ପଥର ଖୋଲରେ ଫସିଥିବା ନାବାଳକଙ୍କ ପରିବାରକୁ ମିଳିଲା ସରକାରୀ ସୁବିଧା

ସରକାରୀ ଭାବେ ନିଜର କିଛି ପରିଚୟ ନାହିଁ …

ନୟାଗଡ: ସରକାରୀ ଭାବେ ନିଜର କିଛି ପରିଚୟ ନାହିଁ। ପରିବାରରେ କାହାର ଆଧାର, ଭୋଟ ପରିଚୟପତ୍ର ଏପରିକି ଜନ୍ମ ପ୍ରମାଣପତ୍ର ମଧ୍ୟ ନାହିଁ। ଏମିତି ପରିବାର ନୟାଗଡ ଜିଲ୍ଲାରେ ରହିଥିବା ତାହା ଅବିଶ୍ୱସନୀୟ। ବୁଧବାର ସକାଳୁ ମହୁ ସଂଗ୍ରହ ପାଇଁ ଯାଇ ପଥର ଖୋଲରେ ଫସିଥିବା ନାବାଳକ ଶିବଙ୍କ ପରିବାରକୁ ନେଇ ସମଗ୍ର ରାଜ୍ୟରେ ଏବେ ଚର୍ଚ୍ଚା। ଶିବ ଦୁଆରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପହଂଚିଥିଲେ।

କେବଳ ପ୍ରଶାସନ ନୁହନ୍ତି ଶିବଙ୍କ ଗାଁ ଗଜେନ୍ଦ୍ରପଲ୍ଲୀକୁ ରାଜନେତାମାନଙ୍କ ଲମ୍ବା ଧାଡି ଲାଗିଛି। ଜିଲ୍ଲାର ବାସିନ୍ଦା ହୋଇ କେବେ ଭୋଟ ଦେବାର ଅଧିକାର ପାଇ ପାରିନାହାନ୍ତି। ଏମାନେ ବିଦ୍ୟାଳୟ କ’ଣ ଜାଣନ୍ତି ନାହିଁ।

ଜିଲ୍ଲାପାଳ ମଧୁମିତା ରଥଙ୍କ ତଦନ୍ତ ପରେ ଶିବଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଆଧାର କାର୍ଡ, ଭୋଟ ପରିଚୟ ପତ୍ର ପ୍ରଶାସନ ଯୋଗାଇ ଦେଇଛି। ଶିବ ଏବଂ ତାର ଭାଇ, ଭଉଣୀମାନଙ୍କୁ ଶିକ୍ଷା ମିଳିବ। ସେମାନଙ୍କୁ ଘରବାରି ସହିତ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଜିଲ୍ଲାପାଳ କହିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟ କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଂଟିଆ ଶିବଙ୍କ ଘରକୁ ଯାଇ ସେମାନଙ୍କ ଚଳଣି ପଚାରି ବୁଝିଥିଲେ। ପରିବାରର ପିଲାମାନଙ୍କୁ ସରକାରୀ ଆବାସିକ ବିଦ୍ୟାଳୟରେ ରଖି ପାଠପଢ଼ା ଯିବାକୁ ଜିଲ୍ଲା ଶିକ୍ଷାଧିକାରୀ ଚିତରଞ୍ଜନ ପାଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ରେସନ କାର୍ଡ କରାଯାଇ ରାସନ ସାମଗ୍ରୀ ଏବଂ ଆବାସ ଯୋଜନାରେ ଗୃହ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ସି/ଏସ୍‌ଟି କୋଟାରେ ଘରବାରି ଯୋଗାଇ ଦେବାକୁ ତହସିଲଦାରଙ୍କୁ କହିଛନ୍ତି।