ପୁଲିସଙ୍କଠାରୁ ଦୁଇପାଦ ଆଗରେ ସାଇବର ଠକ

ସରକାର ଡାଳେଡାଳେ ଗଲେ ସାଇବର ଠକ ପତରେ ପତରେ ଚାଲୁଛନ୍ତି । ସାଇବର ଠକଙ୍କୁ ସାବାଡ଼ କରିବା ପାଇଁ ସରକାର ଯେତେ ଅଭିନବ କୌଶଳ ଆଦରି ନେଉଛନ୍ତି । ସାଇବର ଠକ ସେଗୁଡ଼ିକୁ ଅକ୍ଲେଶରେ ଅତିକ୍ରମ କରି ଚାଲିଛନ୍ତି । ଅତୀତରେ ବହୁ ଶିକ୍ଷିତ ଲୋକ ସାଇବର ଠକଙ୍କ ଜାଲରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇଛନ୍ତି ।

ସେମାନଙ୍କୁ ଧରିବା ପାଇଁ ପୁଲିସର ସବୁ ଉଦ୍ୟମ ବିଫଳ ହେଉଛି । କଟକର ଦୁଇଜଣ ଯୁବ ଇଂଜିନିୟରଙ୍କଠାରୁ ସାଇବର ଠକ ୪୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଖବର ଶୁଣିବାକୁ ମିଳିଛି । କ୍ରିପ୍ଟୋ କରେନ୍ସି କିଣିବା ଆଳରେ ସାଇବର ଠକ ଚୂନ ଲଗାଇଛନ୍ତି । କଟକ ସାଇବର ଥାନାରେ ଲିଖିତ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଦେଖାଯାଉ, ପାଣି କୁଆଡକୁ ଯାଉଛି ।