୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ନିଜକୁ ପୁଲିସ ପରିଚୟ ଦେଇ ୩ ଜଣ ଯୁବକ ନାବାଳିକା ଓ ତାଙ୍କ ସାଙ୍ଗଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଜଣେ ସାଙ୍ଗଙ୍କ ସହ କାଳକାଜୀ ମନ୍ଦିର ଯାଇଥିଲେ। ଦର୍ଶନ ସାରି କାଳକାଜୀ ଓ ଇସ୍କନ ମନ୍ଦିରକୁ ସଂଯୋଗ କରୁଥିବା ଏକ ପାର୍କରେ ବସିଥିବା ବେଳେ ୩ ଜଣ ଯୁବକ ସେଠାରେ ପହଞ୍ଚିଥିଲେ ।
ନିଜକୁ ପୁଲିସ କହି ଉଭୟଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।ରାତି ପ୍ରାୟ ୮ଟା ୪୫ରେ ପୁଲିସକୁ ପିସିଆର୍ କଲ୍ ମିଳିବା ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ପଠାଯାଇଥିବା ବେଳେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସର ସ୍ୱତନ୍ତ୍ର ଟିମ୍ ।
ତଦନ୍ତ ବେଳେ ଅମର କଲୋନୀ ନିକଟରେ ଜଣେ ଅଭିଯୁକ୍ତଙ୍କ ଚଳପ୍ରଚଳ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଘେରାବନ୍ଦୀ କରିବା ବେଳେ ଅଭିଯୁକ୍ତ ଗୁଳି ଚଳାଇଥିବା ପୁଲିସ କହିଛି। ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ତାକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଓଖଲା ମଣ୍ଡିରେ କାମ କରୁଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତଲାସି ଅଭିଯାନ ଜାରି ରହିଛି ।