ବ୍ରିଜଭୂଷଣଙ୍କ ମୁଣ୍ଡରେ ଦୋଷ ଲଦିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ମହିଳା ମଲ୍ଲଯୋଦ୍ଧାଙ୍କୁ ଆନ୍ଦୋଳନରୁ ଓହରି ଯିବା ପାଇଁ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂ ରୀତିମତ ଧମକ ଦେଉଥିଲେ ବୋଲି ଆଜି ରାଉସ୍‌ ଆଭିନ୍ୟୁ କୋର୍ଟଙ୍କୁ ଜଣାଇଛି ଦିଲ୍ଲୀ ପୁଲିସ । ଶୁକ୍ରବାର ଦିଲ୍ଳୀ ପୁଲିସ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ।

ବ୍ରିଜଭୂଷଣଙ୍କ ଅସଦାଚରଣର ଶିକାର ହୋଇଥିବା କିଛି ମହିଳା କୁସ୍ତିଯୋଦ୍ଧା ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାହୁଛାୟା ତଳେ ରହି ବ୍ରିଜଭୂଷଣ ଅଖଣ୍ଡ ଶକ୍ତିର ଅଧିକାରୀ ଥିଲେ । ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ସାହସ ଜୁଟାଇ ପାରିଲାନି ।

ଆଗୁଆ ଜାମିନ ପାଇ ବ୍ରିଜଭୂଷଣ ସିଂ ଏବେ ଆରାମରେ ବୁଲୁଛନ୍ତି । ମାତ୍ର ତାଙ୍କ ବିରୋଧରେ ପାଟି ଫିଟାଇଥିବା ମହିଳା କୁସ୍ତିଯୋଦ୍ଧାମାନେ ଏବେ ମାନସିକ ଯନ୍ତ୍ରଣାରେ ଭାଙ୍ଗି ପଡ଼ିଛନ୍ତି । କିଛି ମହିଳା କୁସ୍ତିଯୋଦ୍ଧା ଆଉ କୁସ୍ତି ମଇଦାନକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ସେମାନଙ୍କ ମନରେ ବ୍ୟଥା ହେଉଛି ଯେ ଯୋଉ ଦେଶରେ ମହିଳାଙ୍କୁ ଦେବୀ ରୂପରେ ପୂଜାର୍ଚ୍ଚନା କରାଯାଉଛି, ସେ ଦେଶରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନାରୀଙ୍କ ସମ୍ମାନ ରକ୍ଷା ପ୍ରତି ସମର୍ପିତ ବୋଲି କହୁଛନ୍ତି ମାତ୍ର ମହିଳା କୁସ୍ତିଯୋଦ୍ଧାଙ୍କ ଅପରାଧୀ ବ୍ରିଜଭୂଷଣକୁ ଶରଣ ଦେଇଛନ୍ତି ।