ପାଇଲଟ୍ ତାଲିମ ମହଙ୍ଗା: ପ୍ରଶିକ୍ଷଣ ଖର୍ଚ୍ଚ ପ୍ରାୟ ୭୦ ଲକ୍ଷ
ବିମାନ ଇନ୍ଧନ ଦରରେ ବୃଦ୍ଧି ଓ ଆମେରିକୀୟ ଡଲାର ତୁଳନାରେ …..
ନୂଆଦିଲ୍ଲୀ: ବିମାନ ଇନ୍ଧନ ଦରରେ ବୃଦ୍ଧି ଓ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ପରେ ପାଇଲଟ୍ ତାଲିମ ଖର୍ଚ୍ଚ ବଢ଼ିଛି। ଭାରତରେ ଏକ କମର୍ସିଆଲ ପାଇଲଟ୍ ଲାଇସେନ୍ସ ପାଇବାକୁ ହେଲେ ସର୍ବନିମ୍ନ ୨୦୦ ଘଂଟାର ଉଡାଣ ଅଭିଜ୍ଞତା ସହ ଥିଓରି ପରୀକ୍ଷାରେ ଉତୀର୍ଣ୍ଣ ହେବା ଦରକାର। ସେଥିପାଇଁ ପୂର୍ବରୁ ୫୦-୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ମାତ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ତେଲ ଦର ବଢ଼ିବାରୁ ସେହି ସମାନ ତାଲିମ ପାଇଁ ଏବେ ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।
ଦେଶ ବାହାରକୁ ଯାଇ ଆମେରିକା କିମ୍ବା ନ୍ୟୁଜିଲ୍ୟାଣ୍ଡର କୌଣସି ଫ୍ଲାଇଂ ସ୍କୁଲରେ ପାଇଲଟ୍ ତାଲିମ ନେବା ଖର୍ଚ୍ଚ ମଧ୍ୟ ୧୫-୧୬ ପ୍ରତିଶତ ବଢ଼ିିଛି। ଚାଇମ୍ସ ଆଭିଏସନ ଏକାଡେମିର ସିିଇଓ ୱାଇ ଏନ୍ ଶର୍ମା କହିଛନ୍ତି, ପୂର୍ବରୁ ବିମାନ ଇନ୍ଧନର ଦାମ ଲିଟର ପିଛା ୭୦ ଟଙ୍କା ଥିଲା। ଏବେ ତାହା ୧୩୧ ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ ପ୍ରତି ଘଂଟାର ଉଡାଣ ଖର୍ଚ୍ଚ ୨୫୦୦-୩୦୦୦ ଟଙ୍କା ବଢ଼ିଯାଇଛି। କେବଳ ଇନ୍ଧନ ମୂଲ୍ୟ ପାଇଁ ଭାରତରେ କମର୍ସିଆଲ ପାଇଲଟ୍ ଲାଇସେନ୍ସ ଖର୍ଚ୍ଚ ୧୦ ପ୍ରତିଶତ ଓ ବିଦେଶରେ ୧୫-୧୬ ପ୍ରତିଶତ ବଢ଼ିଛି। ଖର୍ଚ୍ଚ ବଢ଼ିଥିବାରୁ ବହୁ ଆଶାୟୀଙ୍କ ପାଇଁ ପାଇଲଟ୍ ତାଲିମ ନେବା କଷ୍ଟକର ହୋଇପଡିଛି ବୋଲି ସେ କହିଛନ୍ତି।
ଅନ୍ୟ ଏକ ଫ୍ଲାଇଂ ସ୍କୁଲର ଜଣେ ଅଧିକାରୀ କହିଛନ୍ତି ଯେ ପାଇଲଟ୍ ତାଲିମରେ ଏକ କିମ୍ବା ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ବ୍ୟବହାର ହୋଇଥାଏ। ଗୋଟିଏ ଇଞ୍ଜିନ ଥିବା ବିମାନର ମୂଲ୍ୟ ୬.୫ ଲକ୍ଷ ଡଲାର ଓ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନର ମୂଲ୍ୟ ୧.୫ ନିୟୁତ ଡଲାର ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ପରେ ଏଭଳି ବିମାନ ମଗାଇବା ମହଙ୍ଗା ହୋଇପଡିଛି। ସେହି ଖର୍ଚ୍ଚକୁ ବାଧ୍ୟ ହୋଇ ଫ୍ଲାଇଂ ସ୍କୁଲଗୁଡିକ ପାଇଲଟ ତାଲିମ ଖର୍ଚ୍ଚରେ ଯୋଡୁଛନ୍ତି।
ଭାରତରେ କମର୍ସିଆଲ ପାଇଲଟ୍ ତାଲିମ ପାଇଁ ନାମଲେଖାଇଥିବା ଆଶାୟୀ ପ୍ରାର୍ଥୀମାନଙ୍କ ଭବିଷ୍ୟତ ଅନିଶ୍ଚିତ ରହିଛି। ତାଲିମରେ ଯୋଗଦେବା ପରଠାରୁ ସେମାନଙ୍କ ପ୍ରତୀକ୍ଷା ଲମ୍ବା ହେବାରେ ଲାଗିଥାଏ। କିଛି ଭଲ ଫ୍ଲାଇଂ ସ୍କୁଲକୁ ଛାଡି ଦେଲେ ଅନ୍ୟ ସ୍କୁଲଗୁଡିକରେ ୨୦୦ ଘଂଟାର ଉଡାଣ ଅଭିଜ୍ଞତା ହାସଲ କରିବାର ଏକ ଦୀର୍ଘ, ଅନିଶ୍ଚିତତ ଓ ବ୍ୟୟବହୁଳ ବ୍ୟାପାର। ଏହି ତାଲିମ ଶେଷ କରିବାକୁ ବେଳେ ବେଳେ ଦୁଇ ବର୍ଷରୁ ଅଧିକ ସମୟ ଲାଗିଯାଏ। ତେଣୁ ଯେଉଁମାନେ ଋଣ ଆଣି ଫ୍ଲାଇଂ ସ୍କୁଲରେ ନାମ ଲେଖାଇଛନ୍ତି, ସେମାନଙ୍କୁ ସୁଧ ବାବଦରେ ଅଧିକ ଟଙ୍କା ଗଣିବାକୁ ପଡିବ।
ତାଲିମ ଶେଷ କରିବାକୁ ଲମ୍ବା ସମୟ ଲାଗିବା ପରେ ଚାକିରି ପାଇବାକୁ ମଧ୍ୟ ବହୁ ଦିନ ଅପେକ୍ଷା କରିବାକୁ ପଡୁଥିବା ଆଶାୟୀ ପ୍ରାର୍ଥୀମାନେ କହିଛନ୍ତି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ସିଙ୍ଗଲ ଏଂଟ୍ରି ସ୍ତରର ପାଇଲଟ୍ଙ୍କୁ ନିଯୁକ୍ତି ଦେଉନାହାନ୍ତି। ଆକାଶ ପାଖରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ପାଇଲଟ୍ ଅଛନ୍ତି। ସ୍ପାଇସ୍ଜେଟ୍ ଆର୍ଥିକ ସ୍ଥିତି ଭଲ ନଥିବାରୁ ତାହା ନିଯୁକ୍ତି ଦେଉନାହାନ୍ତି।