ବିଜେଡି: ଆପଣା ସ୍ୱାର୍ଥରେ କାଟିଲା ୨୫ ବର୍ଷ

ଲୋକଙ୍କ ସ୍ୱାର୍ଥ ବିଷୟ ଚିନ୍ତା କରିବ କେବେ..?

ଭୁବନେଶ୍ୱର: ସଭାପତି ପଦବୀକୁ ନେଇ ଅଶୋକ ଦାସଙ୍କ ସହ ବିବାଦ କରିବା ଅପେକ୍ଷା ଜନତା ଦଳକୁ ଅଲ୍‌ ବିଦା କରି ମହାପ୍ରଭୁ ନବୀନ ପଟ୍ଟନାୟକ ବାପାଙ୍କ ନାମରେ ବିଜୁ ଜନତା ଦଳ (ବିଜେଡି) ଗଠନ କଲାବେଳେ ରାଜ୍ୟବାସୀ ନିଜକୁ ଭାଗ୍ୟବାନ ମଣିଲେ । କଂଗ୍ରେସ ଶାସନରେ ଅତିଷ୍ଠ ରାଜ୍ୟବାସୀ ବିଜୁବାବୁଙ୍କ ପୁଅକୁ ନିକଟରେ ପାଇ ସତେଯେପରି ଘନ ଅନ୍ଧକାର ଅରଣ୍ୟ ଭିତରେ ଦୀପଟିଏ ପାଇଗଲେ । ଏନ୍‌ଡିଏ ଗୋଠରେ ଯୋଗ ଦେଇ ମହାପ୍ରଭୁ ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ଅବସ୍ଥାପିତ ହେଲେ ।

୨୦୦୦ ନିର୍ବାଚନରେ ବିଜେପି ସହିତ ମିଶି କଂଗ୍ରେସକୁ କ୍ଷମତାରୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ବିଜେଡି ବଡ଼ଭାଇ ଓ ବିଜେପି ସାନଭାଇ ହୋଇ ରାଜ୍ୟ ଶାସନ କଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଥିଲେ, ‘ତମେମାନେ ପଂଚାୟତ ଓ ବ୍ଲକକୁ ଜଗିବା ଦାୟିତ୍ୱ ନିଅ, ମୁଁ ସଚିବାଳୟ ଜଗିବା ଦାୟିତ୍ୱ ନେଉଛି ।’ ଏଇଠାରୁ ଆରମ୍ଭ ହେଲା ରାଜ୍ୟବାସୀଙ୍କୁ ଅକର୍ମ ଶିଳା କରି ଦଳକୁ ଉଠିଆ କରିବାର ଯୁଗ ।

ଲୋକଙ୍କ ହାତକୁ କାମ ନଦେଇ ଭିକ ଦେବା ଯୁଗ ଆରମ୍ଭ ହେଲା । ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର କରି ଦଳୀୟ ନେତାଙ୍କୁ ଆଲୋକିତ କରିବା କାମ ଚାଲିଲା । ରାଜ୍ୟର ଜମି, ଜଳ, ଜଙ୍ଗଲ, ଖଣି, ଖାଦାନଗୁଡ଼ିକୁ ବହୁଦେଶୀୟ କମ୍ପାନୀ ହାତକୁ ଟେକି ଦିଆଗଲା । ରାଜ୍ୟବାସୀଙ୍କୁ ମାଲିକରୁ ଗୋଲାମ ବନାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା । ମହାପ୍ରଭୁ ନବୀନ ପଟ୍ଟନାୟକଙ୍କ ଜନଶୋଷଣ ନୀତିକୁ ବିଜେପି ଘୋଡ଼ାଇ ଚାଲିଥିଲା ।

ମାତ୍ର ୨୦୦୯ ନିର୍ବାଚନରେ ଆସନ ବୁଝାମଣାକୁ କେନ୍ଦ୍ର କରି ବିଜେପି-ବିଜେଡି ମଧ୍ୟରେ ମତଭେଦ ସୃଷ୍ଟି ହେଲା । ବିଜେପିକୁ ଅଲ ବିଦା କରି ବିଜେଡି ଏକୁଟିଆ ନିର୍ବାଚନ ଲଢ଼ିଲା । ୨୦୦୯ ପରଠାରୁ ବିଜେଡି ଏକଛତ୍ରବାଦୀ ଶାସନ ଚଲାଇଛି । ବିଜେଡି ପ୍ରତିଷ୍ଠା ହେବାର ୨୫ ବର୍ଷ ଭିତରେ କଂଗ୍ରେସ କଳେବର କ୍ରମେ ସଂକୁଚିତ ହୋଇଛି । ବିଜେପି ଏ ଯାବତ୍‌ ସାଢେ଼ ଚାରିକୋଟି ଲୋକଙ୍କ ହୃଦୟକୁ ଜିତିପାରିନି । ଚତୁର ମହାପ୍ରଭୁ ନବୀନ ପଟ୍ଟନାୟକ ଓ ତାଙ୍କର ପାଣ୍ଡବ ସାଢେ଼ ଚାରିକୋଟି ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ପାରିଛନ୍ତି ।

ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପାଇଁ ସାଢେ଼ ଚାରିକୋଟି ଜନତା ସେମାନଙ୍କର ପିଲାପିଲି, ଝିଅବୋହୁ, ବାପାମାଆଙ୍କୁ ବଳି ଦେବାକୁ ପଛାଉ ନାହାନ୍ତି । ରାଜ୍ୟବାସୀ ଗୋଟିଏ କଥା ଜାଣିଛନ୍ତି, ‘ଆଜିର ଯୁଗରେ ଯିଏ କ୍ଷମତାରେ ବସିବ, ସିଏ ଖାଇବ । କଂଗ୍ରେସ କ୍ଷମତାରେ ଥିଲା । ଲୋକଙ୍କୁ ଲୁଟୁଥିଲା । ମାତ୍ର ଖାଇବାକୁ ଦେଉ ନଥିଲା । ଏବେ କେନ୍ଦ୍ରରେ ବିଜେପି ଗୋଠ ଶାସନ କରୁଛି । ମୋଦୀ ସରକାର ଲୋକଙ୍କୁ ଲୁଟୁଛି ।

ରାଜ୍ୟକୁ ନବୀନ ସରକାର ଲୁଟୁଛନ୍ତି, ପେଟକୁ ଓଳିଏ ଦାନା ଦଉଛନ୍ତି, ଶୀତଦିନରେ କମ୍ବଳ ଦଉଛନ୍ତି, ବର୍ଷାଦିନରେ ଛତା ଦଉଛନ୍ତି, ସବୁଦିନିଆ କିଲୋ ଟଙ୍କାକରେ ଚାଉଳ ଦଉଛନ୍ତି । ବେବିନା, ମାଧବୀଲତା, ମମିତା ମେହେର, ପରୀ ଭଳି ଆହୁରି କେତେ ନିରୀହ ଜୀବନ ଚାଲିଗଲେ, କ୍ଷତି କ’ଣ? ମଣିଷ ଜନ୍ମ ନେଇଛି, ଦିନେ ନା ଦିନେ ମରିବ । ମରିବା ପୂର୍ବରୁ ତା’ର ଶରୀର ଯଦି ଆଉ କାହାର କାମରେ ଲାଗିଲା ସେଥିରେ କିଛି ଚିନ୍ତା କରିବାର ନାହିଁ । ସତରେ କି ମହାନ୍‌ ଚିନ୍ତାଧାରା ଆମ ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କର ।