ରହସ୍ୟମୟୀ ଚିଠି: ୫୪ ବର୍ଷ ପରେ ଠିକଣା ଜାଗାରେ ପହଂଚିଲା

୫୪ ଘଂଟା ନୁହେଁ, ୫୪ ଦିନ ନୁହେଁ, ୫୪ ମାସ ନୁହେଁ । ଗୋଟିଏ ଚିଠିକୁ ତା’ର ଠିକଣା ଜାଗାରେ ପହଂଚିବାକୁ ଲାଗିଗଲା ଦୀର୍ଘ ୫୪ ବର୍ଷ । ଇଂଟରନେଟ୍‌ ଯୁଗରେ ଡାକରେ ପୋଷ୍ଟକାର୍ଡ ପଠାଇବା ହାସ୍ୟାସ୍ପଦ ଘଟଣା ନିଶ୍ଚିତ । ମାତ୍ର ଦିନ ଥିଲା, ବିଶ୍ୱର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ଯୋଡ଼ି ରଖିଥିଲା ଏହି ଡାକ ବ୍ୟବସ୍ଥା । ଚିଠିଟିଏ ପାଇଲେ ଲୋକଙ୍କୁ କୋଟିନିଧିଟିଏ ପାଇବା ଭଳି ଲାଗୁଥିଲା । ବିଶେଷ କରି ନିଯୁକ୍ତି ପତ୍ରକୁ ଅପେକ୍ଷା କରୁଥିବା ଶିକ୍ଷିତ ଯୁବକ, ଔଷଧ ପାଇଁ ମନିଅର୍ଡରକୁ ଅପେକ୍ଷା କରୁଥିବା ରୋଗୀଣା ବାପା ଅବା ମା’ ହିଁ ଡାକ ବ୍ୟବସ୍ଥାର ଗୁଣଗାରିମା ବଖାଣି ପାରିବେ । କିଛି ଚିଠି ଅବା ମନିଅର୍ଡର ଦିନେ ଦୁଇଦିନ ଭିତରେ ମିଳିଯାଉଥିଲା ତ କିଛି ଚିଠି ଓ ମନିଅର୍ଡର ଟଙ୍କା ମିଳିବାକୁ ଲାଗି ଯାଉଥିଲା ଦିନ-ଦିନ, ମାସ-ମାସ, ବର୍ଷ-ବର୍ଷ । ଡାକ ବ୍ୟବସ୍ଥାର ଲୋକପ୍ରିୟତା ସମୟରେ ଚିଠି ଅବା ମନିଅର୍ଡର ବିଳମ୍ବକୁ ସମାଲୋଚନା କରିଛି ଗଣମାଧ୍ୟମ ।

ଜେସିକା ମିନ୍ସ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ଏକ ଘଟଣା ସେୟାର କରିଛନ୍ତି । ସେ ଲେଖିଛନ୍ତି- ଏହି ରହସ୍ୟକୁ ଭେଦ କରିବାରେ ମୋତେ ସାହାଯ୍ୟ କରନ୍ତୁ । କୃପା କରି ଦ୍ୱିତୀୟ ଥର ମୋତେ ଚିଠି ଲେଖନ୍ତୁ । ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ଗୋଟିଏ ଚିଠି ତା’ର ଗନ୍ତବ୍ୟ ସ୍ଥଳରେ ପହଂଚିଛି ଯାହାର ସତ୍ୟତା ଜାଣିବାକୁ ମୋର ଆଗ୍ରହ ଅତି ମାତ୍ରାରେ ବଢ଼ିଯାଇଛି ।

୧୯୬୯ ମାର୍ଚ୍ଚ ୧୫ ତାରିଖ ଦିନ ଚିଠିଟି ପ୍ୟାରିସରୁ ଯାତ୍ରା ଆରମ୍ଭ କରିଥିଲା । ଚିଠିର ଗନ୍ତବ୍ୟ ସ୍ଥାନ ଫ୍ଲୋରିଡା ଥିଲା । ୨୦୨୩ ଜୁଲାଇ ୧୨ ତାରିଖ ଦିନ ଚିଠି ଉପରେ ଫ୍ଲୋରିଡା ଡାକ ଅଫିିସର ମୋହର ବାଜିଛି । ଏଇଟା କେମିତି ସମ୍ଭବ ହେଲା? ଦୀର୍ଘ ୫୪ ବର୍ଷ ଧରି ଚିଠିଟି କୁଆଡେ଼ କୁଆଡେ଼ ବୁଲୁଥିଲା; ତା’ର ଟିକିନିଖି ବିବରଣୀ ମିଳିପାରିନି ।