ଲିଭ୍‌-ଇନ୍‌-ରିଲେସନ୍‌କୁ ସୁପ୍ରିମକୋର୍ଟଙ୍କ ଅନୁମତି ଅଡୁଆ!

ଲିଭ୍‌-ଇନ୍‌-ରିଲେସନ୍‌ ମାନେ ନୁହେଁ ଶାରୀରିକ ସଂପର୍କ

ନୂଆଦିଲ୍ଲୀ: ବିବାହ ପୂର୍ବରୁ ପୁଅ-ଝିଅଙ୍କ ଏକାଠି ରହିବାକୁ ଅନୁମତି ଦେଇ ସୁପ୍ରିମକୋର୍ଟ ମସ୍ତବଡ଼ ଭୁଲ କରିଛନ୍ତି । ନୂଆଦିଲ୍ଲୀର ଅପନ୍ତରା ଇଲାକାରେ ଘଟିଥିବା ଲିଭ-ଇନ୍‌-ରିଲେସନ୍‌ ହତ୍ୟାକାଣ୍ଡକୁ ଅନୁଶୀଳନ କରିବା ପରେ ବୁଦ୍ଧିଜୀବୀ ଗୋଷ୍ଠୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆଉ ଗୋଟିଏ ଗୋଷ୍ଠୀଙ୍କ ମତରେ ପୁଅ-ଝିଅ ଏକାଠି ରହିବା, ମିଳାମିଶା କରିବା ଖରାପ ନୁହେଁ । କିନ୍ତୁ ବିବାହ ପୂର୍ବରୁ ଶାରୀରିକ ସଂପର୍କ ରଖିବା ଭୁଲ । ଲିଭ-ଇନ୍‌-ରିଲେସନ୍‌ ଖରାପ ନୁହେଁ, ମାତ୍ର ଶାରୀରିକ ସଂପର୍କ ରଖିବା ସାଂଘାତିକ ଖରାପ । ଆଉ କିଛି ଗୋଷ୍ଠୀ କହିଛନ୍ତି ଯେ ବୈବାହିକ ଜୀବନର ଠିକ୍‌ ପୂର୍ବ ପାହାଚଟି ହେଉଛି ଲିଭ୍‌-ଇନ୍‌-ରିଲେସନ୍‌ । ସଂକ୍ଷେପରେ କହିଲେ ଲିଭ୍‌-ଇନ୍‌-ରିଲେସନ୍‌ଟି ସାମାଜିକ ଅନୁମୋଦନ ପାଇଯିବା ପରେ ବୈବାହିକ ଜୀବନକୁ ବଦଳି ଯାଇଥାଏ । ସୁପ୍ରିମକୋର୍ଟଙ୍କ ରାୟ ପରେପରେ ଦେଶରେ ଲିଭ୍‌-ଇନ୍‌-ରିଲେସନରେ ରହୁଥିବା ଯୁବକ-ଯୁବତୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଛି । ଲିଭ-ଇନ୍‌-ରିଲେସନକୁ ସୁପ୍ରିମକୋର୍ଟ ସ୍ୱୀକୃତି ଦେଇଥିବାରୁ ରକ୍ଷଣଶୀଳ ପରିବାର ଯୁବକ-ଯୁବତୀଙ୍କ ଅବାଧ ମିଳାମିଶାକୁ ପ୍ରତିବାଦ କରିବା ବନ୍ଦ କରିଛନ୍ତି । ମାତ୍ର ଶ୍ରଦ୍ଧା-ଅଫତାବଙ୍କର ଲିଭ୍‌-ଇନ୍‌-ରିଲେସନ୍‌ କରୁଣ ପରିଣତିକୁ ଦେଖିବା ପରେ ବହୁ ସାମାଜିକ ସଂଗଠନ ଲିଭ୍‌-ଇନ୍‌-ରିଲେସନ୍‌କୁ ଅନୈତିକ କହିବା ଆରମ୍ଭ କଲେଣି ।

ପ୍ରେମିକା ଶ୍ରଦ୍ଧାକୁ ଜଘନ୍ୟ ହତ୍ୟା ଅଭିଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅଫତାବକୁ ଗିରଫ କରିଛି । ତା’ ମୁହଁରୁ ସତ ଓଗାଳିବା ପାଇଁ ପୁଲିସ ନାନା ଫନ୍ଦି ଚଳାଇଛି । ପୁଲିସ ଶ୍ରଦ୍ଧାର କଟା ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଉଦ୍ଧାର କରି ଫରେନ୍‌ସିକ୍‌ ଟେଷ୍ଟ କରି ପ୍ରକୃତରେ ଶ୍ରଦ୍ଧାକୁ କେବେ ମରାଯାଇଛି, ଜାଣିବାକୁ ଚେଷ୍ଟା କରିଛି । ଏକା ଅଫତାବ ଶ୍ରଦ୍ଧାର ତଂଟି ଚିପି ମାରିବା ପରେ ଖଣ୍ଡଖଣ୍ଡ କରି କାଟିଛି ନା ଅଫତାବ ସହିତ ଆଉ କେହି ସାମିଲ ଅଛନ୍ତି । ମେ’ ମାସରେ ଶ୍ରଦ୍ଧାକୁ ହତ୍ୟା କରାଯାଇଥିବା କଥା ପୁଲିସ ମୁହଁରୁ ଶୁଣିବାକୁ ମିଳିଛି । କିନ୍ତୁ ଶ୍ରଦ୍ଧାର କିଛି ସାଙ୍ଗ କହିଛନ୍ତି ଯେ ସେମାନେ ଜୁଲାଇ ମାସରେ ଶ୍ରଦ୍ଧା ସହିତ ଫୋନ୍‌ରେ କଥା ହୋଇଛନ୍ତି । ଶ୍ରଦ୍ଧା ବେଶ ଖୋଲା ମିଜାଜର ପିଲା ବୋଲି ତା’ର ବହୁ ସାଙ୍ଗ କହିଛନ୍ତି । ସେ ଅଫତାବଠାରୁ ମାଡ଼ଗାଳି ଖାଇବା ପରେ ବିବାହ ପାଇଁ ଜିଦ୍‌ କରିଥିବା କଥାକୁ ଅନେକ ସାଙ୍ଗ ହସି ଉଡାଇ ଦେଇଛନ୍ତି । ସେମାନଙ୍କ ମତରେ ମା’ ମରିଯିବା ପରଠାରୁ ଶ୍ରଦ୍ଧା ନିଜକୁ ଏକାକୀ ଅନୁଭବ କରୁଥିଲା । ଅଫତାବ ତାକୁ ମାରଧର କରୁଛି ବୋଲି ଖୋଦ୍‌ ଶ୍ରଦ୍ଧା ସେମାନଙ୍କୁ ଫୋନ୍‌ରେ ଜଣାଉଥିଲା ।

ଅଫତାବ ଶ୍ରଦ୍ଧାର ଘର ପାଖରେ ରହୁଥିଲା । ତେଣୁ ଦୁହିଁଙ୍କ ଭିତରେ ଗଢ଼ି ଉଠିଥିବା ପ୍ରେମ ସଂପର୍କ ଶ୍ରଦ୍ଧାର ସାଙ୍ଗମାନେ ଜାଣିଥିଲେ । କିନ୍ତୁ ସୋସିଆଲ ମିଡ଼ିଆରୁ ଶ୍ରଦ୍ଧା-ଅଫତାବର ଲିଭ୍‌-ଇନ୍‌-ରିଲେସନ୍‌ କଥା ଜାଣିବାକୁ ପାଇଥିଲେ । ରଜତ ବୋଲି ଶ୍ରଦ୍ଧାର ଜଣେ କଲେଜ ବନ୍ଧୁ କହନ୍ତି ଯେ ସେ ଶ୍ରଦ୍ଧା ସହିତ ମାସ୍‌ କମୁନିକେସନ୍‌ କଲେଜରେ ପ୍ରାୟ ତିନିବର୍ଷ ପଢ଼ିଛନ୍ତି । ସ୍ୱାଧୀନଚେତା ଶ୍ରଦ୍ଧାର କଲେଜରେ ସ୍ୱତନ୍ତ୍ର ପରିଚୟ ଥିଲା । ତା’ର ହସହସ ମୁହଁ ଓ ବିନ୍ଦାସ କଥା ଅନେକଙ୍କୁ ପ୍ରଭାବିତ କରୁଥିଲା । ଉଗ୍ର ଆଧୁନିକତା ଆଚରଣ ଓ ଉଚ୍ଚାରଣ କାରଣରୁ ତାକୁ ସମସ୍ତେ ୪ଜି ଗାର୍ଲ ଡାକୁଥିଲେ ।
ହତ୍ୟାକାଣ୍ଡର କାରଣ ଆଉ କିଛି ଥାଇପାରେ । ଅଫତାବ ରହୁଥିବା ଆପାର୍ଟମେଂଟର କିଛି ଅନ୍ତେବାସୀ କହିଛନ୍ତି ଯେ ସେମାନେ ଶ୍ରଦ୍ଧା ବ୍ୟତୀତ ଆଉ ଜଣେ ଝିଅକୁ ଅଫତାବ ସହିତ ଦେଖିଛନ୍ତି । ଅନ୍ୟ ଝିଅଙ୍କ ସହିତ ଅଫତାବର ସଂପର୍କକୁ ପ୍ରତିବାଦ କରି ଶ୍ରଦ୍ଧା ମରିଥିବା ଅନେକ ସନ୍ଦେହ କରିଛନ୍ତି । ପୁଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଇତିମଧ୍ୟରେ ପୁଲିସ ଜଙ୍ଗଲ ଭିତରୁ ଶ୍ରଦ୍ଧାଙ୍କର କିଛି ଅଂଗପ୍ରତ୍ୟଂଗ ପାଇଛି ବୋଲି ଶୁଣିବାକୁ ମିଳିଛି ।