ମଣିପୁର ହିଂସାକୁ ରୋକି ପାରୁନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି

ଯେତେ କଳବଳକୌଶଳ ଅବଲମ୍ବନ କଲେ ମଧ୍ୟ ମଣିପୁରରେ ହିଂସାକାଣ୍ଡ ବନ୍ଦ ହେଉନି । ଦିନକୁ ଦିନ ସ୍ଥିତି ଜଟିଳ ହେଉଛି । ୨ ମାସ ୧୦ ଦିନ ବିତିଗଲାଣି, ମଣିପୁର ଆଖିରୁ ନିଦ ହଜିଯାଇଛି । ଉଭୟ ସରକାର ଓ ଜନତା ଆତଙ୍କିତ ପରିବେଶର ରହିଛନ୍ତି । ଦୁଇମାସ ଭିତରେ ମଣିପୁରର ୧୨୦ରୁ ଅଧିକ ଗ୍ରାମ ପାଉଁଶ ପାଲଟି ଗଲାଣି । ୩୫୦୦ ପରିବାର ଖୋଲା ଆକାଶ ତଳେ ରହୁଛନ୍ତି । ୨୨୦ଟି ଚର୍ଚ୍ଚ ଓ ୧୫ଟି ମନ୍ଦିରରେ ରକ୍ତପାତର ପାଦଚିହ୍ନ ପଡ଼ି ସାରିଲାଣି । ଜମିରେ ଚାଷ କରିବାକୁ କେହି ନାହାନ୍ତି କି ସ୍କୁଲରେ ପାଠ ପଢ଼ିବାକୁ ପିଲା ଓ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି । ପ୍ରତିବର୍ଷ ଏହି ସମୟରେ ଚାଷୀମାନେ ଜମିରେ ତଳି ପକାଉଥିବାର ଦେଖିବାକୁ ମିଳେ । ପିଲାଙ୍କ ଖେଳକୁଦ ଓ କିଳିକିଳା ରାବରେ ସ୍କୁଲ କମ୍ପି ଉଠେ ।

ହିଂସାକାଣ୍ଡ ଭିତରେ ଜୁଲାଇ ୪ ତାରିଖରେ ବିଦ୍ୟାଳୟଗୁଡ଼ିକୁ ଖୋଲି ଦିଆଯାଇଛି । ମାତ୍ର ସ୍କୁଲରେ ପିଲାମାନଙ୍କୁ ଦେଖିବାକୁ ମିଳୁନି । ଇମ୍ଫାଲରେ କେତୋଟି ସ୍କୁଲରେ କମ୍‌ ସଂଖ୍ୟକ ପିଲାଙ୍କୁ ଦେଖିବାକୁ ମିଳିଛି । କିନ୍ତୁ କୁକି ଅଂଚଳରେ ସ୍କୁଲଗୁଡ଼ିକ ଖାଁ ଖାଁ ଲାଗୁଛି । ଏମିତି ବି କୁକିସ୍ଥିତ ସ୍କୁଲ ପରିସର ଶରଣାର୍ଥୀଙ୍କ ଶିବିର ପାଲଟିଛି ।

କେତେକ ସ୍ଥାନରେ ହାତଗଣତି ଚାଷୀମାନେ ସେମାନଙ୍କ ଜମିରେ ତଳି ରୋଉଥିଲେ । ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ମଣିପୁର ରାଇଫଲ୍ସର ୨୨୬୭ ଜବାନଙ୍କୁ ମୁତୟନ କରାଯାଇଛି । ମଣିପୁରରେ ଶାନ୍ତି ସ୍ଥାପନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍ୟମ କରି ଫେଲ୍‌ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ସବୁ ଚାଲ ଫେଲ୍‌ ମାରିଛି । ଏହିଭଳି ପରିସ୍ଥିତି ବେଶିଦିନ ରହିଲେ, ମଣିପୁରରେ ଲୋକସଭା ନିର୍ବାଚନ ଠିକଭାବେ ହୋଇପାରିବ ତ?