ଗଂଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି

ଗଜପତି: ଗଜପତି ଜିଲ୍ଲାର ସବୁଜ ବନାନୀ ଏବେ ଚୋରା ଗଂଜେଇ ବେପାରୀଙ୍କ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ପାଲଟିଛି । ଘଂଚ ଜଙ୍ଗଲ ଭିତରେ ଶତାଧିକ ଏକର ବ୍ୟାପୀ ଅଂଚଳରେ ବେଆଇନ ଗଂଜେଇ ଚାଷ କରାଯାଉଛି ।

ବିଶେଷ କରି ଦୁର୍ଗମ ପାହାଡ଼ିଆ ଅଂଚଳରେ ଗଂଜେଇ ଚାଷ କରିବା ସବୁଠାରୁ ସୁରକ୍ଷିତ ବୋଲି ଚାଷୀମାନେ ବିଚାର କରୁଛନ୍ତି । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଗଜପତି, ଗଂଜାମ, ରାୟଗଡ଼ା ଓ କନ୍ଧମାଳ ଅଂଚଳରେ ବ୍ୟାପକ ଗଂଜେଇ ଚାଷ ଚାଲିଛି ।
ବେଆଇନ ଗଂଜେଇ ଚାଷ କାରଣରୁ ଗଜପତି ଜିଲ୍ଲାଟି କୁଖ୍ୟାତ ଅର୍ଜନ କରିଛି ।

ଅଧିକ ଲାଭ ଆଶାରେ ନିରୀହ ଲୋକମାନେ ପେଟ ପାଟଣା ପାଇଁ ଗଂଜେଇ ଚାଷକୁ ବେଉସା ଭାବେ ଧରି ନେଇଛନ୍ତି । ରାଜ୍ୟ ବାହାର ବେପାରୀମାନେ ଚାଷୀଙ୍କ ନିକଟରୁ ଗଂଜେଇ କିଣିଥାନ୍ତି ।
ବନ କର୍ମଚାରୀ ଓ ପୁଲିସ ଏକାଧିକବାର ଧରପଗଡ଼ କରି ଗଂଜେଇ ଗଛଗୁଡ଼ିକୁ ନଷ୍ଟ କରୁଛନ୍ତି । ମାତ୍ର ସ୍ଥିତି ବଦଳିବାର ନାମ ଧରୁନି ।