ରାୟଗଡା(ସାକ୍ସୀ ନ୍ୟୁଜ୍): ରାମନାଗୁଡ଼ା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାମନାଗୁଡ଼ା ବ୍ଲକ୍ ପ୍ରଶାସନ,ଜିଲ୍ଲା ଶ୍ରମ ବିଭାଗ ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ଶ୍ରମ ସୁରକ୍ଷା ଆଇନ ସଚେତନତା ରଥ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଅତିରିକ୍ତ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ସମ୍ମିଳନୀ କକ୍ଷ ରେ ଶିଶୁ ଶ୍ରମ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଶ୍ରୀମତୀ ଜାନକୀ ନିମାଲା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର – ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ,ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ – ଶ୍ରୀ ନିରଞ୍ଜନ ଭୂୟାଁ,ସିଡିପିଓ ଶ୍ରୀମତୀ ଅଞ୍ଜଳି ମହାପାତ୍ର,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ – ଶ୍ରୀ ପଦ୍ମନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।ପିଲାମାନେ କହୁଥିଲେ – “ଆମେ ପିଲା, ଆମେ ଖେଳିବୁ, ଆମେ ପଢିବୁ ” ।
ଉପାଧ୍ୟକ୍ଷା ଶ୍ରୀମତୀ ଜାନକୀ ନିମାଲା କହିଲେ, “ଶିଶୁ ଶ୍ରମ କେବଳ ଆଇନ୍ ବିରୋଧୀ ନୁହେଁ, ଏହା ମଣିଷ ପଣିଆ ବିରୋଧୀ। ଗାଁର ପ୍ରତି ପିଲା ସ୍କୁଲ୍ ଯିବା ଦରକାର। ମାଆ-ବାପା ମାନେ ପିଲାକୁ କାମକୁ ନ ପଠାଇ ପାଠ ପଢାଇବାକୁ ଆଗେଇ ଆସନ୍ତୁ ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା କର୍ମଚାରୀ ଙ୍କୁ ପରାମର୍ଶ ଦେଇଥିଲେ।ବିଡ଼ିଓ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ କହିଲେ, “ଗରିବୀ ଯୋଗୁଁ ଯଦି କେହି ପିଲା ସ୍କୁଲ୍ ଛାଡୁଛି, ଆମକୁ କହନ୍ତୁ। ସରକାରଙ୍କ ଅନେକ ଯୋଜନା ଅଛି। ପିଲାକୁ କାମକୁ ପଠାଇବା ସମସ୍ୟାର ସମାଧାନ ନୁହେଁ, ସମସ୍ୟାକୁ ଆହୁରି ବଢାଇବା ବୋଲି ମତ ପୋଷଣ କରିଥିଲେ।ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ କହିଲେ,ରାମନାଗୁଡ଼ାରେ ଶିଶୁ ଶ୍ରମ ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର ।
ପ୍ରଶାସନ ଏ ଦିଗରେ କଡା ନଜର ରଖିବ। କେହି ଯଦି ପିଲାଙ୍କୁ କାମରେ ଲଗାଇଥିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନିରଞ୍ଜନ ଭୂୟାଁ ଶିଶୁ ଶ୍ରମ ଆଇନ୍ ବିଷୟରେ ବୁଝାଇ କହିଲେ, “୧୪ ବର୍ଷରୁ କମ୍ ପିଲାଙ୍କୁ ଦୋକାନ, ହୋଟେଲ, ଇଟାଭାଟି, ଗ୍ୟାରେଜ୍ କି ଘର କାମରେ ଲଗାଇବା ସମ୍ପୂର୍ଣ୍ଣ ବେଆଇନ୍। ଶିଶୁ ଶ୍ରମ (ନିଷେଧ ଓ ନିୟମନ) ଆଇନ ୧୯୮୬ ଓ ସଂଶୋଧିତ ଆଇନ ୨୦୧୬ ବିଷୟରେ ବୁଝାଇଥିଲେ। ଏବଂ ୧୪ ରୁ ୧୮ ବର୍ଷ ପିଲାଙ୍କୁ ବିପଦଜନକ କାମରେ ଲଗାଇବା ବି ଅପରାଧ। ଧରା ପଡିଲେ ତିନି ବର୍ଷ ଜେଲ୍ ସହ ଜରିମାନା ଦୁଇଟା ଯାକ ହୋଇପାରେ ବୋଲି ନିଜ ପ୍ରତିକ୍ରିୟା ରେ କହିଥିଲେ। ସେହିପରି ସିଡିପିଓ ଶ୍ରୀମତୀ ଅଞ୍ଜଳି ମହାପାତ୍ର କହିଲେ, “ପିଲାର ପୋଷଣ, ସ୍ୱାସ୍ଥ୍ୟ ଆଉ ଶିକ୍ଷା ଉପରେ ଧ୍ୟାନ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।
ଅଙ୍ଗନବାଡ଼ି ଆଉ ସ୍କୁଲ୍ରେ ପିଲାକୁ ରଖନ୍ତୁ।”ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ପଦ୍ମନ ସାହୁ କହିଲେ, ପ୍ରତି ପଞ୍ଚାୟତରେ ଏ ସଚେତନତା ପହଞ୍ଚିବା ଦରକାର। ସରପଞ୍ଚ, ୱାର୍ଡ ମେମ୍ବର ମାନେ ନିଜ ଗାଁରେ ନଜର ରଖନ୍ତୁ ବୋଲି ମତ ରଖିଥିଲେ। ଶେଷରେ ସମସ୍ତ ଅତିଥି, ଆଉ ଜନତା ମିଶି ହାତ ଆମେ ନିଜ ଘରେ, ଦୋକାନରେ, ଜମିରେ କେବେ ଶିଶୁ ଶ୍ରମିକ ରଖିବୁ ନାହିଁ। ଯଦି କେଉଁଠି ଶିଶୁ ଶ୍ରମିକ ଦେଖିବୁ, ତୁରନ୍ତ ପ୍ରଶାସନକୁ ଜଣାଇବୁ। ବୋଲି ଶପଥ କରିଥିଲେ।ଯଦି କେଉଁଠି ଶିଶୁ ଶ୍ରମିକ ନିୟୋଜିତ ଥିବାର ଦେଖନ୍ତି ତାହାହେଲେ ଚାଇଲ୍ଡ ହେଲ୍ପଲାଇନ୍ ୧୦୯୮ କୁ ଫୋନ୍ କରନ୍ତୁ କିମ୍ବା ନିକଟସ୍ଥ ଥାନା କି ବ୍ଲକ୍ କାର୍ଯ୍ୟାଳୟକୁ ଜଣାନ୍ତୁ ବୋଲି ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଭୂୟାଁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ,ଦୋକାନୀ, ଅବିଭାବକ, ଯୋଗ ଦେଇଥିଲେ ।