୮୦ ଲକ୍ଷ ଟଙ୍କା ପାଇଁ ଭିକାରୀକୁ ହତ୍ୟା

ଲୋଭ ମଣିଷକୁ ନାନା ଅପରାଧ କରିବା ପାଇଁ ବାଧ୍ୟ କରେ ।  ଅହମ୍ମଦାବାଦ କ୍ରାଇମ୍‌ ବ୍ରାଂଚ୍‌ ସୂଚନା ଅନୁସାରେ ୧୭ ବର୍ଷ ପୂର୍ବେ ୟୁପି ଅନ୍ତର୍ଗତ ଆଗ୍ରା ରୋଡରେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ଉକ୍ତ ମାମଲାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ୮୦ ଲକ୍ଷ ଟଙ୍କା ବୀମା ରାଶି ପାଇଥିଲେ । ଭିକାରୀକୁ ହତ୍ୟା କରିବା ପରେ ତାକୁ ଦୁର୍ଘଟଣା ରୂପ ଦେଇ ଅନିଲ ସିଂ ନାମକ ଜଣେ ଯୁବକ ୮୦ ଲକ୍ଷ ଟଙ୍କାର ବୀମାରାଶି ହଡ଼ପ କରିଥିଲେ ।

ପୁଲିସ ତଦନ୍ତ ରିପୋର୍ଟ ମୁତାବକ, ୨୦୦୪ରେ ଅନିଲ ସିଂ ତା’ ପରିବାର ସହିତ ମିଶି ଏଲଆଇସି ବୀମାରାଶି ପାଇବାକୁ ଷଡ଼ଯନ୍ତ୍ର କରିଥିଲା । ୨୦୦୬ ମସିହାରେ ନିଜକୁ ମୃତ ଦର୍ଶାଇବା ପାଇଁ ଅନିଲ ଆଗ୍ରାରେ ଜଣେ ଭିକାରୀକୁ ତାଙ୍କ କାରରେ ବସାଇ ସେଥିରେ ନିଅାଁ ଲଗାଇ ଦେଇଥିଲେ । ଅନିଲଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ତାଙ୍କ ପରିବାର ବୀମା କମ୍ପାନୀରୁ ୮୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଅନିଲ ସିଂ ତାଙ୍କ ନାମ ବଦଳାଇ ରାଜକୁମାର ଚୌଧୁରୀ ନାମରେ ଅହମ୍ମଦାବାଦରେ ବସବାସ କରିବାକୁ ଲାଗିଲେ । ନିଜ ନାମ ବଦଳାଇବା ସହ ଅନିଲ ତାଙ୍କ ବାପା ବିଜୟପାଲଙ୍କ ନାମ ମଧ୍ୟ ବଦଳାଇ ବିଜୟ କୁମାର କରିଥିଲେ ।

୧୭ ବର୍ଷ ତଳେ ଘଟିଥିବା ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବେ ପୁଲିସ ହାତରେ ଧରାପଡ଼ିଛି । ପୁଲିସ ହାତରେ ଧରାପଡ଼ିବା ପରେ ଅନିଲ ଅପରାଧ ସ୍ୱୀକାର କରିଛି । ଅନିଲ କହିଛି ଯେ ସେ ଆଗ୍ରା ଟୋଲ ଗେଟ୍‌ ପାଖରେ ଜଣେ ଭିକାରୀକୁ ଦେଖି ତାକୁ ଖାଦ୍ୟ ଖୁଆଇବାର ବାହାନା କରି ଗାଡ଼ିରେ ବସାଇଥିଲେ । ଖାଦ୍ୟରେ ନିଶା ବଟିକା ମିଶାଇ ଥିବାରୁ ଭିକାରୀଟି ଖାଦ୍ୟ ଖାଇବାର କିଛି ସମୟ ପରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲା । ଅନିଲ ଭିକାରୀକୁ ଚାଳକ ଆସନରେ ବସାଇ କାରଟିରେ ନିଅାଁ ଲଗାଇ ଦେଇଥିଲା । ବାପା ଓ ଭାଇ ସହିତ ମିଶି ଅନିଲ ଏଭଳି ଷଡ଼ଯନ୍ତ୍ର କରିଥିଲା ଖାସ୍‌ ବୀମାରାଶି ପାଇବାକୁ ।