ପୁଲିସ ବିଭାଗରେ କୁଢ଼କୁଢ଼ ଅଳିଆ

ଯୋଉଦିନଠାରୁ ଥାନାଗୁଡ଼ିକ ବିଜେଡି ନେତାଙ୍କ ନିୟନ୍ତ୍ରଣକୁ ଚାଲିଗଲା । ସେହିଦିନଠାରୁ ପୁଲିସ ପ୍ରଶାସନ ଭିତରେ ଦୁର୍ନୀତିଖୋର ଅଧିକାରୀଙ୍କ ତାଲିକା ବଢ଼ିବାରେ ଲାଗିଲା । ଯୋଉଦିନଠାରୁ ଥାନା ଆଇଆଇସିଙ୍କୁ ଜିଲ୍ଲାପାଳଙ୍କ ଭଳି ଅଖଣ୍ଡ ଦାୟିତ୍ୱ ଦିଆଗଲା । ସେହିଦିନଠାରୁ ସାଧାରଣ ଲୋକଙ୍କ ମୁଣ୍ଡରେ ମିଛ ଅଭିଯୋଗ ଲଗାଇବା ଓ ସେମାନଙ୍କୁ ଜେଲ ପୁରାଇବା ଧମକ ସବୁ ପୁଲିସ ଅଧିକାରୀଙ୍କର ମୌଳିକ ଅଧିକାର ପାଲଟିଯାଇଛି ।

ଅପରାଧିଙ୍କୁ ସାବାଡ଼ କରିବା ପାଇଁ ପୁଲିସକୁ ଦିଆଗଲା ବନ୍ଧୁକ ଓ ରିଭଲଭର । ତା’ ସହିତ ଗୁଳି ଚଳାଇବାର ଅଧିକାର ଦିଆଗଲା । ବିଡ଼ମ୍ବନାର ବିଷୟ, ସେହି ଅଧିକାରକୁ ବ୍ୟବହାର କରି ଜଣେ ପୁଲିସ କର୍ମଚାରୀ ମାରିଦେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ । ଏଥିରୁ ଦୁଇଟି କଥା ସାମ୍ନାକୁ ଆସିଛି, ହୁଏତ ନବକିଶୋର ଦାସ ଏପରି କିଛି ଅପରାଧ କରିବାକୁ ଯାଉଥିଲେ ଯାହାଙ୍କୁ ନିୟନ୍ତ୍ରଣ କରିବା ପାଇଁ ତକ୍ରାଳୀନ ପୁଲିସ କର୍ମଚାରୀ ଗୋପାଳ ଦାସଙ୍କୁ ଗୁଳି ଚଳାଇବାକୁ ପଡ଼ିଲା । ନଚେତ୍‌ ଅଭିଯୁକ୍ତ ପୁଲିସ କର୍ମଚାରୀ ଜଣକ ଆପଣା ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ନବଦାସଙ୍କୁ ଗୁଳି କରିଥିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ମାରିଦେବା ପରେ ପୁଲିସ ପ୍ରଶାସନର ଦୁôଃସାହସ ଅତି ମାତ୍ରାରେ ବଢ଼ିଯାଇଛି । ପୂର୍ବରୁ ମାମଲା ଦଫାରଫା କରିବା ପାଇଁ କିଛି ପୁଲିସ ଅଧିକାରୀ ଅନ୍ୟମାନଙ୍କ ଦୃଷ୍ଟି ଆଢୁଆଳରେ ଲାଂଚ ଗ୍ରହଣ କରୁଥିଲେ । ଏବେ ନିର୍ବିଘ୍ନରେ ଲାଂଚ ନେଉଛନ୍ତି । ଖାଲି ସେତିକି କହିଦେଲେ କାମ ଚଳିବନି । ନବୀନ ପଟ୍ଟନାୟକଙ୍କ ଅମଳରେ ଲାଂଚଖୋର ଅଧିକାରୀଙ୍କ ତାଲିକାରେ ଅଭିଯୁକ୍ତ ମହିଳା ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଦିନକ ତଳେ ହରଭଙ୍ଗା ଥାନାର ଭାରପ୍ରାପ୍ତ ଅଧିକାରୀ ପୁଷ୍ପଲତା ରାଉତରାୟ ଜଣେ ବାଲିଘାଟ ମାଲିକଙ୍କ ନିକଟରୁ ଏକଲକ୍ଷ ଟଙ୍କା ଲାଂଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।