ଅନିଲଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ନାମରେ ରୁଜୁ ହୋଇଥିବା ….

ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ନାମରେ ରୁଜୁ ହୋଇଥିବା ତିନୋଟି ମାମଲା ଆଧାରରେ ସିବିିଆଇ ପକ୍ଷରୁ ୧୭ଟି ସ୍ଥାନରେ ଚଢ଼ଉ କରାଯାଇଛି। ରିଲାଏନ୍ସ କମର୍ସିଆଲ୍‌ ଫାଇନାନ୍ସ, ରିଲାଏନ୍ସ ହୋମ୍‌ ଫାଇନାନ୍ସ ଓ ଏହାର ନିର୍ଦ୍ଦେଶକମାନଙ୍କ ଠିକଣାରେ ଖାନତଲାସି କରାଯାଇଛି।
ଅନିଲଙ୍କ ବିରୋଧରେ ବ୍ୟାଙ୍କ ଋଣ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ରହିଛି। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜାରି କରିିଥିବା ୱାରେଂଟ ବଳରେ ଏହି ଚଢ଼ଉ କରାଯାଇଛି। ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଥିବା ଆଶଙ୍କା କରାଯାଉଛି। ଗୋଟିଏ ଠିକଣାରୁ ଗୁଡ଼ାଏ କମ୍ପାନୀ ପରିଚାଳନା କରାଯାଉଥିବାରୁ ସିବିଆଇ ଉଦ୍‌ବେଗ ପ୍ରକାଶ କରିଛି।
ସିବିଆଇ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରାୟତ ବ୍ୟାଙ୍କ ଓ ଭାରତୀୟ ଜୀବନ ବୀମା କମ୍ପାନିର ଅଭିଯୋଗ ଆଧାରରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ଓ ତା’ ସହିତ ଜଡିତ ସଂସ୍ଥାଗୁଡିକ ବିରୋଧରେ ଗତ କିଛି ମାସରେ ୭ଟି ମାମଲା ରୁଜୁ କରାଯାଇଛି।

ମାମଲା ରୁଜୁ ହେବା ପରେ ୧୪ଟି ସ୍ଥାନରେ ଚଢ଼ଉ ହୋଇଥିଲା। ରିଲାଏନ୍ସ କମ୍ୟୁନିକେସନର ଦୁଇଜଣ ବରିଷ୍ଠ ଅଧିକାରୀ ଯୁଗ୍ମ ସଭାପତି ଡି ବିଶ୍ୱନାଥ ଓ ଉପସଭାପତି ଅନିଲ କାଲ୍ୟାଙ୍କୁ ଗିରଫ କରାଯାଇଥିଲା।

ଏହି ଦୁଇ ଅଧିକାରୀ ବ୍ୟାଙ୍କ କାରବାରର ଦେଖାଶୁଣା କରୁଥିଲେ ଏବଂ କମ୍ପାନିକୁ ଆସୁଥିବା ପାଣ୍ଠିର ବ୍ୟବହାର ସମ୍ପର୍କିତ ନିଷ୍ପତି ନେଉଥିଲେ।
ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।