ଚାଷୀଙ୍କ ସୁଦିନ ପେରିବ! ହିଡ଼ମୁଣ୍ଡରେ ଫସଲବିକି ହେବେ ମାଲାମାଲ

ଶସ୍ୟ ବିକାକିଣା ପାଇଁ ରହିବନି ସୀମା କଟକଣା

ଅନ୍ୟ ରାଜ୍ୟର ଚାଷୀ ଓ ବ୍ୟବସାୟୀମାନେ ଓଡ଼ିଶା ବଜାରକୁ ଆସି ଇଛା ମୁତାବକ ଶସ୍ୟ କିଣିପାରିବେ । ଏଥିପାଇଁ କୃଷି ବିପଣନ ଆଇନ ସଂଶୋଧନ ଉପରେ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶା ମଣ୍ଡି ବ୍ୟବସ୍ଥାରେ କୃଷିଜାତ ଦ୍ରବ୍ୟ କିଣାବିକା ପାଇଁ ରହିଥିବା କଟକଣାକୁ ଉଠାଇ ଦିଆଯିବ । ଖୁବ ଶୀଘ୍ର ରାଜ୍ୟ ସରକାର ଏହାର ପ୍ରତିକାର କରିବେ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟ ଓସାମ ବୋର୍ଡ ଦେଇଥିବା ପ୍ରସ୍ତାବକୁ ତର୍ଜମା କରୁଛି ସମବାୟ ବିଭାଗ ।

ସୂଚନା ମୁତାବକ ପ୍ରାଥମିକ ପର୍ଯ୍ୟାୟରେ କଟକଣାମୁକ୍ତ ଜାତୀୟ ସ୍ତରର ମଣ୍ଡି ଜରିଆରେ ମକା, କପା, ଲଙ୍କା ଓ ଅଦା ବିକାଯିବ । ନବରଙ୍ଗପୁରରେ ମକା, ରାୟଗଡ଼ାର ଗୁଣୁପୁରରେ କପା, ସମ୍ବଲପୁର କୁଚିଣ୍ଡାରେ ଲଙ୍କା ଓ କୋରାପୁଟ ଆରଏମସିରେ ଅଦା ବିକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଚାଷୀ ଆନେ୍ଦାଳନ କାରଣରୁ ସଂଶୋଧିତ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ବାଧ୍ୟ ହୋଇଥିଲେ । ମାତ୍ର କିଛିଦିନର ବିରତି ପରେ ତାହା ପୁଣି ଫେରିଛି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ୟୁପି, ରାଜସ୍ଥାନ, ତେଲେଙ୍ଗାନା, କର୍ଣ୍ଣାଟକ ଓ ବିହାରରେ ଜାତୀୟ ମଣ୍ଡି ପ୍ରତିଷ୍ଠା କରିଛି କେନ୍ଦ୍ର ।

ଜାତୀୟସ୍ତରୀୟ ବିଶେଷଜ୍ଞ କମିଟିରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସାମିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁସାରେ ସାରା ଭାରତକୁ ଗୋଟିଏ କୃଷି ବଜାର ଭାବେ ବିବେଚନା କରାଯିବ । ୟୁପିର ଚାଷୀମାନେ ଓଡ଼ିଶା ବଜାରକୁ ଆସି ସେମାନଙ୍କର ଶସ୍ୟ ବିକିପାରିବେ ଓ ଓଡ଼ିଶାର ଚାଷୀମାନେ ୟୁପି ବଜାରରେ ଶସ୍ୟ ବିକିପାରିବେ ।

ଏପରି ହେଲେ ଦଲାଲି ବ୍ୟବସ୍ଥା ଉଚ୍ଛେଦ ହୋଇଯିବ ବୋଲି ଯାହା କୁହାଯାଉଛି, ତାହା ଉପରୁ ଅନେକଙ୍କର ସନେ୍ଦହ ଦୂରୀଭୂତ ହୋଇନାହିଁ । ଅଧିକାଂଶ କୃଷି ବିଶେଷଜ୍ଞ କହିଛନ୍ତି, ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ମାତ୍ର ତା’ର ବାସ୍ତବ ରୂପାୟନ ନଦେଖିଲା ପର୍ଯ୍ୟନ୍ତ କିଛି ମତାମତ ଦେବା ଅନୁଚିତ ।