ବାଲାଜୀଙ୍କୁ କ୍ୟାବିନେଟରୁ ହଟାଇବା କାମ ମୁଖ୍ୟମନ୍ତ୍ରୀଙ୍କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ କ୍ୟାବିନେଟରୁ ଅପସାରଣ ସଂପର୍କୀତ ପିଟିସନକୁ ବିଚାରଯୋଗ୍ୟ ମଣିନାହାନ୍ତି ସୁପ୍ରିମକୋର୍ଟ । ପିଟିସନକୁ ଖାରଜ କରିବା ସମୟରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସଂପୃକ୍ତ ମାମଲାଟି ମୁଖ୍ୟମନ୍ତ୍ରୀଙ୍କ ମର୍ଜି ଉପରେ ନିର୍ଭର କରେ ବୋଲି ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଅନୁଚିତ ବୋଲି କହିଛନ୍ତି ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ୍‌ ଉଜ୍ଜ୍ୱଲ ଭୂୟାଁଙ୍କ ଖଣ୍ଡପୀଠ । ରାଜ୍ୟପାଳ ଆପଣା ମର୍ଜିରେ କୌଣସି ମନ୍ତ୍ରୀଙ୍କୁ କ୍ୟାବିନେଟରୁ ଅପସାରଣ କରି ପାରିବେନି । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ବିନା ରାଜ୍ୟପାଳ କାହାକୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିପାରିବେନି । ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ପିଟିସନକୁ ଖାରଜ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁପାରିଶ ବିନା କ୍ୟାବିନେଟରୁ ବାଲାଜୀଙ୍କୁ ଅପସାରଣ କରା ଯାଇପାରିବନି ବୋଲି ମାଡ୍ରାସ ହାଇକୋର୍ଟ ସ୍ପଷ୍ଟ କହିଥିଲେ ।

ସୂଚନାଯୋଗ୍ୟ, ଦିବଂଗତ ନେତ୍ରୀ ଏମ ଜୟଲଳିତାଙ୍କ ସରକାରରେ ଥିଲାବେଳେ ତକ୍ରାଳୀନ ପରିବହନ ମନ୍ତ୍ରୀ ବାଲାଜୀ ‘ଚାକିରି ପାଇଁ ଲାଂଚ’ ଦୁର୍ନୀତିରେ ଜଡ଼ିତ ଥିବାର ଜଣାପଡ଼ିଥିଲା । ବାଲାଜୀଙ୍କୁ ପିଏମଏଲଏ ଆଇନ ବଳରେ ଗିରଫ କରାଯାଇଥିଲା । ୨୦୨୧ ମସିହାରେ ଷ୍ଟାଲିନଙ୍କ କ୍ୟାବିନେଟରେ ବାଲାଜୀଙ୍କୁ ସ୍ଥାନ ମିଳିଛି । ଅବଶ୍ୟ ତାଙ୍କୁ କୌଣସି ବିଭାଗର ଦାୟିତ୍ୱ ଦିଆଯାଇନି ।