‘ପିଶାଚ’ ବନ୍ଧୁଙ୍କ ଝିଅକୁ ବି ଛାଡ଼ିଲାନି

ଦୁଷ୍କର୍ମ କରି ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଉଚ୍ଚ ଅଧିକାରୀ ତାଙ୍କର ଜଣେ ବନ୍ଧୁଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଘଟଣାରେ କେନ୍ଦ୍ରର ମୋଦି ସରକାର ନିରବ ରହିଛନ୍ତି । ଏପରିକି ଦିଲ୍ଲୀ ଉପରାଜ୍ୟପାଳ ମଧ୍ୟ ଘଟଣା ପ୍ରତି ଉଦାସୀନତା ପ୍ରକାଶ କରିଛନ୍ତି । ସଂପୃକ୍ତ ଘଟଣାଟିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଛାଡ଼ି ଦେଇଛନ୍ତି । ଗାଁ ଗହଳିରେ ଗୋଟିଏ ଢଗ ଶୁଣିବାକୁ ମିଳେ, ‘ବଗ ଧାନ କୁଟିବୁ । ନାଇଁଲୋ ମା’ ମୋ ନଳିଗୋଡ଼ ଭାଙ୍ଗିଯିବ । ବଗ ମାଛ ଖାଇବୁ? ତେହିଁକି ଗୋସେଇଁ ଆଗ ।’

ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତାକୁ ସଂକୁଚିତ କରିବା ପ୍ରତି କେନ୍ଦ୍ର ସରକାର ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି । ଦିଲ୍ଲୀର ଦୁଷ୍କର୍ମ ଘଟଣାଟିକୁ ମୋଦି ସରକାର ସେତିକି ଗୁରୁତ୍ୱ ଦେଉନାହାନ୍ତି ବୋଲି ଏକ ଆଲୋଚନା ଚାଲିଛି । ଅଭିଯୁକ୍ତ ବରିଷ୍ଠ ଅଧିକାରୀଙ୍କୁ ପୁଲିସ ଗିରଫ କରିଛି । ପୀଡ଼ିତା ନାବାଳିକାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ ବଟିକା ଦେଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆଦେଶ ପାଇବା ପରେ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ଅଭିଯୁକ୍ତଙ୍କୁ ପକ୍‌ସୋ ଆଇନ ଅନୁସାରେ ଗିରଫ କରାଯାଇଛି । ଅଭିଯୁକ୍ତ ଡେପୁଟି ଡାଇରେକ୍ଟର ଓ ତାଙ୍କ ପତ୍ନୀଙ୍କୁ ଜେରା କରାଯିବା ସହିତ ଅନ୍ୟ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରାଯାଉଛି ।
ସୂଚନା ମୁତାବକ ପୁଲିସ ଏଫଆଇଆର ପଞ୍ଜୀକରଣ କରିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଅଭିଯୁକ୍ତ ବରିଷ୍ଠ ଅଧିକାରୀ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପନିର୍ଦ୍ଦେଶକ ଥିଲେ । ପୁଲିସ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ପୀଡ଼ିତା ନାବାଳିକା ତାଙ୍କ ବାପାମା’ଙ୍କ ପାଖରେ ରହୁଥିଲେ । ପୀଡ଼ିତାଙ୍କ ବାପା ଦିଲ୍ଲୀ ସରକାରଙ୍କ ଅଧିନରେ ଚାକିରି କରୁଥିଲେ ଯେ ୨୦୨୦ରେ ପ୍ରାଣ ହରାଇଥିଲେ । ପୀଡ଼ିତାଙ୍କ ମା’ ମଧ୍ୟ ଦିଲ୍ଲୀ ସରକାରଙ୍କ ଅଧିନରେ କାମ କରୁଛନ୍ତି । ଅଭିଯୁକ୍ତ ଅଧିକାରୀ ଓ ପୀଡ଼ିତାଙ୍କ ପରିବାର ଭିତରେ ସୁସଂପର୍କ ଥିଲା ।