ଜୁନିୟର ଛାତ୍ରଙ୍କୁ ଡାକି ନିସ୍ତୁକ ପିଟିଲେ ତୃତୀୟ ବର୍ଷର ଛାତ୍ର !

ସମ୍ବଲପୁର : ପୁଣି ଭିସୁଟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ଆସିଛି । ହଷ୍ଟେଲ ବାହାରକୁ ଡାକି ମାଡ ମାରିଥିବାର ଅଭିଯୋଗ ହୋଇଛି ।

ବିଶ୍ୱବିଦ୍ୟାଳୟର କ୍ରତୁଃ ଛାତ୍ରାବାସରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ବେଳେ ଅତ୍ରିରେ ତୃତୀୟ ବର୍ଷର ଛାତ୍ର ରହୁଛନ୍ତି। ଶନିବାର ରାତିରେ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ଫୋନ୍‌ କରିଥିଲେ। ତୁରନ୍ତ ଉକ୍ତ ଛାତ୍ରମାନଙ୍କୁ ଅତ୍ରି ହଷ୍ଟେଲ୍‌କୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଛାତ୍ରଙ୍କ ନିର୍ଦ୍ଦେଶମାନି ଏହି ୩ ଜଣ ଛାତ୍ର ଅତ୍ରି ଛାତ୍ରାବାସକୁ ଯାଇଥିଲେ। ସେଠାରେ ଏହି ୩ ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାନେ ଅଣ୍ଠେଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କନିଷ୍ଠ ଛାତ୍ରମାନେ ଏହାକୁ ବିରୋଧ କରିବାରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଛାତ୍ରମାନେ ତୁରନ୍ତ ଯେଭଳି ଅଭିଯୋଗ କରିନପାରିବେ ସେହି ଉଦ୍ଦେଶ୍ୟରେ ସେମାନଙ୍କ ମୋବାଇଲ୍‌ ଡାଟାକୁ ଡିଲିଟ୍‌ କରିବା ପରେ ମୋବାଇଲ୍‌ ମଧ୍ୟ ଭାଙ୍ଗି ଦିଆଯାଇଥିବା ନେଇ ଜନୈକ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଛାତ୍ରମାନେ ସେଠାରୁ ଫେରିଥିଲେ । ସକାଳୁ ହଷ୍ଟେଲ୍‌ ୱାର୍ଡେନ୍‌ ଅନୁପସ୍ଥିତ ଥିବାରୁ ତାଙ୍କୁ ଫୋନ୍‌ ଯୋଗେ ଉକ୍ତ ଛାତ୍ରମାନେ ଅବଗତ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଛାତ୍ରମାନଙ୍କ ଅଭିଭାବକ ବି ସମ୍ବଲପୁରରେ ଆସି ପହଞ୍ଚିସାରିଛନ୍ତି । ରବିବାର ଛୁଟି ଯୋଗୁ କୁଳପତିଙ୍କୁ ଭେଟି ସେମାନେ ଘଟଣା ସମ୍ପର୍କରେ ଅଭିଯୋଗ କରିପାରିନଥିବା ବେଳେ ସୋମବାର ଏନେଇ ବିଧିବଦ୍ଧ ଅଭିଯୋଗ ହେବ ବୋଲି ସୂଚନା ମିଳିଛି ।