ଗର୍ଭବତୀ ଭାଇବହୁଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର/ପାଟଣା(ସାକ୍‌ସୀ ନ୍ୟୁଜ୍‌): ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ମାସର ଗର୍ଭବତୀ ଭାଇବହୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାଟଣା ପୋଲିସ ଅଭିଯୁକ୍ତ ଦେଢ଼ଶୁର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ଲୋକନାଥ ମହାନ୍ତ (୩୨)।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଖଗେଶ୍ଵର ମହାନ୍ତଙ୍କ ସାନପୁଅ ବାଙ୍ଗାଲୋରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ସ୍ତ୍ରୀ ଶାଶୂଘରେ ଅନ୍ୟ ପରିବାର ଲୋକଙ୍କ ସହ ରହୁଥିଲେ। ଗତ ୨୦ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ନେଇ ବଡ଼ଭାଇ ତଥା ଦେଢ଼ଶୁର ଲୋକନାଥ ମହାନ୍ତ ଭାଇବୋହୂଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ପ୍ରତିରୋଧ କରି ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟି ଚାପି ଧରିବା ସହ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜାଣିବା ସତ୍ତ୍ୱେ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

ଏ ନେଇ ପୀଡ଼ିତା ପାଟଣା ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଥାନା ଏସ.ଆଇ. ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ ଭାର ଗ୍ରହଣ କରି ଉଭୟଙ୍କର ଡାକ୍ତରୀ ମାଇନା କରାଇଥିଲେ। ଏହି ଘଟଣାରେ ପାଟଣା ଥାନାରେ କେସ୍ ନଂ- ୩୬୫/୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଲୋକନାଥ ମହାନ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି। କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।