ଦୁର୍ଘଟଣାରେ ଛଟପଟ ହୋଇ ମରିଗଲେ ଗେଡି

ରାଜପଥ ପାର ହେଉଥିବା ସମୟରେ ଅଜଣା ଗାଡ଼ି ….

ଜାରକା: ରାଜପଥ ପାର ହେଉଥିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଲା ଜଣେ ମହିଳାଙ୍କୁ । ମହିଳାଙ୍କ ସ୍ୱାମୀ ବଡ଼ ଦୟନୀୟ ଅବସ୍ଥାରେ ପଥଚାରୀଙ୍କୁ ସାହାଯ୍ୟ ମାଗିଲେ । ଏପରିକି ଜାରକା ଛକର ଦୁଇକଡ଼ରେ ଥିବା ଦୋକାନ ଗୁଡ଼ିକର ମାଲିକ ଅବା କର୍ମଚାରୀମାନେ ମଧ୍ୟ ଦୁର୍ଘଟଣାରେ ପୀଡ଼ିତ ମହିଳାଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲେନି । ମହିଳାଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିଲାନି । ନିଜେ ଗୋଟିଏ ଠେଲାଗାଡ଼ିରେ ଗୁରୁତର ଆହତ ପତ୍ନୀଙ୍କୁ ଧରି ଡାକ୍ତରଖାନାରେ ପହଂଚିଲେ; ମହିଳାଙ୍କୁ ପରୀକ୍ଷା କରି ମୃତ ଘୋଷଣା କଲେ ଡାକ୍ତର । ଠିକ୍‌ ସମୟରେ ଆମ୍ବୁଲାନ୍ସ ଆସିଥିଲେ ହୁଏତ ଆହତ ମହିଳାଜଣକ ବଂଚି ଯାଇଥାନ୍ତେ । ଠିକ୍‌ ସମୟରେ ଅନ୍ୟ କେହି ସାହାଯ୍ୟ କରିଥିଲେ, ହୁଏତ ଗୋଟିଏ ଜୀବନ ଚାଲିଯାଇ ନଥାନ୍ତା । ଏଇ ହେଉଛି ଜାରକା ଛକ ନିକଟରେ ରହୁଥିବା ଅରଣ୍ୟ ଗୁଇଁଙ୍କ କୋହଭରା କଥା । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆରପାରିକୁ ଚାଲିଗଲେ ତାଙ୍କ ପତ୍ନୀ ଗେଡି ଗୁଇଁ (୪୮) । ଆଜି ଯୋଉ ଘଟଣା ଅରଣ୍ୟଙ୍କ ଜୀବନରେ ଘଟିଛି; କାଲି ଯେ ଆଉ କାହା ଭାଗ୍ୟରେ ନଘଟିବ; କିଏ କହିବ?

ମଣିଷ ହୋଇ ମଣିଷକୁ ସାହାଯ୍ୟ କରିବାର ଚିନ୍ତାଶକ୍ତିର ଘୋର ଅଭାବ ଘଟିଛି । ମଣିଷ ମନରେ ଏଭଳି ଅଧୋପତନ କାହିଁକି? କୁହାଯାଏ, ଯେଉଁ ରାଜ୍ୟର ରାଜା ଧର୍ମପରାୟଣ; ସେ ରାଜ୍ୟର ଜନତାଙ୍କ ଚିନ୍ତାଧାରାରେ ମଧ୍ୟ ଧାର୍ମିକ ଚେତନା ରହିଥାଏ ।
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧର୍ମ ପରାୟଣତା ଉପରେ କାହାର ସନ୍ଦେହ ଅଛି? ପୁରୀ ଶ୍ରୀମନ୍ଦିର ଚାରିପଟକୁ ଅପରୂପ ସୁନ୍ଦରୀ କରି ଦେଇଛନ୍ତି । ମହାପ୍ରଭୁ ଜଗନ୍ନାଥ, ମା’ ସୁଭଦ୍ରା, ବଳିଆର ଭୁଜ ବଳଭଦ୍ରଙ୍କ ଖାଇବା, ପିଇବା ଓ ସେବାନୀତିରେ ସାମାନ୍ୟ ଊଣା କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଚାରିପଟକୁ ମଧ୍ୟ ଚକାଚକ୍‌ କରି ଦେଇଛନ୍ତି । ପ୍ରଭୁଙ୍କ ସେବାରେ କୌଣସି କୃପଣ କରିନାହାନ୍ତି । ସେପରି ଧର୍ମ ପରାୟଣ ମୁଖ୍ୟମନ୍ତ୍ରୀଙ୍କ ରାଇଜରେ ଜଣେ ବି ବିଜେଡି କର୍ମୀ ନଥିଲେ ଅରଣ୍ୟ ଗୁଇଁଙ୍କୁ ସାହାଯ୍ୟ କରିବା ପାଇଁ ।

ରାଜ୍ୟରେ ବିଜେଡି କର୍ମୀଙ୍କ ସଂଖ୍ୟା ପ୍ରାୟ ୬୦ ଲକ୍ଷ ବୋଲି ଖୋଦ୍‌ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ହଳିଆ କହିଛନ୍ତି । ୬୦ ଲକ୍ଷ ବିଜେଡି କର୍ମୀଙ୍କ ଭିତରୁ ଜଣେ ବି କର୍ମୀ ଅରଣ୍ୟଙ୍କୁ ସାହାଯ୍ୟ କଲେନି । ସତରେ ଭଗବାନଙ୍କ ଆଶୀର୍ବାଦ ନଥିଲେ, କେହି ବି ସାହାଯ୍ୟ କରିବେନି । କାହାକୁ କହିବା, କପାଳରେ ସିନା କର ମାରିବା । ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଆମ୍ବୁଲାନ୍ସ ମଧ୍ୟ ଶାଗୁଣା ପାଲଟିଯାଏ ।