ପୁଲିସ ବଳରେ ବିଜେପିକୁ ସାବାଡ଼ କରିବେ ନୀତୀଶ

ବିହାର ସରକାରଙ୍କ ବିରୋଧରେ ବିଜେପିର ବିଧାନସଭା ଚାଲ ଅଭିଯାନକୁ ଭଣ୍ଡୁର କରି ଦିଆଯାଇଛି । ବିଜେପିର ବହୁ ନେତା ଓ କର୍ମୀମାନେ ପୁଲିସର ଲାଠିମାଡ଼ ଖାଇ ଖଣ୍ଡିଆଖାବରା ହୋଇଛନ୍ତି । ଜଣେ ବିଜେପି ନେତା ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ମହାରାଜଗଂଜ ସାଂସଦ ଜନାର୍ଦ୍ଦନ ସିଗ୍ରିୱାଲ ପୁଲିସଠାରୁ ଲାଠିମାଡ଼ ଖାଇଛନ୍ତି । ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଜନାର୍ଦ୍ଦନଙ୍କ ମସ୍ତିଷ୍କରେ ଗୁରୁତର ଆଘାତ ବାଜି ନଥିବା ଡାକ୍ତରୀ ରିପୋର୍ଟରୁ ପ୍ରକାଶ ।

ବିଜେପି ନେତା ଓ କର୍ମୀଙ୍କୁ ଡାକବଙ୍ଗଳା ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା ପୁଲିସ । ବିଜେପି କର୍ମୀମାନେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାରୁ ପୁଲିସ ବାଧ୍ୟ ହୋଇ ପାଣିମାଡ଼ କରିଥିଲା । ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା । ବିଜେପି କର୍ମୀମାନେ ପଛକୁ ନହଟିବାରୁ ପୁଲିସ ଲାଠିମାଡ଼ କରିବାକୁ ବାଧ୍ୟ ହେଲା । ବିଜେପି କର୍ମୀମାନେ ପୁଲିସ ଉପରକୁ ଢେଲାମାଡ଼ କଲେ । ଲଙ୍କାଗୁଣ୍ଡ ପ୍ରୟୋଗ କଲେ ।

ପୁଲିସର ଲାଠିମାଡ଼କୁ ପ୍ରତିବାଦ କରି ବିଧାନସଭା ପରିସରରେ ବହୁ ବିଧାୟକ ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଇସ୍ତଫା ଦାବି କରିଛି । ଶୁକ୍ରବାର ବିଜେପି ରାଜଭବନ ଉଦ୍ଦେଶ୍ୟରେ ଶୋଭାଯାତ୍ରା କରିବ ।