ଆକାଶରେ ମେଘ ଆଉ ଖରା ଏକାସହ ଥିଲେ ଏହି ସାତ ରଙ୍ଗ ଦେଖିବାକୁ ମିଳେ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ।ଏହାକୁ ଇନ୍ଦ୍ରଧନୁ କୁହାଯାଏ। ଆମେ ଏକ ପ୍ରିଜମ୍ ସାହାଯ୍ୟରେ ଏଭଳି ରଙ୍ଗ ସୃଷ୍ଟି କରିପାରିବା। ଏକ ଟର୍ଚ୍ଚର ଆଲୋକକୁ ପ୍ରିଜମ୍ ଭିତରେ ପ୍ରବେଶ କରାଇଲେ ସେହି ଆଲୋକ ପ୍ରତିସରଣ ହୋଇ ପରଦାରେ ଆମକୁ ବିଭିନ୍ନ ରଙ୍ଗ ଦେଖାଯାଏ। ଏଥିରେ ସାତଟି ରଙ୍ଗକୁ ବିଜ୍ଞାନ ଭାଷାରେ ସଂକ୍ଷେପରେ ‘ବା-ଘ-ନୀ-ସ-ହ-ନା-ଲା’ ବୋଲି କହିଥାଉ। କିନ୍ତୁ ଏଠାରେ କଳା ଓ ଧଳାରଙ୍ଗକୁ ରଙ୍ଗ ତାଲିକାରେ ଗଣତି କରାଯାଇ ନାହିଁ। କାରଣ, କଳା ଓ ଧଳାରଙ୍ଗର କୌଣସି ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟ ନାହିଁ। ଇନ୍ଦ୍ରଧନୁରେ ମଧ୍ୟ ‘ବା-ଘ-ନୀ-ସ-ହ-ନା-ଲା’ ସାତଟି ରଙ୍ଗ ଆସେ। ବର୍ଷା ସମୟରେ ବାୟୁମଣ୍ଡଳରେ ବହୁତ ଛୋଟ ଛୋଟ ପାଣିର ବୁନ୍ଦା ରହିଥାଆନ୍ତି। ଏହି ପାଣି ବୁନ୍ଦାରେ ଆଲୋକର ପ୍ରତିସରଣ ହୁଏ। ଆଲୋକ ଆପତିତ ହୋଇ ପାଣି ବୁନ୍ଦା ଭିତରକୁ ପ୍ରବେଶ କଲା ବେଳେ ପ୍ରତିସରଣ ଘଟିଥାଏ। ତେଣୁ ଧଳା ରଙ୍ଗର ଆଲୋକ ଆସି ପାଣି ବୁନ୍ଦା ଭିତରେ ପ୍ରବେଶ କରିବା ପରେ ଅଲଗା ଅଲଗା ରଙ୍ଗର ବିଭାଜନ ହୋଇଥାଏ। ବିଭିନ୍ନ ରଙ୍ଗର ଆଲୋକର ସମୁଦାୟ ଭିତିରି ପ୍ରତିଫଳନ ହୋଇଥାଏ ।