ହାତୀ ଗଳିଗଲା, ବଳି ପଡ଼ିଗଲେ ଶ୍ୟାମସୁନ୍ଦର

ସତରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ନୀତି ବଡ଼ ବିଚିତ୍ର । ଦୁର୍ନୀତି ଓ ଭ୍ରଷ୍ଟାଚାରର କଳାପାହାଡ଼ମାନେ ନବୀନଙ୍କ ଜାଲରେ ଧରା ପଡୁନାହାନ୍ତି । ମାତ୍ର ପେଟ ପୋଷିବା ପାଇଁ ଛୋଟ ଛୋଟ ଜାଲିଆତି କରୁଥିବା ଦୁଇଗୋଡ଼ିଆ ଚରିତ୍ରଗୁଡ଼ିକ ଧରାପଡ଼ି ହିନସ୍ତା ଭୋଗୁଛନ୍ତି ।

କେବଳ ଶିକ୍ଷା ବିଭାଗରେ ନୁହେଁ, ରାଜ୍ୟର ପ୍ରାୟ ସବୁ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଭିତରୁ ଅଧିକାଂଶ ଜାଲ ସାର୍ଟିଫିକେଟ ଅଧିକାରୀ । ଜାଲ ସାର୍ଟିଫିକେଟ୍‌ ବଳରେ ଚାକିରି କରିବା ଯୋଜନାଟି ବିଜୁ ପଟ୍ଟନାୟକଙ୍କ ମସ୍ତିଷ୍କରୁ ବାହାରିଥିଲା ଯାହାକୁ ରାଜ୍ୟର ଅଧାପାଠୁଆ ଲୋକମାନେ ପାଳନ କରି ଆସୁଛନ୍ତି । ଜାଲ ସାର୍ଟିଫିକେଟ୍‌ ବଳରେ ସରକାରୀ ଚାକିରି କରି ବହୁ କର୍ମଚାରୀ ଅବସର ଗ୍ରହଣ କରି ପେନ୍‌ସନ୍‌ ପାଉଛନ୍ତି । ସେମାନଙ୍କ ବିରୋଧରେ ରାଜ୍ୟ ସରକାର କି ପଦକ୍ଷେପ ନେବେ?

ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଂଟର କୋର୍ଡିନେଟର (ବିଆରସିସି) ଶ୍ୟାମସୁନ୍ଦର ପଧାନ ଜାଲ ସାର୍ଟିଫିକେଟ୍‌ ବଳରେ ଚାକିରି କରୁଥିଲେ । ୨୦୧୧ ମସିହାରୁ ଚାକିରି କରୁଥିଲେ ଶ୍ୟାମସୁନ୍ଦର । ଦୀର୍ଘ ୧୨ ବର୍ଷ ପରେ ତାଙ୍କ ବିଇଡି ସାର୍ଟିଫିକେଟ୍‌ ଜାଲ ବୋଲି ଜଣାପଡ଼ିଲା ।

ତୁଷୁରା ପୁଲିସ ଅଭିଯୁକ୍ତ ଶ୍ୟାମସୁନ୍ଦରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ରାଜ୍ୟରେ ହାତଗଣତି ବିଇଡି କଲେଜ ଥିବାରୁ ଜାଲ ସାର୍ଟିଫିକେଟ୍‌ ର‍୍ୟାକେଟ୍‌ ସକ୍ରିୟ ହୋଇଛି । ସେକଥା ରାଜ୍ୟ ସରକାରଙ୍କୁ ବୁଝାଇବାକୁ ପଡ଼ିବନି ।