ଫେରୁଛି କୋଭିଡ୍‌-୧୯: ଜୀବନ ନେଇଯାଉଛି ଏଚ୍‌୩ଏନ୍‌୨

କରୋନା ସଂକ୍ରମଣ ଦୁଇଗୁଣ ବୃଦ୍ଧି ପାଇଥିଲା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି….

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ସୁହାଇଛି ଅଚାନକ ପାଗ ବ୍ୟତିକ୍ରମ । ତା’ ସହିତ ଲୋକଙ୍କୁ ଆକ୍ରାନ୍ତ କରୁଛି ଏଚ୍‌୩ଏନ୍‌୨ ଭାଇରାଲ ଫିଭର । ଏହି ଜ୍ୱର ଲକ୍ଷଣଗୁଡ଼ିକ କୋଭିଡ୍‌-୧୯ ଭଳି ନହେଲେ ମଧ୍ୟ ଜୀବନ ନେଇଯିବାର ଦମ୍‌ ରଖିଛି । ତେଣୁ କୋଭିଡ୍‌-୧୯ ଭଳି ମାସ୍କ ଧାରଣ ଓ ଗହଳିକୁ ବାରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଣ୍ଡଳୀ ପରାମର୍ଶ ଦେଉଛନ୍ତି । ଦରକାର ପଡ଼ିଲେ ସଂକ୍ରମିତଙ୍କୁ ଏକାନ୍ତବାସ ଓ ହାତଗୋଡ଼ ପରିଷ୍କାର ରଖିବାକୁ କୁହାଯାଉଛି ।

ଏଚ୍‌୩ଏନ୍‌୨ ଜ୍ୱରକୁ ଇନ୍‌ଫ୍ଲୁଏଂଜା-ଏ ଭାଇରସ୍‌ର ଉପ-ପ୍ରଜାତି ଅନ୍ତର୍ଭୁକ୍ତ କରାଯାଇଛି । ଭାରତରେ ଉଭୟ କରୋନା ଓ ଏଚ୍‌୩ଏନ୍‌୨ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତାଜନକ ପରିସ୍ଥିତି ଉପୁଜିଛି । କରୋନା ସଂକ୍ରମଣ ଦୁଇଗୁଣ ବୃଦ୍ଧି ପାଇଥିଲା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି । ଦୁଇଟିଯାକ ବିପଦରୁ କିଭଳି ଦୂରତ୍ୱ ରକ୍ଷା କରିହେବ, ତାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ଜାରି କରିଛି ।

ଏଚ୍‌୩ଏନ୍‌୨ ସଂକ୍ରମିତ ବ୍ୟକ୍ତି କି ମହିଳାଙ୍କ କାଶ ଅବା ଛିଙ୍କ ବାଟ ଦେଇ ବାୟୁମଣ୍ଡଳରେ ମିଶୁଥିବା ଜୀବାଣୁ ଯେକୌଣସି ସୁସ୍ଥଲୋକଙ୍କୁ ସହଜରେ ସଂକ୍ରମଣ କରିପାରୁଛି । ସାଧାରଣ ଜ୍ୱର ଭଳି ମନେ ହେଉଥିଲେ ମଧ୍ୟ ଶରୀରର ତାପମାତ୍ର ହଠାତ୍‌ କମିଯାଉଛି ତ ହଠାତ୍‌ ବଢ଼ିଯାଉଛି ।

ଗଳାରେ ଖିଚ୍‌ଖିଚ୍‌, ନାକରୁ ପାଣି ବହିବା, ଶ୍ୱାସକ୍ରିୟାରେ ବାଧା ଉପୁଜିବା, ହାଲିଆ ଅନୁଭବ କରିବା, ମୁଣ୍ଡବିନ୍ଧା ହେବା ଭଳି ଲକ୍ଷଣ ପ୍ରକାଶ ପାଉଛି । ଏହି ଜ୍ୱର ପ୍ରାୟ ତିନିସପ୍ତାହ ଧରି ସକ୍ରିୟ ରହୁଥିବାରୁ ଉଭୟ ସରକାର ଓ ଜନତା ଚିନ୍ତାରେ ପଡିଛନ୍ତି ।ଏଭଳିି ସଂକ୍ରମଣଠାରୁ ଯଥାସମ୍ଭବ ଦୂରତ୍ୱ ରକ୍ଷା କରିବା ପାଇଁ ସରକାର ବାରମ୍ଭାର ତାଗିଦ କରୁଛନ୍ତି । ମୋଟ ଉପରେ କହିଲେ, ଉଭୟ କରୋନା ଓ ଏଚ୍‌୩ଏନ୍‌୨ କ୍ଷେତ୍ରରେ ସମାନ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।