ଜନଗଣନା ନୁହେଁ ଆଇନା

ଗତ ସପ୍ତାହରେ ଯେଉଁ ବୁଧବାର ଦିନ ‘ନେସନାଲ୍‌ ଷ୍ଟାଟିଷ୍ଟିକ୍‌ସ ଅଫିସ’ ….

ଗତ ସପ୍ତାହରେ ଯେଉଁ ବୁଧବାର ଦିନ ‘ନେସନାଲ୍‌ ଷ୍ଟାଟିଷ୍ଟିକ୍‌ସ ଅଫିସ’ (‘ଏନ୍‌ଏସ୍‌ଓ’) ୨୦୨୫-୨୬ ପାଇଁ ଭାରତର ‘ଜିଡିପି’ର ପ୍ରଥମ ଆଗୁଆ ଆକଳନ ପ୍ରକାଶ କଲା, ସେଇ ଦିନ ମଧ୍ୟ ଭାରତ ସରକାର ଘୋଷଣା କରିଛନ୍ତି ଯେ ୨୦୨୬ ଏପ୍ରିଲ ପହିଲା ଦିନ ଅବଶେଷରେ ଦେଶରେ ବହୁ ପ୍ରତୀକ୍ଷିତ ତଥା ବିଳମ୍ବିତ ଜନଗଣନା ଆରମ୍ଭ ହେବ। ଯଦିବା ଏହା କେବଳ ଏକ ସଂଯୋଗ ମାତ୍ର ହୋଇଥାଏ, ତେବେ ବି ଏହି ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ତାତ୍ପର୍ଯ୍ୟ ବହନ କରିଥାଏ। ତାହା ହେଲା: ‘ଜିଡିପି’ରେ ଅଭିବୃଦ୍ଧି ଦେଶର ସମୃଦ୍ଧି ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ, ଏକ ଗଣତାନ୍ତ୍ରିକ ଦେଶରେ ସେଇ ସମୃଦ୍ଧି ଲୋକମାନଙ୍କ ପାଖରେ କିଭଳି ପହଂଚି ପାରିଛି, ଅର୍ଥାତ୍‌ ଲୋକମାନେ ସେଇ ସମୃଦ୍ଧିରେ କିପରି ଭାଗୀଦାର ହୋଇଛନ୍ତି, ଜନଗଣନାରୁ ସେ ସମ୍ବନ୍ଧରେ ସୂଚନା ଉପଲବ୍‌ଧ ହୋଇଥାଏ।

ପ୍ରତ୍ୟେକ ଜନଗଣନା ହେଉଛି ଦେଶବାସୀଙ୍କ ପାଇଁ ଏକ ସାମୂହିକ ଆତ୍ମ-ଆବିଷ୍କାର। ଏଣୁ କୁହାଯାଇପାରେ ଯେ ୨୦୧୧ରେ ଅନୁଷ୍ଠିତ ସର୍ବଶେଷ ଜନଗଣନା ପରଠାରୁ ଭାରତୀୟମାନେ ନିଜ ପାଖରେ ନିଜେ ଅଚିହ୍ନା ଅବସ୍ଥାରେ ରହିଯାଇଛନ୍ତି। ପ୍ରତି ଦଶ ବର୍ଷରେ ଥରେ ଏହି ଜନଗଣନା କରାଯିବା ପାଇଁ ବ୍ୟବସ୍ଥା ରହିଥିଲେ ହେଁ, କୋଭିଡ୍‌ ପାଣ୍ଡେମିକ୍‌ର ଅନୁପ୍ରବେଶ ଯୋଗୁଁ ୨୦୨୧ରେ ନିର୍ଦ୍ଧାରିତ ସମୟରେ ଏହା ଅନୁଷ୍ଠିତ ହୋଇପାରି ନ ଥିଲା। ବର୍ତମାନ ସେଇ ବିଳମ୍ବିତ ଜନଗଣନାର ଆବିର୍ଭାବ ବେଳକୁ ଦେଶରେ ଯେ ବହୁତ କିଛି ପରିବର୍ତନ ଘଟିସାରିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଭାରତ ଇତିମଧ୍ୟରେ ପୃଥିବୀର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହୋଇ ସାରିଥିବାର ସମସ୍ତ ସୂଚନା ମିଳୁଛି (‘ୱର୍ଲଡମିଟର’ ନାମକ ବିଶ୍ୱସନୀୟ ସର୍ବେକ୍ଷଣ ସଂସ୍ଥା ଅନୁସାରେ); ଭାରତୀୟ ଅର୍ଥନୀତି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ସହିତ ଏହା ପୃଥିବୀର ଚତୁର୍ଥ ବୃହତମ ଅର୍ଥନୀତିର ସ୍ଥାନ ଅଧିକାର କରିଛି; ଭାରତୀୟ ସମାଜ ଓ ଅର୍ଥନୀତିରେ ଡିଜିଟାଲ ପ୍ରବିଧିର ଦ୍ରୁତ ପ୍ରସାର ଘଟିଛି; ଜାତି ଏକ ଶକ୍ତିଶାଳୀ ରାଜନେ?ତିକ ପ୍ରସଙ୍ଗ ରୂପେ ପୁନର୍ଜନ୍ମ ଲାଭ କରିଥିବା ବେଳେ ଲୋକସଭା କ୍ଷେତ୍ରର ଆସନ୍ନ ପୁନଃନିର୍ଦ୍ଧାରଣ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ରାଜନୈତିକ ଉତେଜନା ସୃଷ୍ଟି କରିବା ଆରମ୍ଭ କରିଛି।

୧୮୭୨ରେ ସର୍ବପ୍ରଥମ ଜନଗଣନା ଅନୁଷ୍ଠିତ ହେବା ପରେ ବର୍ତମାନ ଅନୁଷ୍ଠିତ ହେବାକୁ ଯାଉଥିବା ଷୋଡଶ ଜନଗଣନାରୁ ଉପଲବ୍‌ଧ ତଥ୍ୟମାନ ହେବ ଆମ ପାଇଁ ତୃଣମୂଳ ସ୍ତରରେ ଅନେକ ଅତ୍ୟାବଶ୍ୟକ ମୌଳିକ ସୂଚନାମାନଙ୍କର ଗନ୍ତାଘର। ଧର୍ମ, ଭାଷା, ସାକ୍ଷରତାରୁ ଆରମ୍ଭ କରି ବାସଗୃହ, ବ୍ୟାବସାୟିକ କାର୍ଯ୍ୟକଳାପ, ବହିର୍ଗମନ ଓ ପ୍ରଜନନ ହାର ଆଦି ପର୍ଯ୍ୟନ୍ତ ସଂପର୍କରେ ଏଥିରୁ ଏକ ବାସ୍ତବ ଚିତ୍ର ମିଳିପାରିବ। ସେତିକି ନୁହେଁ, ଏଇ ଚିତ୍ର କେବଳ ଏକ ସାମଗ୍ରିକ ଚିତ୍ର ନୁହେଁ, ସର୍ବନିମ୍ନ ସ୍ତରରେ ଥିବା ଏକ ଗ୍ରାମ ବା ୱାର୍ଡ ପାଇଁ ମଧ୍ୟ ଏଇ ଚିତ୍ର ଉପଲବ୍‌ଧ ହେବ, ଯାହାର ଆଧାରରେ ପ୍ରତ୍ୟେକ ଅଂଚଳ ଆବଶ୍ୟକ କରୁଥିବା ପରି ଉପଯୁକ୍ତ ଉନ୍ନୟନ ଓ ମଙ୍ଗଳ କାର୍ଯ୍ୟକ୍ରମମାନ ପ୍ରଣୟନ କରାଯାଇ ପାରିବ। ଏହା ଏକ ଅପ୍ରିୟ ସତ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ, ଭାରତର ଅନେକ ରାଜ୍ୟରେ ଜାତି ଏବେ ବି ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଛି ଏବଂ ସରକାରୀ ନୀତି ମଧ୍ୟ ଏହାଦ୍ୱାରା ପରିଚାଳିତ ହୋଇ ଚାଲିଛି। କିନ୍ତୁ ଭାରତରେ ସର୍ବଶେଷ ଜାତିଗଣନା ସଂପାଦିତ ହୋଇଥିଲା ଦେଶ ପରାଧୀନ ଥିବାବେଳେ ୧୯୩୧ରେ। ଏଥର ଜନଗଣନାରେ ସ୍ୱାଧୀନ ଭାରତରେ ସର୍ବପ୍ରଥମ ଜାତିଗଣନା ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟାନ୍ୟ ସୂଚନାମାନ ସହିତ ସ୍ୱାଧୀନତା ପରବର୍ତୀ ସମୟରେ ଦେଶ ହାସଲ କରିଥିବା ପ୍ରଗତିରେ କେଉଁ ଜାତି କିପରି ଭାଗୀଦାର ହୋଇଛି, ଏଥିରୁ ସେ ସଂପର୍କରେ ସୂଚନା ଉପଲବ୍‌ଧ ହେବାକୁ ଯାଉଛି।
ଅନ୍ୟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଯୋଗୁଁ ଏହି ଜନଗଣନା ତାତ୍ପର୍ଯ୍ୟପୂର୍ଣ୍ଣ ହେବାକୁ ଯାଉଛି। ଅଟଳବିହାରୀ ବାଜପେୟୀଙ୍କ ସରକାର ସମୟରେ ଗ୍ରହଣ କରାଯାଇଥିବା ଏକ କ୍ୟାବିନେଟ୍‌ ନିଷ୍ପତି ଅନୁସାରେ ଏଇ ଜନଗଣନାରୁ ଉପଲବ୍‌ଧ ସୂଚନା ଅନୁସାରେ ଦେଶରେ ନିର୍ବାଚନ କ୍ଷେତ୍ରମାନଙ୍କର ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ୍‌) କରାଯିବ। ଏଭଳି ପୁନଃନିର୍ଦ୍ଧାରଣ ପରେ ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କରେ ସ୍ଥାନ ସଂଖ୍ୟା ନିରୂପିତ ହେବ। ବର୍ତମାନ ଭାରତର ବିଶାଳ ଜନସଂଖ୍ୟାକୁ ତା’ର ଏକ ବିଶେଷ ଶକ୍ତି ରୂପେ ବିଚାର କରାଯାଉଥିଲେ ହେଁ, ସ୍ୱାଧୀନତା ପରବର୍ତୀ ସମୟରେ ଏହାକୁ ଏକ ଗୁରୁତର ସମସ୍ୟା ରୂପେ ବିଚାର କରି ଜନସଂଖ୍ୟା ନିୟନ୍ତ୍ରଣ ବା ପରିବାର ନିୟୋଜନକୁ ନୀତିଗତ ପ୍ରାଥମିକତା ପ୍ରଦାନ କରାଯାଇଥିଲା। ସେଇ ଜାତୀୟ ନୀତିକୁ ଅନୁସରଣ କରି ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗର ରାଜ୍ୟମାନେ ସେମାନଙ୍କର ଜନସଂଖ୍ୟା ବୃଦ୍ଧି ଉପରେ କଠୋର ଅଙ୍କୁଶ ଲଗାଇବାରେ ସଫଳ ହୋଇଥିବା ବେଳେ ଉତର, କେନ୍ଦ୍ରୀୟ ଓ ପୂର୍ବ ଭାରତର ରାଜ୍ୟମାନେ ସେମାନଙ୍କର ପ୍ରଜନନ ପ୍ରବୃତିରେ ଲଗାମ ଦେବାକୁ ବିଫଳ ହୋଇଛନ୍ତି।

ଏହାର ପରିଣାମ ସ୍ୱରୂପ ସଂସଦରେ ପ୍ରତିନିଧିତ୍ୱରେ କିପରି ଅସମତୁଲ ଅବସ୍ଥା ସୃଷ୍ଟି ହୋଇଛି ଦେଖାଯାଉ। ଦାକ୍ଷିଣାତ୍ୟର ପାଞ୍ଚଟି ରାଜ୍ୟ- ତାମିଲନାଡୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ସାଂସଦମାନେ ପ୍ରତ୍ୟେକ ହାରାହାରି ୧.୯୪ ନିୟୁତ ମତଦାତାଙ୍କର ପ୍ରତିନିଧିତ୍ୱ କରୁଥିବା ବେଳେ ଉତର ଭାରତର ପାଂଚଟି ଜନବହୁଳ ରାଜ୍ୟ- ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ବିହାରରୁ ଲୋକସଭାକୁ ନିର୍ବାଚିତ ସାଂସଦମାନେ ପ୍ରତ୍ୟେକ ହାରାହାରି ୨.୫୭ ନିୟୁତ ମତଦାତାଙ୍କର ପ୍ରତିନିଧିତ୍ୱ କରିଥାନ୍ତି। ୧୯୭୧ରେ ଅନୁଷ୍ଠିତ ଜନଗଣନାର ଫଳାଫଳ ଭିତିରେ ଏହି ସଂସଦୀୟ ଆସନମାନ ବଂଟନ କରାଯାଇଥିଲା। ବର୍ତମାନର ପରିବର୍ତିତ ପରିସ୍ଥିତିରେ ତାହା ଏପରି ଅସମତୁଲ ହୋଇପଡିଛି। ଏହାକୁ ସମତୁଲ କରିବା ପାଇଁ ବର୍ତମାନ ହେବାକୁ ଯାଉଥିବା ଜନଗଣନାର ଫଳାଫଳ ଭିତିରେ ‘ଡିଲିମିଟେସନ୍‌’ କରାଗଲେ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କ ତୁଳନାରେ ଉତର ଭାରତର ରାଜ୍ୟମାନଙ୍କ ପାଇଁ ସଂସଦରେ ଆସନ ସଂଖ୍ୟାରେ ବୃଦ୍ଧି ଘଟିବାର ଦୃତ ସମ୍ଭାବନା ରହିଛି। ଏହା ସ୍ୱାଭାବିକ ଭାବରେ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କରେ ଏକ ବୃହତ୍‌ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି, କାରଣ ଏହା ହେବ ବିଶୃଙ୍ଖଳିତ ରାଜ୍ୟମାନଙ୍କୁ ପୁରସ୍କୃତ କରି ଶୃଙ୍ଖଳିତ ରାଜ୍ୟମାନଙ୍କୁ ଦଣ୍ଡ ଦେବା ଭଳି। ନୀତି ନିର୍ଦ୍ଧାରକମାନଙ୍କୁ ଏହାର ଏକ ସନ୍ତୋଷଜନକ ସମାଧାନର ସୂତ୍ର ବାହାର କରିବାକୁ ପଡିବ।

ଅନ୍ୟ ଯେଉଁ ଏକ କାରଣରୁ ଏହି ଜନଗଣନା ବିଶେଷତ୍ୱ ଲାଭ କରିଥାଏ, ତାହା ହେଲା, ଏହା ଆମର ସର୍ବପ୍ରଥମ ଡିଜିଟାଲ୍‌ ଜନଗଣନା ହେବାକୁ ଯାଉଛି। ପ୍ରାୟ ତିନି ନିୟୁତ ସରିକି ‘ଏନ୍ୟୁମରେଟର୍‌’ମାନେ ମୋବାଇଲ୍‌ ଫୋନ୍‌ ଆପ୍‌ ବ୍ୟବହାର କରି ଏହି ଜନଗଣନା କାର୍ଯ୍ୟରେ ବ୍ୟାପୃତ ରହିବେ। ଆତ୍ମ-ଗଣନ ପାଇଁ ମଧ୍ୟ ଏଥିରେ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଜନଗଣନାରେ ଡିଜିଟାଲ୍‌ ପ୍ରବିଧିର ପ୍ରୟୋଗ ଏକ ସୁପରିଚିତ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ। ଭାରତରେ ଦେଖାଯାଉଥିବା ସୁବିଧାବାଦୀ ରାଜନୀତିରେ ସଜ ମାଛରେ ପୋକ ପକାଇବା ହେଉଛି ଏକ ଗତାନୁଗତିକ ରଣକେ?ଶଳ। ଏହା ଅନୁସାରେ ନିର୍ବାଚନରେ ଡିଜିଟାଲ୍‌ ପ୍ରବିଧି ଉପଯୋଗର ଅଂଶସ୍ୱରୂପ ‘ଇଭିଏମ୍‌’ର ବ୍ୟବହାରକୁ କିପରି ବିରୋଧ କରାଯିବାରେ ଲାଗିଛି, ତାହା ଦେଶବାସୀ ଅସହାୟ ଭାବରେ ଦେଖି ଚାଲିଛନ୍ତି। ଜନଗଣନାରେ ଜାତିଗଣନା ଭଳି ସମ୍ବେଦନଶୀଳ ପ୍ରକ୍ରିୟା ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜନେତାମାନେ ଅନୁରୂପ ଆଚରଣ ପ୍ରଦର୍ଶନ କରି ଏହାର ବିଶ୍ୱସନୀୟତା ଉପରେ ନିଶ୍ଚିତ ଭାବରେ ଆକ୍ରମଣ ଆରମ୍ଭ କରିଦେବେ। ତେଣୁ ଏହି ପ୍ରବିଧି-ଆଶ୍ରୟୀ ଜନଗଣନା ଯେପରି ସର୍ବାଧିକ ସମ୍ଭବ ସ୍ୱଚ୍‌ଛ ଓ ବିଶ୍ୱସନୀୟ ହୁଏ, ତାହା ନିଶ୍ଚିତ କରିବା ହେଉଛି ସରକାରଙ୍କର ପ୍ରାଥମିକ ଦାୟିତ୍ୱ।

ଜନଗଣନାରେ ଡିଜିଟାଲ୍‌ ପ୍ରବିଧିର ପ୍ରୟୋଗ ଏକ ସୁପରିଚିତ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ। ଭାରତରେ ଦେଖାଯାଉଥିବା ସୁବିଧାବାଦୀ ରାଜନୀତିରେ ସଜ ମାଛରେ ପୋକ ପକାଇବା ହେଉଛି ଏକ ଗତାନୁଗତିକ ରଣକୌଶଳ। ଏହା ଅନୁସାରେ ନିର୍ବାଚନରେ ଡିଜିଟାଲ୍‌ ପ୍ରବିଧି ଉପଯୋଗର ଅଂଶସ୍ୱରୂପ ‘ଇଭିଏମ୍‌’ର ବ୍ୟବହାରକୁ କିପରି ବିରୋଧ କରାଯିବାରେ ଲାଗିଛି, ତାହା ଦେଶବାସୀ ଅସହାୟ ଭାବରେ ଦେଖି ଚାଲିଛନ୍ତି। ଜନଗଣନାରେ ଜାତିଗଣନା ଭଳି ସମ୍ବେଦନଶୀଳ ପ୍ରକ୍ରିୟା ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜନେତାମାନେ ଅନୁରୂପ ଆଚରଣ ପ୍ରଦର୍ଶନ କରି ଏହାର ବିଶ୍ୱସନୀୟତାକୁ ଖିନଭିନ କରିପାରନ୍ତି।