ଖାକିପିନ୍ଧା ସାଧୁ: ଲହୁଲୁହାଣ କରି ପଳାଇଲେ

ଚାକିରି କରିବ ପୁଲିସି ମାଛ ଖାଇବ ଇଲିସି..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଠେଙ୍ଗାବଳରେ ସାଧାରଣ ଲୋକଙ୍କୁ ଉଠବସ କରିବାର ଅଛି ତ ପୁଲିସ ଚାକିରି ବଢ଼ିଆ । ସାମାନ୍ୟ କନଷ୍ଟେବଲ ହେଲେ ମଧ୍ୟ ତା’ର ପୋଷାକ ଦେଖିବା ମାତ୍ରେ ସାଧାରଣ ଲୋକଟିର କଲିଜା ଥରିବ । ବ୍ରିଟିଶ ଅମଳରୁ ଖାକିପୋଷାକ ପ୍ରତି ଲୋକଙ୍କ ମନରେ ଭୟ ଓ ଘୃଣା ରହିଛି । ଖାସ୍‌ ସେଇଥିପାଇଁ ତ କଥା ପଡ଼ିଲେ କହନ୍ତି, ‘ଚାକିରି କରିବ ପୁଲିସି ମାଛ ଖାଇବ ଇଲିସି’ ।

ପୂର୍ବତନ ମନ୍ତ୍ରୀ ନବଦାସଙ୍କୁ ଜଣେ ପୁଲିସ କର୍ମଚାରୀ ଗୁଳି କରିବା ପରଠାରୁ ରାଜ୍ୟବାସୀଙ୍କ ମନରେ ଆଉ ପୁଲିସ ପ୍ରତି ଶ୍ରଦ୍ଧା ଓ ସମ୍ମାନ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଖାକି ଅଫିସର କ୍ରୋଧରୁ ତାଙ୍କ ଅନୁଗତ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେନି । ସେଠାରେ ସାଧାରଣ ଲୋକଙ୍କ ସୁରକ୍ଷା କଥା ଉଠୁଛି କୋଉଠୁ?

ମଂଚେଶ୍ୱର ଥାନା ଆଗରେ ପିସିଆର ଗାଡ଼ି ବାଇକ୍‌ ଆରୋହୀଙ୍କୁ ପିଟି ତିନିଜଣ ଆରୋହୀଙ୍କୁ ଲହୁଲୁହାଣ କଲା । ପୀଡ଼ିତଙ୍କୁ ଡାକ୍ତରଖାନା ପଠାଇବାର ବନ୍ଦୋବସ୍ତ କରିବା ବଦଳରେ ପିସିଆର ଭ୍ୟାନରେ ବସିଥିବା ପୁଲିସ ବାବୁମାନେ ନାଲିଆଖି ଦେଖାଇ ଗୁଡ଼ିଏ ପୁଲିସିଆ ଭାଷା ପ୍ରୟୋଗ କରି ଆପଣା ବାଟରେ ଚାଲିଗଲେ ।

ଜନତାଙ୍କର ପ୍ରିୟଭାଜନ କରିବା ପାଇଁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନାନା ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ତାଙ୍କର କୌଣସିଟି ଉପାୟ ଖାକିପିନ୍ଧା ବାବୁଙ୍କର ମାନସିକତାକୁ ବଦଳାଇ ପାରିଲାନି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ବସ୍ତିକୁ ଚାଲ, ପୁଲିସ ମିତ୍ର, ପୁଲିସ-ଜନତା ଭାବ ବିନିମୟ କ୍ରମେ ବିଫଳ ହୋଇଛି ।