ପରକୀୟା ପ୍ରୀତିର କରୁଣ ପରିଣତି

ସମ୍ବଲପୁର: ପରକୀୟା ପ୍ରୀତିର କରୁଣ ପରିଣତି ନା ଘରକୁ ନା ଘାଟକୁ । ଦେବଗଡ଼ ଜିଲ୍ଲାର ରିଆମାଳ ଅଂଚଳରେ ଏଭଳି ଏକ ଘଟଣା ଜଣେ ବିବାହିତା ମହିଳାଙ୍କୁ ମରଣ ମୁହଁକୁ ଠେଲି ଦେଇଛି । ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଅଂଚଳର ମୀନା କିସିଣ୍ଡା ଥାନା ଅନ୍ତର୍ଗତ ବଳମ ନିବାସୀ ଦାଶରଥିଙ୍କୁ ବିବାହ କରିଥିଲେ ।

ଉଭୟଙ୍କର ଗୋଟିଏ ପୁଅ ଅଛି । ସ୍ୱାମୀ ଓ ପୁଅକୁ ଧରି ସୁନ୍ଦର ସଂସାରଟିଏ କରିଥିଲା ବେଳେ ମୀନାଙ୍କ ଦୃଷ୍ଟି ବଲାସିଂଘା ନିବାସୀ ପ୍ରମୋଦଙ୍କ ଉପରେ ପଡ଼ିଲା ।ବେଶ କିଛିଦିନ ଧରି ମୀନା ଓ ପ୍ରମୋଦଙ୍କ ଭିତିରିଆ ପ୍ରେମ ଚାଲିଥିଲା । ମାତ୍ର ହଠାତ୍‌ ମୀନା ସ୍ୱାମୀ ଓ ପୁଅଙ୍କୁ ଛାଡ଼ି ପ୍ରମୋଦଙ୍କ ସହିତ ପଳାୟନ କରିଥିଲେ ।ଦୁହେଁ ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ରହୁଥିଲେ । ତାରି ଭିତରେ ମୀନାଙ୍କ ସହିତ ଅଧିକ ଦିନ ରହିବାକୁ ପ୍ରମୋଦ ରାଜି ନଥିଲେ । ପ୍ରମୋଦଙ୍କ ପ୍ରତି ମୀନାଙ୍କ ମନରେ ଥିଲା ଅଗାଧ ବିଶ୍ୱାସ । ହେଲେ ମୀନାଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ ପ୍ରମୋଦ । ଆଉ କାହା ପ୍ରେମରେ ପଡ଼ିଥିବାର ଆଶଙ୍କା କରି ପ୍ରମୋଦ ମୀନାଙ୍କୁ ଦେବଗଡ଼ ଜିଲ୍ଲା ରିଆମାଳ ଅନ୍ତର୍ଗତ ମଧ୍ୟପୁର ନିବାସୀ ଗୁରୁଚରଣ ପ୍ରଧାନଙ୍କ ଘରେ ଛାଡ଼ି କିଛିଦିନ ପାଇଁ କୋଇଡ଼ା ଅଂଚଳକୁ ଯାଇଥିଲେ ।

ଫେବୃଆରୀ ୨୩ ତାରିଖରେ ପ୍ରମୋଦ ମୀନାଙ୍କ ନିକଟକୁ ଫେରିଥିଲେ । ବିଳମ୍ବିତ ରାତିରେ ମୀନାଙ୍କ ତଂଟି ଚିପି ମାରି ଦେଇଥିଲେ । ବାପା କେଶବ, ଘର ମାଲିକ ଗୁରୁଚରଣ ଓ ପ୍ରଦୀପ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ମୀନାଙ୍କ ମୃତଦେହକୁ ଗୋଟିଏ ପଡ଼ିଆରେ ପୋତି ଦେଇଥିଲେ । ଗୁରୁଚରଣଙ୍କ ପୁଅ ମଧ୍ୟ ପ୍ରମାଣ ନଷ୍ଟ କରିବା କାମରେ ସହାୟତା କରିଥିଲେ ।

ଅପରାଧ କେବେ ଲୁଚି ରହେନା । ମୀନାଙ୍କୁ ମରା ଯାଇଥିବା ଖବର କ୍ରମେ ପ୍ରଘଟ ହୋଇଥିଲା । ପୁଲିସ କାନରେ କଥାଟି ପଡ଼ିଲା । ଶୁକ୍ରବାର ଦିନ ପୁଲିସ ମୀନାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଥିଲା ।