ସବ୍‌ ଟ୍ରେଜେରିରୁ ୫ ବର୍ଷରେ ଖାଇଗଲେ ୮ କୋଟି

ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ସବ୍‌ ଟ୍ରେଜେରିରେ ଦୀର୍ଘ ….

ଭଦ୍ରକ: ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ସବ୍‌ ଟ୍ରେଜେରିରେ ଦୀର୍ଘ ୫ ବର୍ଷ ଧରି ପ୍ରାୟ ୮ କୋଟି ଟଙ୍କା ଚଳୁ କରିଛନ୍ତି। ଆର୍ଥିକ ଅନିୟମିତତାର ମୁଖ୍ୟ ଖଳନାୟକ ଚାନ୍ଦବାଲି ସବ୍‌ ଟ୍ରେଜେରୀର ବରିଷ୍ଠ କିରାଣୀ ସନ୍ତୋଷ ପଣ୍ଡା। ଶ୍ରୀ ପଣ୍ଡାକୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ସହିତ ଗିରଫ ହୋଇଛନ୍ତି ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ, ସନ୍ଦୀପ କୁମାର ମିତ୍ର, ଅଭୟ କୁମାର ପଣ୍ଡା। ଅଭିଯୁକ୍ତଙ୍କ ବିରୋଧରେ ପିସି ଆଇନର ଧାରା ୧୩(୨) ଓ ୧୩(୧)(କ), ଆଇପିସିର ଧାରା ୪୦୬, ୪୦୯, ୪୬୭, ୪୬୮, ୪୭୧, ୪୭୭, ୧୨୦-ଖ ରେ ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନାନୁସାରେ, ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ନିଲମ୍ବିତ କିରାଣି ପଣ୍ଡାଙ୍କ ଆୟ ବହିର୍ଭୁତ ସମ୍ପତି ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। କଟକ, ବାଲେଶ୍ୱର ଏବଂ ଭଦ୍ରକ ଭିଜିଲାନ୍ସ ମିଳିତ ଟିମ୍‌ ତିହିଡ଼ି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ ଆରସା ଏବଂ ଭଦ୍ରକ ବାଇପାସ୍‌ ନିକଟରେ ଥିବା ସନ୍ତୋଷଙ୍କ ନବନିର୍ମିତ ଘରେ ଚଢ଼ାଉ କରିଥିଲା। ଖୋଳତାଡ଼ ପରେ ବହୁ ଗୁରୁତ୍ୱପୂର୍ଣ ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଦୁର୍ନୀତିର ପରିମାଣ ୮ କୋଟି ଟପିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ନିଲମ୍ବିତ ମୁଖ୍ୟ କିରାଣି ଶ୍ରୀ ପଣ୍ଡା ପୂର୍ବରୁ ଭଦ୍ରକ ସବ୍‌ ଟ୍ରେଜେରିରେ ଥିଲେ। ପରେ ତିହିଡ଼ି ଓ ଚାନ୍ଦବାଲି ସବ ଟ୍ରେଜେରିକୁ ତାଙ୍କର ବଦଳି ହୋଇଥିଲା। ଏସବୁ ସବ୍‌ ଟ୍ରେଜେରିରେ କେହି ଅଧିକାରୀ ନଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇ ଫାଇଲ୍‌ ଚାଷ ଚାଲିଥିଲା। ଅଧିକାରୀମାନେ ଆଖୁବୁଜି ମୁଖ୍ୟ କିରାଣିଙ୍କ ଫାଇଲ୍‌ରେ ଦସ୍ତଖତ କରୁଥିଲେ। ଏହାର ଫାଇଦାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଥିଲା। ବର୍ତମାନ ସୁଦ୍ଧା ଆକଳନରେ ୨୫ ଜୁଲାଇ ୨୦୧୮ରୁ ୪ ମଇ ୨୦୨୩ ମଧ୍ୟରେ ୧୦୨ଟି ମିଥ୍ୟା/ଜାଲ ବିଲ୍‌ ଜରିଆରେ ୮ କୋଟି ୪ଲକ୍ଷ ୭୬ ହଜାର ୧୪୬ ଟଙ୍କା ଆତ୍ମସାତ ହୋଇଥିବା ଜଣାଯାଇଛି। ବିନା ସମୀକ୍ଷାରେ ମନଇଚ୍ଛା ଦସ୍ତଖତ କରିଥିବା ଅଭିଯୋଗରେ ଚାନ୍ଦବାଲିର ପୂର୍ବତନ ତହସିଲଦାର ସୁଶାନ୍ତ ସୂତାରଙ୍କୁ ନିକଟରେ ସରକାର ନିଲମ୍ବିତ କରିଥିଲେ। ଚାନ୍ଦବାଲି ସବ୍‌ ଟ୍ରେଜେରିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥୁବା ସ୍ପଷ୍ଟ ହେବା ପରେ ଭିଜିଲାନ୍ସ ଟିମ୍‌ ତନାଘନା ଆରମ୍ଭ କରିଥିଲା। କିନ୍ତୁ ୬ ମାସ ତଳେ ନିଲମ୍ବିତ ହୋଇଥିବା ଚତୁର କିରାଣି ନିଜ ଆକାଉଣ୍ଡ୍‌ରେ ସମ୍ପତି ରଖୁ ନଥିଲେ। ସନ୍ଦେହ ଏଡାଇବାକୁ ଆରସା, ପାଳିଆ ଓ ଭଦ୍ରକର ୨୯ ଜଣଙ୍କ ଜମାଖାତାକୁ ସରକାରୀ ଅର୍ଥ ଟ୍ରାନ୍ସଫର୍‌ କରିଛନ୍ତି।
୨୦୦୯ରୁ ୨୦୨୪ ମଧ୍ୟରେ ସବ୍‌ ଟ୍ରେଜେରି ବ୍ୟାପକ ଦୁର୍ନୀତି ହୋଇଛି। ସବ୍‌ ଟ୍ରେଜେରିକୁ ଯାଉଥିବା ବିଭିନ୍ନ ସରକାରୀ ଫାଇଲ୍‌ ଅର୍ଥକୁ ଅତି ଚତୁରତାର ସହ ନିଜର ଚିହ୍ନା ପରିଚିତଙ୍କ ଆକାଉଂଟକୁ ଟ୍ରାନ୍ସଫର୍‌ କରାଯାଇଛି।

ଜଣ ଜଣଙ୍କ ଆକାଉଂଟକୁ ୫ ଲକ୍ଷରୁ ୩୦ ଲକ୍ଷ ଯାଏ ଟଙ୍କା ଟ୍ରାନ୍ସଫର ହୋଇଛି। ଆଜି ଭିଜିଲାନ୍ସର ଡେପୁଟି ଡାଇରେକ୍ଟର ଆଶୁତୋଷ ପାଇକରାୟ ଅନେକ ତଥ୍ୟ ସହ ଏକ ପ୍ରେସ୍‌ ରିଲିଜ ପ୍ରଦାନ କରିଛନ୍ତି।
ଏହି ଦୁର୍ନୀତିରେ ଯେଉଁମାନେ ସଂପୃକ୍ତ ସେହି ସବୁ ଅଭିଯୁକ୍ତ ଓ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ସହ ସେମାନଙ୍କର କଳା କାରନାମାର ଗୁମର ଖୋଲୁଛି ଭିଜିଲାନ୍ସ।