ସ୍କୁଲ ବସରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ

ବସ୍‌ ଡ୍ରାଇଭର ଜଣକ ସ୍କୁଲରୁ ଘରକୁ ଫେରିବା ସମୟରେ ଶିଶୁକନ୍ୟାକୁ ଦୁଷ୍କର୍ମ କରି..

ଭୋପାଳ : ମଧ୍ୟପ୍ରଦେଶ ରାଜଧାନୀରୁ ଛାତି ଥରାଇବା ଭଳି ପାଶବିକତା ସାମ୍ନାକୁ ଆସିଛି । ଏଠାରେ ସ୍କୁଲ ବସରେ ଜଣେ ସାଢେ ୩ ବର୍ଷୀୟା ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ବସ୍‌ ଡ୍ରାଇଭର ଶିଶୁ ସହ ଦୁଷ୍କର୍ମ କରିଛି । ବସରେ ଜଣେ ମହିଳା ହେଲପରଙ୍କ ଉପସ୍ଥିତିରେ ଡ୍ରାଇଭର ଏହି କାଣ୍ଡ ଭିଆଇଛି । ପୋଲିସ ଉଭୟ ସ୍କୁଲ ବସ୍‌ ଡ୍ରାଇଭର ଏବଂ ମହିଳା ହେଲପରଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ବସ୍‌ ଡ୍ରାଇଭର ଜଣକ ସ୍କୁଲରୁ ଘରକୁ ଫେରିବା ସମୟରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା । ପିଲାଟିର ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ସେ ନିଜର ମାଆଙ୍କୁ ଜଣାଇଥିଲେ । ମାଆ ମଧ୍ୟ ଝିଅ ଦେହରେ ଦାଗ ଦେଖି ପଚାରିବାରୁ ପୀଡିତା ବସ୍‌ରେ ଘଟିଥିବା ସମସ୍ତ ଘଟଣା କହିଥିଲେ । ଏହାପରେ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଦେଇଥିଲେ ।

ଅନ୍ୟପଟେ ବସ୍‌ରେ ଥିବା ମହିଳା ହେଲପରଙ୍କ ଉପସ୍ଥିତିରେ ଏସବୁ ଘଟିଥିବା ବେଳେ ସେ ମଧ୍ୟ ଏହାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ । ଏହାପରେ ପୋଲିସ ବସ୍‌ ଡ୍ରାଇଭରକୁ ଗିରଫ କରିଛି । ସେପଟେ ଘଟଣା ପଦାକୁ ଆସିବା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।