ପୁଲିସକୁ ନିକମା କରିଦେଲେ ନବୀନ ପଟ୍ଟନାୟକ

ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାକୁ ବର୍ଷେ ବିତିଲା । ମୃତ୍ୟୁର କାରଣ ପଦାକୁ ଆସି ପାରିଳାନି । ଏବେ ସୁଦ୍ଧା ଦୋଷୀ ଲୋକଙ୍କ ପଛରେ ଧାଇଁଛି ପୁଲିସ । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ତକ୍ରାଳୀନ ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଥିଲେ । ସଂପୃକ୍ତ ଘଟଣାକୁ କେନ୍ଦ୍ର କରି ବହୁ ତୁମ୍ବିତୋଫାନ ହେଲା । ହେଲେ ଘଟଣାଟି ଏ ଯାଏ ରହସ୍ୟ ହୋଇରହିଛି । ଏହାର ଦୁଇଟି କାରଣ: ପ୍ରଥମଟି ଆମ ପୁଲିସ ପ୍ରଶାସନରେ ଲାଂଚ ଦେଇ ଚାକିରି କରିଥିବା ଲୋକଙ୍କ ସଂଖ୍ୟା ଅଧିକ । ଦ୍ୱିତୀୟଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭୟରେ ରହିଥିବା ନେତାଙ୍କୁ ଗିରଫ କରିବା ପାଇଁ ଆମ ପୁଲିସ ନିକଟରେ ସାହସ ନାହିଁ ।

ସାଧାରଣ ଜନତାଙ୍କ ଉପରେ ନାଲିଆଖି ଦେଖାଇବାକୁ ଆମ ପୁଲିସବାବୁଙ୍କ ପାଖରେ ଯଥେଷ୍ଟ ସାହସ ଅଛି । ହେଲେ ଅଭିଯୁକ୍ତ ବିଧାୟକ ଓ ସାଂସଦଙ୍କ ନାମ ଶୁଣିଲେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କଛା ଫିଟିଯାଉଛି । ଗାଙ୍ଗଷ୍ଟର ହାଇଦରକୁ ଏନକାଉଂଟର କରି ସୌମେନ୍ଦ୍ର ରାତାରାତି ଷ୍ଟାର ବନିଗଲେ ।

ହେଲେ ୨୦୨୨ ଜୁଲାଇ ୨ ତାରିଖରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କର ସନ୍ଦେହଜନକ ଆତ୍ମହତ୍ୟାର ଖିଅ ଧରିପାରିଲେନି ସୌମେନ୍ଦ୍ର । ରୁଚିକାଙ୍କ ମୋବାଇଲ ସିଙ୍ଗାପୁର ବୁଲି ଆସିଲା । ମାତ୍ର ଅପରାଧିଙ୍କ ନିକଟରେ ପହଂଚି ପାରିନି ପୁଲିସ ।

୨୦୨୨ ଜାନୁଆରୀ ୩୦ ତାରିଖରେ ଇନଫୋସିଟି ଥାନା ନନ୍ଦନବିହାର ଅଂଚଳର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ୟା କଲେ । ସଂପୃକ୍ତ ଘଟଣାରେ ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମା’ ସନ୍ଦେହ ପରିସରକୁ ଆସିଲେ । ମାତ୍ର ପୁଲିସ ଗାଡ଼ିର ଚକ ବାଟ ହୁଡ଼ିଗଲା । ଏବେସୁଦ୍ଧା ଅସଲ ଅପରାଧି କେଶକୁ ଧରିପାରିନି ପୁଲିସ ।

ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟାକୁ ୩ ମାସ ବିତିଲାଣି । ମୃତକଙ୍କ ମୋବାଇଲରୁ ବହୁତ କିଛି ତଥ୍ୟ ବାହାରିଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିନି । ନବୀନ ପଟ୍ଟନାୟକଙ୍କ ସରକାର ପୁଲିସକୁ ଅଧିକ କ୍ଷମତାଶାଳୀ କରିବା ପରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ।