ନବଦାସ ହତ୍ୟାକାଣ୍ଡ: ତଦନ୍ତ କରୁଛନ୍ତି ମହାରାଷ୍ଟ୍ରର ଜଣେ ଡିଟେକ୍ଟିଭ୍‌

ଝାରସୁଗୁଡ଼ା,(ସାକ୍‌ସୀ ନ୍ୟୁଜ୍‌): ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଭାର ବହନ କରିଛି ରାଜ୍ୟ କ୍ରାଇମ୍‌ ବ୍ରାଂଚ୍‌ । କିନ୍ତୁ ମହାରାଷ୍ଟ୍ରର ଜଣେ ଘରୋଇ ଡିଟେକ୍ଟିଭ ଆସି ବ୍ରଜରାଜନଗର, ଝାରସୁଗୁଡ଼ା, ଭୁବନେଶ୍ୱର, ସୁନ୍ଦରଗଡ଼, ରାଉରକେଲା ଭଳି ସ୍ଥାନ ଘୁରି ବୁଲୁଥିବାର ଗୋପନୀୟ ସୂଚନା ମିଳିଛି । ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏକାଧିକବାର ବୁଲୁଥିବାର ଦେଖିବାକୁ ମିଳିଛି।

ଏକ ସାପ୍ତାହିକି ସମ୍ବାଦପତ୍ରର ଜଣେ ରିପୋର୍ଟର ଉକ୍ତ ବ୍ୟକ୍ତିଙ୍କ ଅନୁସରଣ କରିଥିଲେ । ମାତ୍ର ଅଧଘଂଟା ଅନୁସରଣ କରିବା ପରେ ଉକ୍ତ ବ୍ୟକ୍ତିଜଣକ କୁଆଡେ଼ ଅନ୍ତର୍ଦ୍ଧାନ୍‌ ହୋଇଗଲା । ଘଟଣାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉଦିନ ଝାରସୁଗୁଡ଼ା ଯାଇ ନବଦାସଙ୍କ ଶ୍ରାଦ୍ଧସଭାରେ ଯୋଗ ଦେଇଥିଲେ, ସେହିଦିନ ଘଟିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ହିନ୍ଦିରେ କଥା ହେଉଥିଲେ ଓ ତାଙ୍କ ଘର ମହାରାଷ୍ଟ୍ର ବୋଲି କହୁଥିଲେ ।

ରିପୋର୍ଟରଙ୍କ ସହ ଆଲୋଚନା ଛଳରେ ସଂପୃକ୍ତ ବ୍ୟକ୍ତିଜଣକ କହିଥିଲେ ଯେ ତାଙ୍କୁ ଦିଲ୍ଲୀର ଜଣେ ବଡ଼ ରାଜନେତା ନବଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ନବଦାସଙ୍କ ହତ୍ୟାକାଣ୍ଡରେ ଶାସକ ଦଳର ପ୍ରାୟ ଏକାଧିକ ବିଧାୟକଙ୍କ ସଂପୃକ୍ତି ରହିଛି।

ନବଦାସ ମହାରାଷ୍ଟ୍ର ଯାଇଥିବା ବେଳେ ସଂପୃକ୍ତ ଡିଟେକ୍ଟିଭଙ୍କୁ ଭେଟିଥିବାର କୁହାଯାଉଛି । ଏବେ କଥା ଉଠୁଛି, କେନ୍ଦ୍ର ବିଜେପିର କୌଣସି ନେତା ଉକ୍ତ ଡିଟେକ୍ଟିଭଙ୍କୁ ନିୟୋଜିତ କରିନାହାନ୍ତି ତ!