ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ବ୍ରହ୍ମପୁର : ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ। ଗଞାମ ଜିଲ୍ଲା ରେ ୧୬ ଏନ୍.ଏ.ସି, ଗୋଟିଏ ପୌର ପରିଷଦ ଏବଂ ଗୋଟିଏ ମହାନଗର ନିଗମ ପାଇଁ ନିର୍ବାଚନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । ପୌର ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ଟକରା ଟକରି।

ପ୍ରଥମ ଥର ଏହି ମହାନଗର ନିଗମ ପାଇଁ ପ୍ରତ୍ଯକ୍ଷ ଭାବେ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ଚଳିତ ମାସ ୨ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଧାର୍ଯ୍ଯ ହୋଇଥିବା ବେଳେ ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିବା ସମୟ ଧାର୍ଯ୍ଯ କରାଯାଇଛି । ସକାଳ ୧୧ ଟା ଠାରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଧାର୍ଯ୍ଯ କରାଯାଇଛି ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମସ୍ତ ପ୍ରକାର ସୁବ୍ଯବସ୍ତା କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ୬୦ ଜଣ ଫର୍ମ ନେଇଥିବା ବେଳେ ୫୮ ଜଣ କୋର୍ପୋରେଟର ଏବଂ ଦୁଇ ଜଣ ମେୟର୍ ପଦ ପାଇଁ ନେଇଥିବା ଜଣାପଡିଛି ।