ସୁନାମୁଣ୍ଡା ହୋଇଗଲେ ଅଭିଯୁକ୍ତ ବ୍ୟାଙ୍କ ପରିଚାଳକ

ମହାପ୍ରଭୁ ଜଗନ୍ନାଥଙ୍କ ଅନୁମତି ବିନା ଗଛର ପତ୍ରଟିଏ ହଲନ୍ତି ନାହିଁ । ଦେଶର ବ୍ୟାଙ୍କଗୁଡ଼ିକରୁ କୋଟିକୋଟି ଟଙ୍କା ଚଳୁ କରି ନେଉଛନ୍ତି ବ୍ୟବସାୟୀ ଗୋଷ୍ଠୀ । ଏଥିରୁ ବୁଝାପଡୁଛି, ବ୍ୟାଙ୍କରେ ନିଯୁକ୍ତ କର୍ମଚାରୀମାନେ ନିହାତି ମୂର୍ଖ ନଚେତ ଆବଶ୍ୟକଠାରୁ ଅଧିକ ଚାଲାକ । ଯୋଉ ବ୍ୟାଙ୍କଗୁଡ଼ିକରୁ ଯୋଉ ବ୍ୟବସାୟୀ ଓ ଶିଳ୍ପପତିମାନେ କୋଟିକୋଟି ଟଙ୍କା ଋଣ ସୁବିଧା ପାଇଲେ, ସଂପୃକ୍ତ ବ୍ୟାଙ୍କର ତକ୍ରାଳୀନ ବ୍ୟାଙ୍କ ପରିଚାଳକ ଓ କ୍ଷେତ୍ରୀୟ ଅଧିକାରୀଙ୍କ ବିନା ସୁପାରିଶରେ ଏତେବଡ଼ ବ୍ୟାଙ୍କ ଜାଲିଆତି ସମ୍ଭବ ନୁହେଁ ।

ନିରବ ମୋଦି କି ବିଜୟ ମାଲ୍ୟା ହୁଅନ୍ତୁ । ବ୍ୟାଙ୍କ ଉଚ୍ଚ ଅଧିକାରୀଙ୍କୁ କୌଣସି ମତେ ପ୍ରଭାବିତ କରି ବ୍ୟବସାୟୀମାନେ ଜନତାଙ୍କ ଟଙ୍କା ନେଇଛନ୍ତି । ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀମାନେ ନିଜକୁ ଦୋଷମୁକ୍ତ କରିବା ପାଇଁ ନାନା ବାହାନା କରୁଛନ୍ତି ଆଉ ସରକାର ସେଗୁଡ଼ିକୁ ସତ ମଣି କେବଳ ବ୍ୟବସାୟୀଙ୍କୁ ଦୋଷୀ ଭାବୁଛନ୍ତି ।

ନିକଟରେ ଭୁବନେଶ୍ୱରର ଅଶୋକନଗରସ୍ଥିତ ଦ୍ୱାରକା ଜୁଏଲର୍ସ ଓ ତା’ର ଭାଗୀଦାରଙ୍କୁ ବ୍ୟାଙ୍କ ଜାଲିଆତି ଘଟଣାରେ ଗିରଫ କରାଯାଇଛି । ମାତ୍ର ସଂପୃକ୍ତ ବ୍ୟାଙ୍କର ତକ୍ରାଳୀନ ପରିଚାଳକଙ୍କୁ ଗିରଫ କରିନି ସିବିଆଇ ।

ସୂଚନା ମୁତାବକ ଭୁବନେଶ୍ୱର ସିବିଆଇ କେତୋଟି ଜାଗାରେ ଚଢ଼ଉ କରିବା ସହିତ ଷ୍ଟେସନବଜାର ଅଂଚଳରୁ ଦ୍ୱାରକାନାଥ ପାତ୍ର, ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ପାତ୍ର, ଦ୍ୱାରକାନାଥଙ୍କ ପୁଅ ଉମାଶଙ୍କର ପାତ୍ର, ଉମାଶଙ୍କରଙ୍କ ପତ୍ନୀ ଶୁଭଶ୍ରୀ ପାତ୍ର, ଦ୍ୱାରକାନାଥଙ୍କ ଝିଅ ବିଲକିସ୍‌ ପାତ୍ରଙ୍କ ସମେତ ଆଉ କିଛିି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତମାନେ ଇଣ୍ଡିଆନ ବ୍ୟାଙ୍କ ଆଖିରେ ଧୂଳି ପକାଇ ଚାରିକୋଟି ଟଙ୍କା ଲୁଟିଥିବା ସିବିଆଇ କହିଛି । ମାତ୍ର କେତେ ସତ ତାହା ଆଗାମୀ ଦିନରେ ଜଣାପଡ଼ିବ ।