୋଷଣାଗୁଡ଼ିକର ପ୍ରଭାବୀ କାର୍ୟ୍ୟାନ୍ୱୟନ ବିଷୟରେ ଆଲୋଚନା କରିବାକୁ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ, “ଜନତାଙ୍କ ଆକାଂକ୍ଷା ପୂରଣ କରିବା କେବଳ ଏକ ବିଷୟ ନୁହେଁ; ଏହା ଏହି ବଜେଟର ମୂଳ ଲକ୍ଷ୍ୟ ଏବଂ ଏହି ସରକାରଙ୍କ ସଂକଳ୍ପ।”

ପ୍ରତିରୋଧକ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ସୁଦୃଢ଼ୀକରଣ ଏବଂ ବିଶ୍ବରେ ଯୋଗ ଏବଂ ଆୟୁର୍ବେଦର ଲୋକପ୍ରିୟତା କଥା ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶହ ଶହ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯାଇଛି; ଏବଂ ଆୟୁଷ୍ମାନ ଭାରତ ଯୋଜନା ଏବଂ ଆରୋଗ୍ୟ ମନ୍ଦିର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସଂପ୍ରସାରିତ ହୋଇଛି। ସେ ବିଶେଷ ଭାବରେ ଉଦୀୟମାନ ‘ଯତ୍ନ ଅର୍ଥନୀତି’ ଏବଂ ବିଶ୍ୱସ୍ତରରେ ଯତ୍ନ ନେଉଥିବା ଲୋକଙ୍କ ପାଇଁ ବର୍ଦ୍ଧିତ ଚାହିଦା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ନୂତନ ତାଲିମ ମଡେଲ ବିକଶିତ କରିବାକୁ ବିଶେଷଜ୍ଞମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, “ମୁଁ ଏହି ୱେବିନାରରେ ଉପସ୍ଥିତ ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷଜ୍ଞମାନଙ୍କୁ ଦେଶରେ ତାଲିମ ଇକୋସିଷ୍ଟମକୁ ଆହୁରି ମଜବୁତ କରିବା ପାଇଁ ନୂତନ ତାଲିମ ମଡେଲ ଏବଂ ସହଭାଗୀତା ପରାମର୍ଶ ଦେବାକୁ ଅନୁରୋଧ କରିବି।”

ସ୍ୱାସ୍ଥ୍ୟସେବାରେ ଡିଜିଟାଲ ରୂପାନ୍ତରଣ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚିବାରେ ଟେଲିମେଡିସିନର ସଫଳତା କଥା କହିଥିଲେ। ଏହାର ବର୍ଦ୍ଧିତ ଲୋକପ୍ରିୟତାକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ଉପଭୋକ୍ତା ଅଭିଜ୍ଞତାକୁ ଆହୁରି ସରଳ କରିବା ଏବଂ ଜନସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। “ମୁଁ ବିଶ୍ୱାସ କରେ ଯେ ଟେଲିମେଡିସିନ ବିଷୟରେ ସଚେତନତା ବୃଦ୍ଧି ଏବଂ ଏହାର ବ୍ୟବହାରକୁ ସରଳ କରିବାର ଆବଶ୍ୟକତା ରହିଛି,” ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତର ଯୁବପିଢ଼ିଙ୍କ ପରିବର୍ତ୍ତିତ ମାନସିକତାକୁ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି ବର୍ଣ୍ଣନା କରିଥିଲେ ଏବଂ ଏହି ଧାରା ସହିତ ସମନ୍ୱୟ ରକ୍ଷା କରୁଥିବା ଏକ ଶିକ୍ଷା ବ୍ୟବସ୍ଥା ପାଇଁ ଆହ୍ୱାନ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଦେଶରେ ଶିକ୍ଷାକୁ ନିଯୁକ୍ତି ଏବଂ ଉଦ୍ୟମିତା ସହିତ ସଂଯୋଗ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ନୂତନ ଶିକ୍ଷା ନୀତି ଏକ ଏପରି ପାଠ୍ୟକ୍ରମ ପାଇଁ ମୂଳଦୁଆ ପକାଉଛି ଯାହା ବଜାର ଚାହିଦା ଏବଂ ବାସ୍ତବ-ବିଶ୍ୱ ଅର୍ଥନୀତି ସହିତ ପ୍ରାସଙ୍ଗିକ ହୋଇଥିବ, ବିଶେଷକରି ଏଆଇ, ଅଟୋମେସନ ଏବଂ ଡିଜିଟାଲ ଅର୍ଥନୀତି ଭଳି କ୍ଷେତ୍ରରେ। ସେ କହିଥିଲେ, “ଆମକୁ ବାସ୍ତବ-ବିଶ୍ୱ ଅର୍ଥନୀତି ସହିତ ଆମର ଶିକ୍ଷା ବ୍ୟବସ୍ଥାକୁ ସମନ୍ୱିତ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ।”

ଶିକ୍ଷା, ନିଯୁକ୍ତି ଏବଂ ଉଦ୍ୟମଶୀଳତା ମଧ୍ୟରେ ସମ୍ପର୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏଭିଜିସି (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ) କ୍ଷେତ୍ରକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ଏକ ନବସୃଜନ-ଚାଳିତ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି ବୋଲି କହି ପ୍ରଧାନମନ୍ତ୍ରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ସେମାନଙ୍କର କ୍ୟାମ୍ପସଗୁଡ଼ିକୁ ଶିଳ୍ପ ସହଯୋଗ ଏବଂ ଗବେଷଣା-ଚାଳିତ ଶିକ୍ଷାର କେନ୍ଦ୍ରରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆ ସହିତ ଆବଶ୍ୟକୀୟ ଧାରଣା ପ୍ରଦାନ କରାଯାଇପାରିବ। ଶ୍ରୀ ମୋଦୀ କହିଛନ୍ତି, “ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଏହି ୱେବିନାରରେ, ଆପଣଙ୍କ କ୍ୟାମ୍ପସକୁ ଶିଳ୍ପ ସହଯୋଗ ଏବଂ ଗବେଷଣା-ଭିତ୍ତିକ ଶିକ୍ଷାର କେନ୍ଦ୍ର ଭାବରେ ବିକଶିତ କରିବା ଉପରେ ଆଲୋଚନା ହେବା ଉଚିତ।”

ପ୍ରଧାନମନ୍ତ୍ରୀ ଏସଟିଇଏମ୍ ( ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ ଓ ଗଣିତ) ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଗର୍ବ ପ୍ରକାଶ କରିଥିଲେ ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଝିଅମାନଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଏକ ସୁଦୃଢ଼ ଗବେଷଣା ଇକୋସିଷ୍ଟମ ଲାଗି ଆହ୍ୱାନ ଜଣାଇଥିଲେ, ଯାହା ଯୁବ ଗବେଷକମାନଙ୍କୁ କୌଣସି ପ୍ରତିବନ୍ଧକ ବିନା ନବସୃଜନ ଏବଂ ପରୀକ୍ଷଣ କରିବାକୁ ଉତ୍ସାହିତ କରୁଥିବ । “ଆମକୁ ଏକ ଗବେଷଣା ଇକୋସିଷ୍ଟମ ସୃଷ୍ଟି କରିବାକୁ ପଡିବ ଯେଉଁଠାରେ ଯୁବ ଗବେଷକମାନଙ୍କୁ ପରୀକ୍ଷଣ ଏବଂ ନୂତନ ଚିନ୍ତାଧାରା ଉପରେ କାମ କରିବାକୁ ପର୍ୟ୍ୟାପ୍ତ ସୁଯୋଗ ମିଳିବ” ସେ କହିଥିଲେ।

କ୍ରୀଡା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସୁସ୍ଥ ଏବଂ ଶୃଙ୍ଖଳିତ ଯୁବ ଜନସଂଖ୍ୟା ହେଉଛି ଦେଶର ଶକ୍ତିର ମୂଳଦୁଆ। ସେ ‘ଖେଲୋ ଇଣ୍ଡିଆ’ର ପ୍ରଭାବ ଏବଂ ଛୋଟ ସହର ଏବଂ ଅଞ୍ଚଳରୁ ମଧ୍ୟ ପ୍ରତିଭା ଚିହ୍ନଟ କରିବା, କ୍ରୀଡା ପ୍ରତିଷ୍ଠାନଗୁଡ଼ିକୁ ପେସାଦାର କରିବା ଏବଂ ରାଷ୍ଟ୍ରମଣ୍ଡଳ କ୍ରୀଡା ଏବଂ ଅଲିମ୍ପିକ୍ ପରି ଆଗାମୀ କ୍ରୀଡା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେବା ପାଇଁ କ୍ରୀଡାବିତମାନଙ୍କୁ ଢାଞ୍ଚାଗତ ଆର୍ଥିକ ସହାୟତାକୁ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏପରି ପରିସ୍ଥିତିରେ, ଆମକୁ ଏବେଠୁ ଯୁବ କ୍ରୀଡାବିତମାନଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବାକୁ ପଡିବ, ତେବେ ହିଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ବିଜୟବାନା ଉଡ଼ିବ।”

ନିଯୁକ୍ତି ସୃଷ୍ଟି ପାଇଁ ପର୍ୟ୍ୟଟନ ଏବଂ ସଂସ୍କୃତିର ସମ୍ଭାବନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାରମ୍ପରିକ ପର୍ୟ୍ୟଟନସ୍ଥଳୀ ବ୍ୟତୀତ ନୂତନ ସ୍ଥଳୀ ବିକାଶ କରିବା ଦ୍ୱାରା ସହରର ସୁନାମ ଏବଂ ସାମଗ୍ରିକ ବିକାଶ ବୃଦ୍ଧି ପାଏ। ଶ୍ରୀ ମୋଦୀ ଅଂଶଗ୍ରହଣକାରୀମାନଙ୍କୁ ଦକ୍ଷତା, ସଂଯୋଗୀକରଣ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ଅନ୍ତର୍ଭୁକ୍ତ କରି ଏକ ସାମଗ୍ରିକ ଆଭିମୁଖ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଏବେ ଦେଶରେ ପର୍ୟ୍ୟଟନ ସ୍ଥାନଗୁଡ଼ିକୁ ପୁନଃବିକଶିତ କରିବା ଉପରେ ଧ୍ୟାନ ଦେଉଛୁ।”

ପ୍ରଧାନମନ୍ତ୍ରୀ କହିଛନ୍ତି, “ତାଲିମପ୍ରାପ୍ତ ଗାଇଡ୍, ଆତିଥ୍ୟ ଦକ୍ଷତା, ଡିଜିଟାଲ୍ ସଂଯୋଗ ଏବଂ ସମ୍ପ୍ରଦାୟ ସହଭାଗୀତା ଆମ ପର୍ୟ୍ୟଟନ କ୍ଷେତ୍ରର ସ୍ତମ୍ଭ ପାଲଟିଛି। ଏହା ସହିତ, ସ୍ୱଚ୍ଛତା ଏବଂ ସ୍ଥାୟୀ ଅଭ୍ୟାସଗୁଡ଼ିକ ମଧ୍ୟ ଜରୁରୀ। ଭାରତକୁ ଏକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରିବା ପାଇଁ ଆମେ ଏକାଠି କାମ କରିବା ସହିତ ପର୍ୟ୍ୟଟନ ଏବଂ ସମ୍ପର୍କିତ କ୍ଷେତ୍ରଗୁଡ଼ିକ ଉପରେ ଆପଣଙ୍କର ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ହେବ।”

ତାଙ୍କ ଅଭିଭାଷଣ ଶେଷ କରି, ପ୍ରଧାନମନ୍ତ୍ରୀ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଷ୍ଠାନ, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ଆଲୋଚନା ଭବିଷ୍ୟତ ପାଇଁ ଏକ ଦୃଢ଼ ରୋଡମ୍ୟାପ୍ ପ୍ରଦାନ କରିବ ଏବଂ ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରିବ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, “ଏପରି ପ୍ରୟାସ ଏକ ବିକଶିତ ଭାରତର ଭିତ୍ତିଭୂମିକୁ ଆହୁରି ମଜବୁତ କରିବ।”