ଅନ୍ନ ଭଣ୍ଡାର ଯୋଜନା ପୃଥିବୀର ସର୍ବବୃହତ୍ ସ୍କିମ୍, ସବୁ ବ୍ଲକରେ ଖାଦ୍ୟ ଗୋଦାମ

World’s Largest Grain Storage Plan

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ଅନ୍ନ ଭଣ୍ଡାର ଯୋଜନାକୁ ମଞ୍ଜୁରୀ ଦେଇଛି । ସମବାୟ କ୍ଷେତ୍ରରେ ଖାଦ୍ୟଶସ୍ୟ ମହଜୁଦ୍ ସାମର୍ଥ୍ୟ ବଢାଇବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅନ୍ନ ଭଣ୍ଡାର ଯୋଜନା ପୃଥିବୀର ଏ ସମ୍ବନ୍ଧୀୟ ସର୍ବବୃହତ୍ ସ୍କିମ୍ ।

ନୂଆ ଯୋଜନା ଅନୁଯାୟୀ ୧ଲକ୍ଷ କୋଟି ଟଙ୍କା ନିବେଶ କରାଯାଇ ପୃଥିବୀର ସର୍ବବୃହତ୍ ଅନ୍ନ ଭଣ୍ଡାର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଧା ଦେଶର ଅନ୍ନ ଭଣ୍ଡାର ସାମର୍ଥ୍ୟ ୧୪୫୦ ଲକ୍ଷ ଟନ୍ରେ ସୀମିତ ରହିଛି । ଏଣିକି ସମବାୟ କ୍ଷେତ୍ରରେ ଆଉ ୭୦୦ ଲକ୍ଷ ଟଙ୍କା ଖାଦ୍ୟ ଶସ୍ୟ ମହଜୁଦ୍ ରଖିବା ବ୍ୟବସ୍ଥା ହେବ । ଫଳତଃ ତାହା ୨୧୫୦ ଲକ୍ଷ ଟନ୍କୁ ବୃଦ୍ଧି ପାଇବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ପୃଥିବୀର ବୃହତ୍ତମ ଉତ୍ପାଦକ ଦେଶ, ଯଥା- ଚୀନ୍, ଆମେରିକା, ବ୍ରାଜିଲ, ରୁଷ୍ ଓ ଆର୍ଜେଣ୍ଟିନାରେ ନିଜ ବାର୍ଷିକ ଉତ୍ପାଦନଠାରୁ ଅଧିକ ଖାଦ୍ୟଶସ୍ୟ ମହଜୁଦ ରଖିବା ବ୍ୟବସ୍ଥା ଉପଲବ୍ଧ । ବାର୍ଷିକ ପ୍ରାୟ ୩୧୦୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିଲେହେଁ ଏବେ ଦେଶର ଖାଦ୍ୟଶସ୍ୟ ମହଜୁଦ ସାମର୍ଥ୍ୟ ବାର୍ଷିକ ଉତ୍ପାଦନର ମାତ୍ର ୪୭ ପ୍ରତିଶତ ରହିଛି । ଏହି କାରଣରୁ ବିପୁଳ ଖାଦ୍ୟଶସ୍ୟ ନଷ୍ଟ ହେଉଛି । ଚାଷୀମାନେ ଉତ୍ପାଦିତ ଖାଦ୍ୟଶସ୍ୟର ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ସେବା ସମବାୟ ସମିତିଗୁଡିକୁ ଗତିଶୀଳ କରାଇବା ଉଦେ୍ଦଶ୍ୟରେ ଅନେକ ପଦକ୍ଷେପ ନିଆଯାଉଛି ।

ପ୍ରତି ବ୍ଲକରେ ୨ ହଜାର ଟନ୍ ଖାଦ୍ୟଶସ୍ୟ ମହଜୁଦ୍ ରହିବା ଭଳି ଗୋଦାମ ନିର୍ମାଣ କରାଯିବ। ଆସନ୍ତା ୫ବର୍ଷରେ ଖାଦ୍ୟଶସ୍ୟ ମହଜୁଦ ରଖିବାର ସାମର୍ଥ୍ୟକୁ ୨୧୫୦ ଲକ୍ଷ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଫଳତଃ ଖାଦ୍ୟଶସ୍ୟ ଆଉ ନଷ୍ଟ ହେବ ନାହିଁ। ଚାଷୀମାନଙ୍କୁ ସଙ୍କଟ ସମୟରେ ନିଜ ଉତ୍ପାଦିତ ଖାଦ୍ୟଶସ୍ୟର ଆଉ ଅଭାବୀ ବିକ୍ରି କରିବାକୁ ପଡିବ ନାହିଁ। ସେହିପରି ଆମଦାନୀ ଉପରେ ନିର୍ଭରତା କମିବ । ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ବଢିବ । ପୁନଶ୍ଚ ଭଣ୍ଡାର ସାମର୍ଥ୍ୟ ବୃଦ୍ଧି ପାଇଲେ ଚାଷୀଙ୍କ ପରିବହନ ବାବଦ ଖର୍ଚ୍ଚ କମିବ। ଖାଦ୍ୟ ସୁରକ୍ଷା ମଜବୁତ୍ ହେବ।