ଭାଗଚାଷୀଙ୍କୁ ଭଣ୍ଡାଇଲେ ମୋହନ ସରକାର

ଆଉ ୭ ଦିନରେ ସରିବ ଖରିଫ ମଣ୍ଡି …..

ନବରଙ୍ଗପୁର: ଆଉ ୭ ଦିନରେ ସରିବ ଖରିଫ ମଣ୍ଡି। ରବିମଣ୍ଡି ପଞ୍ଜୀକରଣ ଆରମ୍ଭ ହେଲାଣି। ତଥାଫି ଜିଲ୍ଲାର ମଣ୍ଡି ଅବସ୍ଥା ସ୍ୱାଭାବିକ ହୋଇପାରିନି। ୫୮ଟି ମଣ୍ଡିରୁ ୪୦ଟି ମଣ୍ଡିର ଧାନ ଉଠିଗଲାଣି। ୧୮ଟି ମଣ୍ଡିରେ ୫୪ ହଜାର ୭୦୫ କ୍ୱିଂଟାଲ ଧାନ ପଡିରହିଛି।
ନବରଂଗପୁର ଜିଲ୍ଲା ରାଇଘର, କୋଷାଗୁମୁଡା ଓ ଚନ୍ଦାହାଣ୍ଡି ମଣ୍ଡିରେ ଏବେ ସୁଦ୍ଧା ଧାନ ପଡି ରହିଥିବା କଥା ଜିଲ୍ଲା ଯୋଗାଣ ବିଭାଗ ସ୍ୱୀକାର କରିଛି।

ଅପରପକ୍ଷରେ ଭାଗଚାଷୀ, ବାହାରେ ରହୁଥିବା ପରିବାରବର୍ଗଙ୍କ ଜମି ଚାଷ କରିଥିବା ଭାଗଚାଷୀ ଓ ବଡଚାଷୀଙ୍କୁ ମିଳିନି ଟୋକନ। ମଣ୍ଡି ତାରିଖ ଡିସେମ୍ବର ୧୭ରୁ ଆରମ୍ଭ ହୋଇଥିଲେ ହେଁ କାର୍ଯ୍ୟକାରୀ ହେଉହେଉ ଜାନୁଆରୀ ତୃତୀୟ ସପ୍ତାହ ହୋଇଥିଲା। ମଣ୍ଡିର ପ୍ରକ୍ରିୟା ଦେଖି ଚାଷୀମାନେ କ୍ଷତି ସହି ୧୮ ଶହ ଟଙ୍କାରେ ବାହାର ରାଜ୍ୟର ବ୍ୟବସାୟୀ ଓ ଦଲାଲଙ୍କୁ ବିକ୍ରି କରିଛନ୍ତି। ଜିଲ୍ଲାର ଚନ୍ଦାହାଣ୍ଡି, ଉମରକୋଟ, ରାଇଘର, ଡାବୁଗାଁଓ କୋଷାଗୁମୁଡା ଅଂଚଳରୁ ଛତିଶଗଡକୁ ଧାନ ଚାଲାଣ ହୋଇଛି।

ଜିଲ୍ଲାରେ ୫୮ଟି ମଣ୍ଡିରେ ୫୦୬୬୯ ଜଣ ଚାଷୀଙ୍କ ଠାରୁ ଚାରିଟି ପର୍ଯ୍ୟାୟରେ ୨୭ ଲକ୍ଷ ୮୮ ହଜାର କୁଇଂଟାଲ ଧାନ କିଣିବା ପାଇଁ ସରକାର ଲକ୍ଷ୍ୟ ଦେଇଛନ୍ତି। ୬୧,୨୯୫ ଟୋକନ୍‌ ଚାଷୀଙ୍କୁ ମିଳିଛି। ମିଲର୍ସଙ୍କୁ ୨୬ ଲକ୍ଷ ୯୪ ହଜାର ୯୬୮କ୍ୱିଂଟାଲ ଧାନ ଉଠାଇବାକୁ ପାସ ଦିଆଯାଇଥିଲା। ଗତକାଲି ୧୫,୧୨୫ କ୍ୱିଂଟାଲ୍‌ ଧାନ କିଣାଯାଇଛି। ୪୫ ହଜାର ୮୦୮ ଚାଷୀଙ୍କ ନିକଟରୁ ୨୬ ଲକ୍ଷ ୪୨ ହଜାର ୩୮୬ କ୍ୱିଂଟାଲ ଧାନ କିଣାଯାଇଛି ବୋଲି କହିଛନ୍ତି ସିଏସ୍‌ଓ ଦେବାଶିଷ ମହାନ୍ତି। ବିଭିନ୍ନ ମଣ୍ଡିରୁ କିଣାଯାଇଥିବା ଧାନରୁ ୨୫ଲକ୍ଷ ୮୭ ହଜାର ୬୮୦ କ୍ୱିଂଟାଲ ଉଠିଥିବା ବେଳେ ବଳକା ୫୪ ହଜାର ୭୦୫ କ୍ୱିଂଟାଲ ଧାନ ଉଠିପାରିନି ବୋଲି ମାନିଛନ୍ତି ସିଏସଓ। ୮୧ ଜଣ ମିଲର୍ସ ୨୫ ଲକ୍ଷ ୩୫ ହଜାର ୧୬୮ କ୍ୱିଂଟାଲ ଧାନ ଗ୍ରହଣ କରିଛନ୍ତି।

୪୨ ହଜାର ୪୦୮ ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ୫୬୫.୪୦୮ କୋଟି ଟଙ୍କା ଜମା ହୋଇସାରିଛି। ଧାର୍ଯ୍ୟ ଲକ୍ଷ୍ୟରୁ ୫୨ ହଜାର ୫୮୧ କ୍ୱିଂଟାଲ ଧାନ କିଣିବା ଲକ୍ଷ୍ୟ ସିଏସଓଙ୍କ ହାତରେ ରହିଥିବା ବେଳେ ଏବେ ବି ଧାନ ବିକ୍ରୟ ନ କରି ୫୧୧୧ଚାଷୀ ବଳକା ରହିଛନ୍ତି। ଜିଲ୍ଲାରେ ଚନ୍ଦାହାଣ୍ଡିର ୭ ମଣ୍ଡିରେ ୩୮ ହଜାର ୬୮୭ କ୍ୱିଂଟାଲ ଧାନ ପଡି ରହିଥିବା ବେଳେ ଆଉ ୯୫୮୩ କ୍ୱିଂଟାଲ ଧାନ କିଣିବା ଲକ୍ଷ୍ୟ ରହିଛି। ଝରିଗାଁରେ ୨ଟି ମଣ୍ଡିରେ ୭୫୭ କ୍ୱିଂଟାଲ ଧାନ ଅଛି ଓ ୬୯୧୯ କ୍ୱିଂଟାଲ କିଣିବା ଲକ୍ଷ୍ୟ ରହିଛି। ରାଇଘରରେ ୪ଟିରେ ୬୮୭୬ କ୍ୱିଂଟାଲ ପଡିଥିବା ବେଳେ ୭୮୭୫ କ୍ୱିଂଟାଲ କିଣିବା ଲକ୍ଷ୍ୟ ରହିଛି।

କୋଷାଗୁମୁଡାର ୬ଟି ମଣ୍ଡିରେ ୮୩୮୩ କ୍ୱିଂଟାଲ ଧାନ ପଡିଥିବା ବେଳେ ୬୭୭୨ କ୍ୱିଂଟାଲ କିଣିବା ବାକି ରହିଛି। ନବରଙ୍ଗପୁର ବ୍ଲକରେ ୧୬୦୫ କ୍ୱିଂଟାଲ ଓ ପୌରାଂଚଳରେ ୮୮୩ କ୍ୱିଂଟାଲ, ଉମରକୋଟ ବ୍ଲକରେ ଆଉ ୩୭୩୯ କ୍ୱିଂଟାଲ ଓ ପୌରାଂଚଳରେ ୧୬ କ୍ୱିଂଟାଲ, ଡାବୁଗାଁ ବ୍ଲକରେ ୩୯୦୨ କ୍ୱିଂଟାଲ, ପାପଡାହାଣ୍ଡି ବ୍ଲକରେ ୬୨୨୪ କ୍ୱିଂଟାଲ, ନନ୍ଦାହାଣ୍ଡି ବ୍ଲକରେ ୨୫୧୩ କ୍ୱିଂଟାଲ ଓ ତେନ୍ତୁଳିଖୁଂଟି ବ୍ଲକରେ ୨୫୪୪ କ୍ୱିଂଟାଲ ଧାନ କିଣିବା ବାକି ରହିଛି।

ରାଜ୍ୟ ସରକାର ନୂଆ ନିୟମ ଅନୁଯାୟୀ ଭାଗଚାଷୀଙ୍କୁ ଟୋକନ ମିଳିବ କୁହାଯାଉଥିଲା। ତାହା କାର୍ଯ୍ୟକାରୀ ହୋଇନି। ପରିବାରର ସଦସ୍ୟ ମାନେ ବାହାରେ ରହୁଥିବା ବେଳେ ତାଙ୍କ ଚାଷ କରିଥିବା ଚାଷୀଙ୍କ ଧାନ ଉଠି ପାରି ନଥିବା ଅଭିଯୋଗ କରିଛନ୍ତି ଟୁନା ଦାଶ, ପ୍ରଦୀପ ତ୍ରିପାଠୀ, ରାମ ମହାପାତ୍ର।

ଶ୍ରୀ ଦାଶଙ୍କର ୬୨୫ କ୍ୱିଂଟାଲରୁ ୭୫ କ୍ୱିଂଟାଲ ହିସାବରେ ୩ ଥର ୨୨୫ କ୍ୱିଂଟାଲର ଟୋକନ୍‌ ଆସିଥିବା ବେଳେ ବଳକା ୪୦୦ କ୍ୱିଂଟାଲର ଆଉ ଆସିନି। ସେଭଳି ବହୁ ଚାଷୀଙ୍କର ଟୋକନ୍‌ ଆସିନି।ରାଜ୍ୟ ସରକାର ୮୦୦ ଟଙ୍କା ବୋନସ୍‌ କହୁଥିଲେ ହେଁ କୃଷି ଶ୍ରମିକ ମଜୁରୀ, ଟ୍ରେସର ଗାଡି ଓ ମଣ୍ଡିକୁ ଧାନ ଆଣୁଥିବା ଗାଡି ଭଡା ଅଧିକା। ଫଳରେ ଚାଷୀ ଲାଭାନ୍ୱିତ ହେବା ବଦଳରେ କ୍ଷତି ସହୁଛନ୍ତି ବୋଲି କହିଛନ୍ତି ଚାଷୀ ଅଭି ତ୍ରିପାଠୀ।